୨୦୨୪ ସୁଦ୍ଧା କାର୍ଯ୍ୟକାରୀ ହେବ ୧୫ଟି ପ୍ରମୁଖ ଜଳସେଚନ ପ୍ରକଳ୍ପ, ରୂପାନ୍ତର ଶୃଙ୍ଖଳାର ପ୍ରଥମ ବୈଠକ

ପ୍ରଯୁକ୍ତି ବିଦ୍ୟା, ଟିମ୍ ୱାର୍କ, ପୁନର୍ବାସ ନୀତି, ଶ୍ରମିକ କଲ୍ୟାଣ ଆଦିର ସଫଳ ପ୍ରୟୋଗ, ସବୁ ବିଭାଗ ଏପରି ରୂପାନ୍ତର ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ବର: ୨୦୨୪ ସୁଦ୍ଧା ରାଜ୍ୟରେ ୧୫ଟି ପ୍ରମୁଖ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି। ଏଥି ମଧ୍ୟରୁ ଚଳିତ ବର୍ଷ ୪ଟି, ୨୦୨୩ରେ ୪ଟି ଏବଂ ୨୦୨୪ରେ ୭ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏହିସବୁ ପ୍ରକଳ୍ପରେ ପ୍ରଯୁକ୍ତି ବିଦ୍ୟା, ଟିମ୍ ୱାର୍କ, ଦାୟିତ୍ବବାନ ପୁନର୍ବାସ ନୀତି, ଶ୍ରମିକ କଲ୍ୟାଣ ଆଦିର ସଫଳ ପ୍ରୟୋଗ କରାଯାଇଛି। ଏହା ଦ୍ବାରା ଓଡ଼ିଶାର ଜଳସମ୍ପଦ କ୍ଷେତ୍ରରେ ଏକ ରୂପାନ୍ତର ଆସିପାରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ ସରକାରଙ୍କ ରୂପାନ୍ତର ଶୃଙ୍ଖଳାର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜଳସମ୍ପଦ ବିଭାଗ ପକ୍ଷରୁ ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ ବିଭାଗର ରୂପାନ୍ତରଣ କାର୍ଯ୍ୟ ସମ୍ପର୍କରେ କରିଥିବା ଉପସ୍ଥାପନାରେ ଏହି ସୂଚନା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଜଳସେଚନ ପ୍ରକଳ୍ପର କାର୍ଯ୍ୟକାରିତା କ୍ଷେତ୍ରରେ ୫-ଟି କାର୍ଯ୍ୟକ୍ରମର ସଫଳ ପ୍ରୟୋଗ କରି ବହୁ ଦିନର ପ୍ରକଳ୍ପଗୁଡ଼ିକୁ ସଂପୂର୍ଣ୍ଣ କରିବା ପାଇଁ ପଦକ୍ଷେପ ନେଇଥିବାରୁ ଜଳସମ୍ପଦ ବିଭାଗର ପ୍ରଶଂସା କରିଥିଲେ ଏବଂ ବିଭାଗୀୟ ଯନ୍ତ୍ରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଅନ୍ୟ ସବୁ ବିଭାଗ ଏହିପରି ଅଭିନବ ପ୍ରୟୋଗରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ବଲାଙ୍ଗୀର, କେନ୍ଦୁଝର ଓ ମୟୁରଭଞ୍ଜ ଆଦି ଜିଲ୍ଲାର ଜିଲ୍ଲାପାଳମାନେ ସେଠାରେ ଚାଲିଥିବା ଜଳସେଚନ ପ୍ରକଳ୍ପଗୁଡ଼ିକରେ ବିସ୍ଥାପନ ପ୍ରକ୍ରିୟାକୁ କିପରି ତ୍ବରାନ୍ବିତ କରାଯାଇଛି, ସେ ସମ୍ପର୍କରେ ସୂଚନା ଦେଇଥିଲେ। ଆଲୋଚନା ପର୍ଯ୍ୟାଲୋଚନା, ସମ୍ବେଦନଶୀଳ ବ୍ୟବସ୍ଥା ଓ ଲୋକଙ୍କ ଭିତରେ ଭରସା ସୃଷ୍ଟି ଜରିଆରେ ବିସ୍ଥାପନ ପ୍ରକ୍ରିୟା ତ୍ବରାନ୍ବିତ ହୋଇପାରିଛି ବୋଲି ସେମାନେ ମତବ୍ୟକ୍ତ କରିଥିଲେ।

ଏହି ଉପସ୍ଥାପନାରେ ଦେଓ ପ୍ରକଳ୍ପ, ଲୋୟର ସୁକତେଲ ପ୍ରକଳ୍ପ, ସୁବର୍ଣ୍ଣରେଖା, କାନୁପୁର, ଛେଳିଗଡ଼, ରେଙ୍ଗାଲି ଦକ୍ଷିଣ କେନାଲ, ରେଙ୍ଗାଲି ବାମ କେନାଲ ଏବଂ ଆହୁରି ଅନେକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସୂଚନା ଦିଆଯାଇଥିଲା । ପ୍ରଯୁକ୍ତି ବିଦ୍ୟାର ବ୍ୟାପକ ପ୍ରୟୋଗ ଯଥା – ଭୂତଳ ପାଇପ ଲାଇନ ବ୍ୟବସ୍ଥାର ପ୍ରୟୋଗ, ଜିଓ ସିନ୍ଥେଟିକ୍‌ ମାଟ୍ରେସ୍‌ ଲାଇନିଂ, ସ୍କାଡା, ସ୍ବୟଂକ୍ରିୟ ଜଳ ପରିଚାଳନା ଆଦି ବିଭିନ୍ନ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ସମ୍ପର୍କରେ ସୂଚନା ଦିଆଯାଇଥିଲା। ଇଞ୍ଜିନିୟରିଂ ଜ୍ଞାନକୌଶଳ ବ୍ୟତୀତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ସର୍ବନିମ୍ନ ସ୍ତର ପର୍ଯ୍ୟନ୍ତ ତୁରନ୍ତ ନିଷ୍ପତ୍ତି ଓ ଟିମ୍ ୱାର୍କ, ଦାୟିତ୍ବବାନ ପୁନର୍ବାସ, ସମ୍ବେଦନଶୀଳ ଯୋଗାଯୋଗ ସମ୍ପର୍କରେ ଉପସ୍ଥାପନା ରଖାଯାଇଥିଲା।

ପ୍ରାରମ୍ଭିକ ସୂଚନା ଦେଇ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି. କେ. ପାଣ୍ଡିଆନ କହିଲେ ଯେ ମୁଖ୍ୟମନ୍ତ୍ରୀ ସାଧାରଣ ଜୀବନରେ ସବୁବେଳେ ସ୍ବଚ୍ଛତା ଉପରେ ଗୁରୁତ୍ବ ଦେଇଆସିଛନ୍ତି। ସ୍ବଚ୍ଛତାର ସହ ବିଭିନ୍ନ ଅଭିନବ ଉପାୟରେ ରାଜ୍ୟର ବିକାଶ ପାଇଁ ପଦକ୍ଷେପ ନେଲେ, ମୁଖ୍ୟମନ୍ତ୍ରୀ ସବୁବେଳେ ତାଙ୍କର ସହଯୋଗ ଓ ସହାୟତା ଯୋଗାଇବାକୁ ପ୍ରସ୍ତୁତ। ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଜଳସେଚନ ପ୍ରକଳ୍ପ ଯେଭଳି ଭାବରେ ଅଗ୍ରଗତି କରୁଛି, ଆଗାମୀ ୨-୩ ବର୍ଷ ମଧ୍ୟରେ ଏହା ଏକ ଶସ୍ୟଶାମଳା ଜିଲ୍ଲା ଭାବରେ ପ୍ରସିଦ୍ଧି ଅର୍ଜନ କରିବ ବୋଲି ସେ କହିଥିଲେ। ବୈଠକରେ ଅର୍ଥ ମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରୀ, ଶକ୍ତି ମନ୍ତ୍ରୀ ଓ ଜଳସମ୍ପଦ ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ଉନ୍ନୟନ କମିସନର ଓ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର