ଭଦ୍ରକରେ ପାଇପ ଜଳ ଯୋଗାଣ ପ୍ରକଳ୍ପକୁ ବିରୋଧ କରି ଜନସ୍ବାର୍ଥ ମାମଲା

ହାଇକୋର୍ଟରେ ସରକାରଙ୍କ ସତ୍ୟପାଠ ଦାଖଲ

କଟକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ନୟାହାଟ ଗ୍ରାମରେ ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପକୁ ବିରୋଧ କରି ଦାୟର ଜନସ୍ବାର୍ଥ ମାମଲାରେ ରାଜ୍ୟ ସରକାରଙ୍କ ତରଫରୁ ସତ୍ୟପାଠ ଦାଖଲ କରାଯାଇଛି। ଏହି ସତ୍ୟପାଠ ଉପରେ ପରବର୍ତ୍ତୀ ଶୁଣାଣି ପୂର୍ବରୁ ପ୍ରତିଜବାବ ଦାଖଲ ପାଇଁ ଆବେଦନକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଦୁଃଖୀରାମ ମାହାଳିକ ଓ ଅନ୍ୟ ୫ଜଣଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍ ୨୯କୁ ଧାର୍ଯ୍ୟ କରାଯାଇଛି।

ଏଠାରେ ଉଲ୍ଲେଖ ଯୋଗ୍ୟ ହାଇକୋର୍ଟଙ୍କ ଏପ୍ରିଲ ୫ର ନିର୍ଦ୍ଦେଶ ପାଳନ କରି ଗ୍ରାମ୍ୟ ଜଳ ଯୋଗାଣ ଭଦ୍ରକ ଡିଭିଜନ୍ ନିର୍ବାହୀ ଯନ୍ତ୍ରୀ ଏସ.କେ.ପଣ୍ଡା ଦାଖଲ କରିଥିବା ସତ୍ୟପାଠରେ ଦର୍ଶାଯାଇଛି ଯେ ବିଭିନ୍ନ କାରଣରୁ ଏହି ପ୍ରକଳ୍ପ କାର୍ଯ୍ୟ ନିର୍ଦ୍ଧାରିତ ସମୟସୀମା ଭିତରେ ଶେଷ କରାଯାଇ ପାରି ନାହିଁ। ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ପାଇଁ ଅବଧି ୨୦୨୩, ଫେବ୍ରୁଆରି ୨୮କୁ ସଂପ୍ରସାରଣ କରାଯାଇଛି। ୮୫ ପ୍ରତିଶତ ପ୍ରକଳ୍ପ କାର୍ଯ୍ୟ‌ ଶେଷ ହୋଇଛି। ଏବେ କାର୍ଯ୍ୟରେ ଅଗ୍ରଗତି ଜାରି ରହିଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ଚାନ୍ଦବାଲି, ବାସୁଦେବପୁର, ତିହିଡି ଓ ଧାମନଗର ବ୍ଲକର ୯୧ଟି ପଞ୍ଚାୟତକୁ ପାଇପ ପାଣି ଯୋଗାଣ ପାଇଁ ନୟାହାଟରେ ଏହି ମେଗା ପାଇପ ପାଣି ଯୋଗାଣ ପ୍ରକଳ୍ପ ଆରମ୍ଭ ପାଇଁ ନିଷ୍ପତ୍ତି ନିଆଯାଇ ନଥିଲା। ଏ ନେଇ ଗ୍ରାମବାସୀଙ୍କୁ କୌଣସି ସୂଚନା ପୂର୍ବରୁ ଦିଆଯାଇ ନଥିଲା। ଏହି ପ୍ରକଳ୍ପକୁ ନୟାହାଟ ବାସିନ୍ଦା ବିରୋଧ କରିଥିଲେ। ପ୍ରଶାସନ ନ ଶୁଣିବାରୁ ଏହି ପ୍ରସଂଗ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରାଯାଇଥିଲା। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ କ୍ଷୀରୋଦ କୁମାର ରାଉତ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର