ଫାଇଲେରିଆ ନିରାକରଣ: ରାଜ୍ୟରେ ପ୍ରଥମଥର ଲାଗି ଦିଆଯିବ ୩ଟି ବଟିକା

ଅଗଷ୍ଟ ୧୦ରେ ଦ୍ବିତୀୟ ପର୍ଯ୍ୟାୟ ଏମ୍‌ଡିଏ

ଭୁବନେଶ୍ବର : ଫାଇଲେରିଆ ନିରାକରଣ ପାଇଁ ଚାଲିଥିବା ଗଣ ଔଷଧ ସେବନ ବା ଏମ୍‌ଡିଏରେ ପ୍ରଥମଥର ଲାଗି ୩ଟି ବଟିକା ଦିଆଯିବ। ପୂର୍ବରୁ କେବଳ ଏମ୍‌ଡିଏରେ ଡିଇସି ଓ ଆଲବେଣ୍ଡା‌ଜୋଲ ବଟିକା ଦିଆଯାଉଥିବା ବେଳେ ଏଥିରେ ସାମିଲ ହେବ ଆଇଭରମେକ୍ଟିନ୍। ଆଇଭରମେକ୍ଟିନ୍, ଡିଇସି ଓ ଆଲବେଣ୍ଡାଜୋଲ ବଟିକାର ମିଳିତ ସେବନ ଦ୍ବାରା ଫାଇଲେରିଆ ପରଜୀବୀ ନିରାକରଣ ଶୀଘ୍ର ହୋଇପାରୁଥିବା ବିଭିନ୍ନ ଗବେଷଣାରୁ ଜଣାପଡ଼ିଛି। ଦେଶର କିଛି ରାଜ୍ୟରେ ଏକକାଳୀନ ୩ଟି ବଟିକା ପ୍ରଦାନ କରାଯାଉଥିବା ବେଳେ ଓଡ଼ିଶାରେ ଏହା ଆରମ୍ଭ ହେବାକୁ ଯାଉଛି।

୨୦୦୪ ମସିହାରେ ଏମ୍‌ଡିଏ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ରାଜ୍ୟରେ କୋରାପୁଟ, କେନ୍ଦ୍ରାପଡ଼ା, ଗଜପତି, ପୁରୀ, ମାଲକାନଗିରି, ନବରଙ୍ଗପୁର, ବୌଦ୍ଧ, ଜଗତସିଂହପୁର ଓ ଦେବଗଡ଼ ଜିଲ୍ଲା ଟିଏଏସ୍‌(ଟ୍ରାନ୍‌ସମିସନ ଆସେସମେଣ୍ଟ ସର୍ଭେ)କୁ ସଫଳତାର ସହ ଫାଇଲେରିଆ ନିୟନ୍ତ୍ରଣ କରିପାରିଛନ୍ତି। ଏବେ ବଳକା ୨୧ଟି ଜିଲ୍ଲାରେ ଏମ୍‌ଡିଏ ଜରିଆରେ ଲୋକଙ୍କୁ ବଟିକା ପ୍ରଦାନ କରାଯାଉଛି। ଗତ ଫେବ୍ରୁଆରି ମାସରେ ୧୦ଟି ଜିଲ୍ଲାରେ ବଟିକା ଦିଆଯାଇଥିବା ବେଳେ ଅଗଷ୍ଟ ମାସରେ ୧୧ଟି ଜିଲ୍ଲାରେ ବଟିକା ଦିଆଯିବ। ଏଥିରେ ଅନୁଗୁଳ, ଝାରସୁଗୁଡ଼ା, ବରଗଡ଼, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟ ଏମ୍‌ଡିଏ ଆୟୋଜିତ ହେବ। ଏଥିରେ ୧.୧୪କୋଟି ଲୋକଙ୍କୁ ବଟିକା ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରହିଛି।

news-medical.net

ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଡିଇସି ଓ ଆଲବେଣ୍ଡାଜୋଲ ବଟିକା କ୍ରମାଗତ ୫ବର୍ଷ ଧରି ଖାଇଲେ ଫାଇଲେରିଆ ମୁକ୍ତ ହେଉଥିବା ବେଳେ ଆଇଭରମେକ୍ଟିନ୍, ଡିଇସି ଓ ଆଲବେଣ୍ଡାଜୋଲ ବଟିକା ସମ‌ସ୍ତେ ଏକତ୍ର ଖାଇଲେ ୨ବର୍ଷରେ ଫାଇଲେରିଆ ନିୟନ୍ତ୍ରଣ ହୋଇପାରିବ। ତେଣୁ ରାଜ୍ୟ ସରକାର ଆସନ୍ତା ଅଗଷ୍ଟ ହେବାକୁ ଥିବା ଏମ୍‌ଡିଏରେ ୩ଟି ବଟିକା ପ୍ରଦାନ କରିବେ। ଜଣେ ବ୍ୟକ୍ତିର ଉଚ୍ଚତା ଅନୁଯାୟୀ ଆଇଭରମେକ୍ଟିନ୍‌ ଡୋଜ୍ ଦିଆଯାଉଥିବା ବେଳେ ଡିଇସି ଓ ଆଲବେଣ୍ଡାଜୋଲ ବୟସ ଅନୁଯାୟୀ ଦିଆଯାଇଥାଏ।

ଅପରପକ୍ଷରେ ଏମ୍‌ଡିଏ କାର୍ଯ୍ୟକ୍ରମ ଆରମ୍ଭ ହେବା ପରଠାରୁ ଗତ ୧୯ବର୍ଷ ଧରି ଓଡ଼ିଶାରେ ଏହା ଜାରି ରହିଛି। ତଥାପି ରାଜ୍ୟରେ ଫାଇଲେରିଆମୁକ୍ତ ହୋଇପାରିନାହିଁ। ଜାତୀୟ କୀଟ ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ(ଏନ୍‌ଭିବିଡିସିପି) ଅନୁଯାୟୀ, ଦେଶର ୨୫୭ଟି ଜିଲ୍ଲା ଫାଇଲେରିଆପ୍ରବଣ(ଏଲ୍‌ଏଫ) ରହିଛି। ଏଥିରେ ଓଡ଼ିଶାର ୨୦ଟି ଜିଲ୍ଲା ରହିଛି। ଉତ୍ତର ପ୍ରଦେଶର ସର୍ବାଧିକ ୫୧ଟି ଜିଲ୍ଲା ଥିବା ବେଳେ ବିହାର ୩୮, ତାମିଲନାଡ଼ୁର ବି ୨୦ଟି ଜିଲ୍ଲା ରହିଛି। ଦେଶର ୭% ଫାଇଲେରିଆ ପ୍ରବଣ ଜିଲ୍ଲା ଓଡ଼ିଶାରେ ରହିଛି। ତେବେ ଗ୍ରାମାଞ୍ଚଳରେ ଲୋକମାନେ ଏମ୍‌ଡିଏରେ ଅଂଶଗ୍ରହଣ କରୁଥିବା ବେଳେ ସହରାଞ୍ଚଳରେ ‌ଲୋକମାନେ ଏଥିରେ ସାମିଲ ହେବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ଯାହାଫଳରେ ଫାଇଲେରିଆ ନିରାକରଣରେ ଓଡ଼ିଶାକୁ ଆଶାନୁରୂପ ସଫଳତା ମିଳୁନାହିଁ। ତେଣୁ ଏମ୍‌ଡିଏ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦୁଇଦିନିଆ ତାଲିମ ଓ ସମୀକ୍ଷା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପିସିଆଇ, ଡବ୍ଲଏଚ୍‌ଓ ଓ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ଏଥିରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର