ଅପରାଜିତାଙ୍କୁ ଭେଟିଲେ ୪ ବିଶ୍ବବିଦ୍ୟାଳୟର ବିଏଡ୍‌/ଏମ୍ଏଡ୍‌ ଛାତ୍ରଛାତ୍ରୀ

ଭୁବ‌େନଶ୍ବର : ଶିକ୍ଷକ ପ୍ରବେଶିକା ପରୀକ୍ଷା ପାଇଁ ଅନୁମତି ଦାବିରେ ଆନ୍ଦୋଳନ ଚଳାଇଥିବା ରାଜ୍ୟର ୪ଟି ବିଶ୍ବବିଦ୍ୟାଳୟର ବିଏଡ୍‌/ଏମ୍‌ଏଡ୍‌ ଛାତ୍ରଛାତ୍ରୀମାନେ ଆଜି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଭେଟି ସେମାନଙ୍କ ସମସ୍ୟା ସଂପର୍କରେ ଅବଗତ କରାଇବା ସହ କେନ୍ଦ୍ର ମାନବ ସମ୍ବଳ ବିକାଶ ବିଭାଗର ହସ୍ତକ୍ଷେପ ପାଇଁ ଦାବି କରିଛନ୍ତି।

ବାଲେଶ୍ୱର ଜିଲ୍ଲାର ଫକୀରମୋହନ ବିଶ୍ଵବିଦ୍ୟାଳୟ, ମୟୂରଭଞ୍ଜର ଉତ୍ତର ଓଡ଼ିଶା ବିଶ୍ଵବିଦ୍ୟାଳୟ, ସମ୍ବଲପୁରରେ ବିଶ୍ବବିଦ୍ୟାଳୟ ଏବଂ ବଲାଙ୍ଗୀରର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟରେ ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ଓ ଏମ୍‌ଏଡ୍ ପଢ଼ୁଥିବା ପ୍ରାୟ ୭୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସ୍କୁଲ/କଲେଜରେ ଶିକ୍ଷକ ଭାବେ ଚାକିରି କରିବା ପାଇଁ ରାଜ୍ୟ ସରକାରଙ୍କ ସ୍ବୀକୃତି ମିଳିବ ନାହିଁ ବୋଲି ଜାଣିବା ପରେ ଏହାକୁ ନେଇ ଛାତ୍ରଛାତ୍ରୀ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ନିଜ କ୍ୟାରିଅରକୁ ନେଇ ଅନିଶ୍ଚିତତା ଲାଗି ରହିଥିବାରୁ ଏହି ୪ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରାଜଧାନୀକୁ ପଦଯାତ୍ରାରେ ଆସି ୪ ଦିନ ଧରି ଅନଶନ କରିବା ପରେ ଲୋୟର ପିଏମଜିଠାରେ ଧାରଣାରେ ବସିଛନ୍ତି। କେନ୍ଦ୍ର ମାନବ ସମ୍ବଳ ବିକାଶ ବିଭାଗ ଅଧୀନ ଏନ୍‌ସିଟିଇ କର୍ତ୍ତୃପକ୍ଷଙ୍କ ତ୍ରୁଟି ଓ ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ସେମାନଙ୍କ ଭବିଷ୍ୟତ ଅନ୍ଧକାର ହେବାକୁ ଯାଉଥିବା ଜାଣିବା ପରେ ଛାତ୍ରଛାତ୍ରୀମାନେ ବିଭିନ୍ନ ରାଜନୈତିକ ଦଳର ବିଧାୟକ, ସାଂସଦ ଓ ମନ୍ତ୍ରୀଙ୍କୁ ସାକ୍ଷାତ କରି ଗୁହାରି କରୁଛନ୍ତି। ଏହି ପରିପ୍ରେକ୍ଷୀ‌ରେ ଆଜି ଧାରଣାସ୍ଥଳରୁ ଛାତ୍ରଛାତ୍ରୀଙ୍କ ଏକ ପ୍ରତିନିଧି ମଣ୍ଡଳୀ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଭେଟି ନିଜର ସମସ୍ୟା ଓ ଦାବି ବିଷୟରେ ଅବଗତ କରାଇଥିଲେ। ଶ୍ରୀମତୀ ଷଡ଼ଙ୍ଗୀ ଏହାକୁ ଗୁରୁତ୍ଵର ସହ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ କଥା ହୋଇ ଖୁବ୍ ଶୀଘ୍ର ସମସ୍ୟାର ସମାଧାନ ପାଇଁ ପ୍ରୟାସ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର