ହତ୍ୟାର ଅନେକ ଗୁମର ଖୋଲିଛି ‘ଗାନ୍ଧୀ ହତ୍ୟାର ଅକୁହା କଥା’

ଭୁବନେଶ୍ବର : ସତ୍ୟ ଅହିଂସାର ବିଚାରଧାରାକୁ ସମଗ୍ର ସମାଜରେ ପରିବ୍ୟାପ୍ତ କରିବାକୁ ପ୍ରୟାସ କରିଥିବା ଗାନ୍ଧୀଜୀଙ୍କୁ ହତ୍ୟା ସୁଚିନ୍ତିତ ଓ ପୂର୍ବ କଳ୍ପିତ ଥିଲା। ସେହିପରି ମାତ୍ର ଛଅ ମାସ ପୂର୍ବରୁ ଯେଉଁ ନ୍ୟାୟାଳୟ ଓ ପୋଲିସ ଗାନ୍ଧୀଜୀଙ୍କୁ ଜେଲରେ ବନ୍ଦୀ କରିବା ନିଜର ପରମ କର୍ତ୍ତବ୍ୟ ବୋଲି ବିଚାରୁଥିଲେ, ସେମାନଙ୍କଠାରୁ ଗାନ୍ଧୀ ହତ୍ୟା ପ୍ରକୃତ ଅପରାଧୀମାନଙ୍କୁ ଦୋଷୀ ସାବ୍ୟସ୍ତ କରିବାର ଆଶା ବି ବୃଥା ଥିଲା। କ୍ଷମତା ପରିବର୍ତ୍ତନ ଯେ ସ୍ୱାଧୀନତା ନୁହେଁ; ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କଠାରୁ ଆରମ୍ଭ କରି ଜବାହରଲାଲ ନେହରୁ ଓ ମୋରାରଜୀ ଦେଶାଇଙ୍କ ଯାଏ ଗାନ୍ଧୀଜୀଙ୍କୁ ସୁରକ୍ଷା ଯୋଗାଇ ନ ପାରି ପ୍ରମାଣିତ କରିଯାଇଛନ୍ତି। ‘ଗାନ୍ଧୀ ହତ୍ୟାର ଅକୁହା କଥା’ ପୁସ୍ତକ ଉନ୍ମୋଚନ ଅବସରରେ ବକ୍ତାମାନେ ଉପରୋକ୍ତ ମତ ପ୍ରକାଶ କରିବା ସହ ଗାନ୍ଧୀ ଆତ୍ମକଥା ଭଳି ଜେମ୍‌ସ ଡବ୍ଲୁ ଡଗଲାସଙ୍କ ଏହି ପୁସ୍ତକ ଅନେକ ନୂତନ ସତ୍ୟର ଉନ୍ମୋଚନ କରିଛି ବୋଲି ମତ ଦେଇଛନ୍ତି।

ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଭାନେତ୍ରୀ କୃଷ୍ଣା ମହାନ୍ତିଙ୍କ ସଭାପତିତ୍ୱରେ ଲୋହିଆ ଏକାଡେମିଠାରେ ଆୟୋଜିତ ସାଧାରଣ ସଭାରେ ପୁସ୍ତକର ହିନ୍ଦୀ ଅନୁବାଦିକା ତଥା ପ୍ରସିଦ୍ଧ ଅର୍ଥଶାସ୍ତ୍ରୀ ପ୍ରେରଣା ଦେଶାଇ, ଓଡ଼ିଆ ଅନୁବାଦକ ପ୍ରଫେସର ପ୍ରୀତିଶ ଆଚାର୍ଯ୍ୟ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଜ୍ୟ ସଭାପତି ଜଷ୍ଟିସ ମନୋରଞ୍ଜନ ମହାନ୍ତି, ଲୋହିଆ ଏକାଡେମି ସମ୍ପାଦକ ଦେବ ପ୍ରସାଦ ରାୟ ଓ ‘ସମଦୃଷ୍ଟି’ର ସମ୍ପାଦକ ସୁଧୀର ପଟ୍ଟନାୟକ ପ୍ରମୁଖ ପୁସ୍ତକର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରିଥିଲେ।

ବିଶିଷ୍ଟ ସାମ୍ବାଦିକ ଆଶୋକ କୁମାର ସାହୁ ପୁସ୍ତକର ସମୀକ୍ଷା କରି କହିଲେ ଯେ ଗାନ୍ଧୀଜୀ ସତ୍ୟାଗ୍ରହୀ ଭାବରେ ମୃତ୍ୟକୁ ଆପଣାଇବା ପାଇଁ ସଦା ପ୍ରସ୍ତୁତ ଥିବା ବେଳେ ହତ୍ୟାକାରୀମାନେ ତାଙ୍କ ହତ୍ୟା ପାଇଁ ଯେଉଁ ଷଡ଼୍‌ଯନ୍ତ୍ର କରିଥଲେ ଏହି ପୁସ୍ତକ ସେସବୁ ସତ୍ୟକୁ ଉନ୍ମୋଚିତ କରିଛି। ରାମଙ୍କୁ ନେଇ ଗାନ୍ଧୀ ଓ ସବରକରଙ୍କ ମଧ୍ୟରେ ଯେଉଁ ମତପାର୍ଥକ୍ୟ ଥିଲା ଓ ଆଜି ରାମ ମନ୍ଦିରକୁ ନେଇ ସବରକରବାଦୀ ଓ ଗାନ୍ଧୀବାଦୀଙ୍କ ଭିତରେ ଯେଉଁ ଫରକ ରହିଛି ସେହି ବିଚାରକୁ ବି ଏହି ପୁସ୍ତକ ଉଜାଗର କରିଛି। ସଭା ପ୍ରାରମ୍ଭରେ ମାନସ ପଟ୍ଟନାୟକ ସ୍ୱାଗତ ଭାଷଣ, ମିନତି କୁଅଁର କ୍ରାନ୍ତି ସଙ୍ଗୀତ, ଡ. ବିଶ୍ଵଜିତ ପ୍ରକାଶକୀୟ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସୂର୍ଯ୍ୟନାରାୟଣ ନାଥ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର