ଟିଟୋ-ସରକାରୀ ବାବୁ ସଂପର୍କ : ଚଢ଼ାଉକୁ ଜୋର୍‌ଦାର୍‌ କରିବ ଭିଜିଲାନ୍ସ

ଭାଇ ସପ୍ପୋର ଭିଡିଓ ଭାଇରାଲ୍‌ : ଗୋଆ ଯୁବତୀ ଚାଲାଣରେ ଟିଟୋ ଲିଙ୍କ୍‌

କେନ୍ଦ୍ରାପଡ଼ା : ଗ୍ୟାଙ୍ଗଷ୍ଟର ଟିଟୋ ଓରଫ୍‌ ସୟଦ ଉସ୍‌ମାନ୍‌ ଅଲ୍ଲୀ ସହ ସଂପର୍କରେ ଥିବା ଅଫିସରଙ୍କୁ ଧରିବା ପାଇଁ ଭିଜିଲାନ୍ସ ବିଧିବଦ୍ଧ ଯୋଜନା ପ୍ରସ୍ତୁତ କରିଛି। ଏଥିପାଇଁ ଖୁବ୍‌ଶୀଘ୍ର କେନ୍ଦ୍ରାପଡ଼ା ତହସିଲ, ରାସ୍ତା ଓ କୋଠାବାଡ଼ି, ଜଳସେଚନ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ଯାନ୍ତ୍ରିକ ଡିଭିଜନ୍‌ରେ ଚଢ଼ଉ ହେବାର ଯୋଜନା ରହିଛି। ଗତକାଲି ଚଢ଼ାଉ ବେଳେ ଭିଜିଲାନ୍ସ ଟିମ୍‌ ଯେଉଁ ୨୬ଟି ଭାରୀଯାନ ସମ୍ପର୍କରେ ଆର୍‌ଟିଓ ଅଫିସ୍‌ରୁ ତଥ୍ୟ ସଂଗ୍ରହ ପାଇଁ ଯାଇଥିଲା ସେଥିରୁ ଦୁଇ ଦିନ ମଧ୍ୟରେ ୨୨ଟି ଗାଡ଼ିର ଆଂଶିକ ରେକର୍ଡ଼ପତ୍ର ମିଳିଛି। କିନ୍ତୁ ସେଥିରୁ ଗୋଟିଏ ବି ଟିଟୋ କିମ୍ବା ତା ଭାଇ ନାମରେ ନାହିଁ। ଏହି ଗାଡ଼ିଗୁଡ଼ିକ ଯେଉଁ ବ୍ୟକ୍ତିଙ୍କ ନାମରେ ରହିଛି ତାର ତାଲିକା ଆର୍‌ଟିଓ ନିଖିଳାନନ୍ଦ ପଟ୍ଟନାୟକ ଭୁବନେଶ୍ୱର ଭିଜିଲାନ୍ସ ବିଭାଗରେ ଦାଖଲ କରିଛନ୍ତି।

ବାକି ୪ଟି ଭାରୀଯାନର କାଗଜପତ୍ର ମିଳିନାହିଁ। ଖୁବ୍‌ଶୀଘ୍ର ଏସବୁ ଗାଡ଼ିର ଆର୍‌ସି ବୁକ୍‌, କାହା ନାମରେ କିଣା ଯାଇଥିଲା ଗାଡ଼ି, ଏହାର ମୂଲ୍ୟ, କେବେ ଓ କେଉଁ ବ୍ୟକ୍ତିଙ୍କ ମାର୍ଫତରେ କିଣା ଯାଇଥିଲା ସେନେଇ ସବିଶେଷ ତଥ୍ୟ ପ୍ରଦାନ କରିବାକୁ ଆର୍‌ଟିଓଙ୍କୁ କୁହାଯାଇଛି। ଏସ୍‌ଟିଏଫ୍‌ ୧୭ଟି ହାଇଓ୍ଵା(ଟିପ୍ପର), ଜେସିବି ଜବତ କରିଥିଲା। ଏବେ ସେସବୁ ଯେଉଁ ବ୍ୟକ୍ତିଙ୍କ ନାମରେ କିଣା ଯାଇଛି ସେମାନେ କେଉଁଠାରୁ ଓ କିପରି କିଣିଥିଲେ ସେନେଇ ଖୋଳତାଡ଼ କରୁଛି ଭିଜିଲାନ୍ସ ।

ଜିଲ୍ଲା ବିଭିନ୍ନ ଉନ୍ନୟନମୂଳକ କାମ ହୋଇଥିବା ବିଭାଗକୁ ଟିଟୋ ନିୟନ୍ତ୍ରଣ କରୁଥିବାରୁ ସେ ସଂପର୍କରେ ଏବେ ଖୋଳତାଡ଼ କରାଯିବାର ସୂଚନା ମିଳିଛି। ଏଯାଏ କେବଳ କିଛି ବାଲି ଘାଟ ଓ ଟିଟୋର ଟ୍ରାନ୍ସପୋର୍ଟ ବ୍ୟବସାୟ ସମ୍ପର୍କିତ ତଥ୍ୟ ସଂଗ୍ରହ କଲା ପରେ ବଡ଼ ଧରଣର କାରବାରକୁ ହାତ ମାରି ନାହିଁ ଭିଜିଲାନ୍ସ। ପ୍ରଥମରୁ ହିଁ ଏସ୍‌ଟିଏଫ୍‌ ଏସବୁ ବିଭାଗର ଅର୍ଥନୈତିକ ଅପରାଧ ରେକର୍ଡ ସମ୍ପର୍କରେ ଖୋଳତାଡ଼ କରିବ ବୋଲି ଚର୍ଚ୍ଚା ହୋଇଥିଲା । କିନ୍ତୁ ସେଥିରେ ଏସ୍‌ଟିଏଫ୍‌ ବାଟବଣା ହେଲା। ଭିଜିଲାନ୍ସ ବିଭାଗକୁ ଏ ସବୁର ଖୋଳତାଡ଼ କରିବାକୁ ଦାୟିତ୍ୱ ଦିଆଯିବା ପରେ ଭିଜିଲାନ୍ସ ମଧ୍ୟ ସମାନ ରାସ୍ତାରେ କାମ ଆରମ୍ଭ କରିଥିବା ଅଭିଯୋଗ ହୋଇଛି । ଟେଣ୍ଡର ଫିକ୍ସିଂ ଦ୍ୱାରା କୋଟି କୋଟି ଟଙ୍କାର ସମ୍ପତ୍ତି ଠୁଳ କରିଥିଲା ଓ ସେସବୁ କଳାଧନକୁ ସେ ଧଳା କରିବାକୁ ବିଭିନ୍ନ କ୍ଷେତ୍ରରେ ବିନିଯୋଗ କରିଥିଲା।

ପ୍ରଥମ ଦଫାରେ ସ୍ୱତନ୍ତ୍ର ଟାସ୍କଫୋର୍ସର ସୂଚନାକୁ ଆଧାର କରି ରାଜ୍ୟ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟରୁ ୧୦ ଜଣିଆ ଟିମ୍‌ କେନ୍ଦ୍ରାପଡ଼ା ଜିଲ୍ଲାର ୭ଟି ଅଫିସ୍‌ରେ ପଶି ବାଲି ଘାଟ ଲିଜ୍‌, ଟିଟୋର ଟ୍ରାନ୍ସପୋର୍ଟ ବ୍ୟବସାୟ ସମ୍ପର୍କରେ କେନ୍ଦ୍ରାପଡ଼ା ଆର୍‌ଟିଓ ଅଫିସ୍‌, ପେଟ୍ରୋଲ ପମ୍ପ୍‌ ପାଇଁ ସରକାରୀ ଜମିକୁ ଲିଜ୍‌ ଦିଆଯିବା ବିଷୟରେ ଫାଇଲ୍‌ ସବୁ ଘାଣ୍ଟିଥିଲା। ସେହିପରି ଡେରାବିଶ ତହସିଲ ଓ ଗରଦପୁର ତହସିଲରେ ଅନ୍ୟ ଦୁଇଟି ଟିମ୍‌ ଫାଇଲ୍‌ ସବୁ ଜବତ କରିଥିବା ସୂଚନା ରହିଛି।

ଭାଇ ସପ୍ପୋର ଭିଡିଓ ଭାଇରାଲ୍‌ : ଗୋଆ ଯୁବତୀ ଚାଲାଣରେ ଟିଟୋ ଲିଙ୍କ୍‌

ଜଗତସିଂହପୁର/ଟାଉନ୍‌, : ଜଗତ୍‌ସିଂହପୁରରୁ ଗୋଆକୁ ଯୁବତୀ ଚାଲାଣ ଘଟଣାରେ ଟିଟୋ ଓ ତା’ର ସହଯୋଗୀଙ୍କ ସମ୍ପୃକ୍ତି ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଜଗତ୍‌ସିଂହପୁରରେ ବଟି ଆଦାୟଠାରୁ ଆରମ୍ଭ କରି ଟେଣ୍ଡର୍‌ ଫିକ୍ସିଂରେ ଟିଟୋର ସମ୍ପୃକ୍ତ ସ୍ପଷ୍ଟ ଥିବାବେଳେ ଏହି ଦିଗ ପ୍ରତି ଏପର୍ଯ୍ୟନ୍ତ ଖୋଳତାଡ଼ ଆରମ୍ଭ ହୋଇନାହିଁ।

ଟିଟୋ ଗିରଫ ହେବାପରେ ଏକ ଭିଡ଼ିଓକୁ ଆଧାର କରି ଏହି ଚର୍ଚ୍ଚା ଆରମ୍ଭ ହୋଇଛି। ନିକଟରେ ଅଢ଼େଇ ବର୍ଷ ତଳର ଗୋଟିଏ ଭିଡିଓ ଭାଇରାଲ୍‌ ହୋଇଛି। ଏଥିରେ ଟିଟୋର ଭାଇ ସପ୍ପୋର ଚାଞ୍ଚଲ୍ୟକର ବୟାନ ସାମନାକୁ ଆସିଛି। ଭିଡ଼ିଓରେ ସପ୍ପୋ କହିଛି ଯେ, କେନ୍ଦ୍ରାପଡ଼ାରେ କାର୍ଯ୍ୟରତ ଜଣେ ପୁଲିସ ଅଧିକାରୀ ଏବଂ ଜଗତସିଂହପୁରର ଦୀପ୍ତି ଦାସ ନାମକ ଜଣେ ବ୍ୟକ୍ତିଙ୍କ ସହଯୋଗରେ ଗୋଆକୁ ଯୁବତୀ ଚାଲାଣ କରାଯାଉଥିଲା। ଦୀପ୍ତି ଦାସ ହିଁ ଯୁବତୀ ଚାଲାଣର ମୁଖ୍ୟ କାର୍ପଟଦାର୍‌।

ଏହି ଘଟଣାକୁ ନେଇ ବିଭିନ୍ନ ଟୀପ୍ପଣି ଶୁଣିବାକୁ ମିଳିଛି। କେନ୍ଦ୍ରାପଡ଼ାର ଯେଉଁ ପୁଲିସ ଅଧିକାରୀଙ୍କ ନାମ ସପ୍ପୋ କହିଛି, ସେ କୁଆଡ଼େ କିଛି ଦିନ ଜଗତସିଂହପୁରରେ ବି କାର୍ଯ୍ୟ କରିଥିଲେ। ସେହି ସମୟରେ ଏକ ମାରୁତି ସୁଇଫ୍‌ଟ୍‌ କାର୍‌ରେ ପ୍ରେସ୍‌ ଲେଖି ସେଥିରେ ଯୁବତୀ ଚାଲାଣ ଘଟଣା ବି ସାମନାକୁ ଆସିଥିଲା। ଏହା ସ୍ଥାନୀୟ ପୁଲିସ ନଜରରେ ଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇ ନଥିଲା। ଏକ ନାଲି ରଙ୍ଗର ଅଡିକ୍ୟୁ-୩ ଗାଡ଼ି ଦୀପ୍ତି ନାମରେ ଥିବା ବେଳେ ତାହା ଏବେ ତାହା ଟିଟୋ ପାଖରେ କୌଣସି ଏକ ସ୍ଥାନରେ ଥିବା ସୂଚନା ରହିଛି। ଅଢ଼େଇ ବର୍ଷ ତଳେ ଟିଟୋ ଓ ସପ୍ପୋର ମନାନ୍ତର ହେବାରୁ ସେ ଦୀପ୍ତି ଦାସର ମୁଖା ଖୋଲିବାକୁ ଉଦ୍ୟମ କରିଥିଲା। ଟିଟୋ ଗିରଫ ପରେ ଏହି ଭିଡ଼ିଓ ଓ ଗୋଆକୁ ଯୁବତୀ ଚାଲାଣ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ପ୍ରକଶଥାଉକି, ଟିଟୋର ଭାଇ ସପ୍ପୋ ଏବେ ଫେରାର୍‌ ଅଛି।

ସମ୍ବନ୍ଧିତ ଖବର