ଭର୍ଚୁଆଲ କାର୍ଯ୍ୟକ୍ରମରେ ମିଳିଲା ୟୁନେସ୍କୋ ପ୍ରମାଣପତ୍ର : ଦୁର୍ବିପାକର ମୁକାବିଲା ପାଇଁ ସଦା ପ୍ରସ୍ତୁତ ଭେଙ୍କଟରାୟପୁର

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ତା ବ୍ଲକ୍ ଅନ୍ତର୍ଗତ ଭେଙ୍କଟରାୟପୁର (ବକ୍ସିପଲ୍ଲୀ)ର ଲୋକମାନେ ସୁନାମି ସର୍ତକତା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଛନ୍ତି। ଦେଶର ପ୍ରଥମ ଗ୍ରାମ ଭାବେ ଆନ୍ତର୍ଜାତିକ ପ୍ରମାଣପତ୍ର ହାସଲ କରିଛନ୍ତି। ସୁନାମି ଭଳି ଦୁର୍ବିପାକର ମୁକାବିଲା ପାଇଁ ଭେଙ୍କଟରାୟପୁର ଗ୍ରାମ ସର୍ବଦା ସଂପୂର୍ଣ୍ଣ ପ୍ରସ୍ତୁତ। ସମୁଦ୍ରତଟରେ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ତା, ଛତ୍ରପୁର, ଚିକିଟି, ଗଞ୍ଜାମ ଓ ଖଲ୍ଲିକୋଟ ଏହି ୫ଟି ବ୍ଲକର ଅନେକ ଗ୍ରାମ ରହିଛି। ଗତ ଡିସେମ୍ବର ୧୩ ତାରିଖରେ ରଙ୍ଗେଇଲୁଣ୍ତା ବ୍ଲକ ଅନ୍ତର୍ଗତ ବକ୍ସିପଲ୍ଲୀ ପଞ୍ଚାୟତର ଭେଙ୍କଟରାୟପୁର ଗ୍ରାମକୁ ଇଣ୍ତିଆନ୍ ଓସେନ୍ ସୁନାମି ରେଡ୍ଡୀ ଜାତୀୟ ବୋର୍ଡ଼ ସଦସ୍ୟ ତଥା ଅନ୍ତର୍ଜାତୀୟ ବିଶେଷଜ୍ଞ ଦଳର ୧୨ଜଣ ପ୍ରତିନିଧି ଆସି ଅନୁଧ୍ୟାନ କରିଥିଲେ। ୧୧ଟି ମାନଦଣ୍ତ ସୂଚକକୁ ଭିତ୍ତି କରି ୟୁନେସ୍କୋ ପକ୍ଷରୁ ଭେଙ୍କଟରାୟପୁର ଗ୍ରାମକୁ ସୁନାମି ରେଡ୍ଡୀ ଗ୍ରାମ ମାନ୍ୟତା ପ୍ରଦାନ କରାଯାଇଛି।

ଏହି ଅବସରରେ ଆଜି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ଭେଙ୍କଟରାୟପୁର ଗ୍ରାମକୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ୟୁନେସ୍କୋ–ଆଇ.ଓ.ସି ଦ୍ବାରା ସ୍ବୀକୃତି ପ୍ରଦାନ କରାଯାଇଛି। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଉପସ୍ଥିତିରେ ଭେଙ୍କଟରାୟପୁର ଗାଁର କମ୍ୟୁନିଟି ସଂପାଦକ କେ.ଆନ୍ନା ରାଓ ଏବଂ ମୁଖିଆ ଡି.ପଦ୍ମନାଭମ୍‌ଙ୍କୁ ୟୁନେସ୍କୋ-ଆଇ.ଓ.ସି ତରଫରୁ ମାନପତ୍ର ଓ କମ୍ୟୁନିଟିର ପୁରସ୍କାର ପ୍ରଦାନ କରାଯାଇଥିଲା। ଗ୍ରାମ୍ୟ ଗୋଷ୍ଠୀ ତଥା କମ୍ୟୁନିଟିକୁ ମଧ୍ୟ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା। ଭେଙ୍କଟରାୟପୁର ଗାଁକୁ ଆନ୍ତର୍ଜାତିକ ପ୍ରମାଣପତ୍ର ମିଳିବା ବିପର୍ଯୟ ପରିଚାଳନା ଦିଗରେ ଏକ ମାଇଲ୍‌ଖୁଣ୍ଟ ବୋଲି ଜିଲ୍ଲାପାଳ କହିଛନ୍ତି।

ଏହି ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତ ସରକାରଙ୍କ ମନ୍ତ୍ରଣାଳୟ ସଚିବ ଏମ୍.ରାଜୀବନ୍, ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରତିଷ୍ଠାନ ନୂଆଦିଲ୍ଲୀ ସଦସ୍ୟ ସଚିବ ଜି.ଭି.ଭି.ଶର୍ମା, ଓସ୍‌ଡ଼ମାର ଉଚ୍ଚପଦସ୍ଥ ଅଧିକାରୀମାନେ ଯୋଗ ଦେଇ ମାନପତ୍ର ପ୍ରଦାନ କରିଥିଲେ। ଜିଲ୍ଲାସ୍ତରୀୟ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ବକ୍ସିପଲ୍ଲୀ ସରପ‌ଞ୍ଚ ଡି.ଜ୍ୟୋତି, ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଡ.ଦିବ୍ୟଲୋଚନ ମହନ୍ତ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ପ୍ରଭୁ ପ୍ରସାଦ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରକାଶ ଥାଉ କି, ୩୧୨ ପରିବାର ବିଶିଷ୍ଟ ଭେଙ୍କଟରାୟପୁର ଗ୍ରାମ ସମୁଦ୍ରତଟରେ ଅବସ୍ଥିତ। ପୂର୍ବରୁ ବାରମ୍ବାର ବାତ୍ୟାକୁ ସାମ୍ନା କରି କ୍ଷୟକ୍ଷତିର ସମ୍ମୁଖୀନ ହୋଇଥିବା ଏହି ଗ୍ରାମବାସୀଙ୍କୁ ଏବେ ଓଡ଼ିଆରପି ଯୋଜନା ପକ୍ଷରୁ ପକ୍କା ଘର ଦିଆଯାଇଛି। ନୂଆ ବକ୍ସିପଲ୍ଲୀରେ ସେମାନେ ନୂଆ କରି ବସତି ସ୍ଥାପନ କରିଛନ୍ତି। ତେବେ ସେମାନେ ସମୁଦ୍ରରେ ମାଛ ମାରି ଜୀବିକା ଅର୍ଜନ କରୁଥିବାରୁ ସମୁଦ୍ର ତଟରେ ହିଁ ରହିଛନ୍ତି। ପକ୍କା ଘର ଯୋଗଁ ବାତ୍ୟାର ଭୟ ସିନା ଦୂର ହୋଇଛି କିନ୍ତୁ ସୁନାମିର ଭୟ ଦୂର ହୋଇନାହିଁ। ଏଣୁ ଗାଁରେ ବାତ୍ୟା ଆଶ୍ରୟସ୍ଥଳୀ ମଧ୍ୟ ନିର୍ମାଣ କରାଯାଇଛି।

ସମ୍ବନ୍ଧିତ ଖବର