ଆଜି ଘୋଷଯାତ୍ରା: ଦୁଇବର୍ଷ ପରେ ହେବ ଭକ୍ତ-ଭଗବାନଙ୍କ ଅପୂର୍ବ ମିଳନ

ସାଢ଼େ ୯ଟାରୁ ପହଣ୍ଡି, ୪ଟାରେ ରଥଟଣା, ସନ୍ଧ୍ୟା ୬ଟାରେ ହେଲା ପହୁଡ଼ ଆଳତି

ପୁରୀ : ବଡ଼ଦାଣ୍ଡରେ ଦୁଇବର୍ଷ ପରେ ଆଜି ପବିତ୍ର ଘୋଷଯାତ୍ରାରେ ପୁଣିଥରେ ଭକ୍ତ-ଭଗବାନଙ୍କ ଅପୂର୍ବ ମିଳନ ହେବ। ଘୋଷଯାତ୍ରାରେ ଦୁଇବର୍ଷ ଧରି ଖାଲିପଡ଼ିଥିବା ବଡ଼ଦାଣ୍ଡ ପୁଣିଥରେ ଜୟ ଜଗନ୍ନାଥ, ହରିବୋଲ, ହୁଳହୁଳି କୋଳାହଳରେ ପୂରିଉଠିବ। ରତ୍ନ ସିଂହାସନରୁ ଦର୍ଶନ ଦେଉଥିବା ମହାପ୍ରଭୁ ରଥ ଉପରୁ ଦର୍ଶନ ଦେବେ। ପାଖରୁ ଦର୍ଶନ କରି କାଳିଆ ସାଆନ୍ତଙ୍କ ସ୍ପର୍ଶ ଲଭିବେ ଲକ୍ଷ ଲକ୍ଷ ଭକ୍ତ। ଏଥିପାଇଁ ଉଭୟ ରଥ-ପଥ ପ୍ରସ୍ତୁତ ହୋଇସାରିଛି।

ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ପୂର୍ବରୁ ଗୁରୁବାର ଦିନ ରଥ ଆଜ୍ଞାମାଳ ବିଜେ ପରେ ତିନି ରଥ ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ବଜ ସିଂହଦ୍ବାର ଚକଡ଼ାକୁ ବିଜେ କରିଛନ୍ତି। ରଥଯାତ୍ରା ପାଇଁ ସ୍ବତନ୍ତ୍ର ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। ସକାଳୁ ମଙ୍ଗଳ ଆଳତି ସହ ଅନ୍ୟାନ୍ୟ ନୀତି ବଢ଼ିବା ପରେ ସାଢ଼େ ୯ଟାରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ‌ହେବ। ତିନିରଥରେ ଶ୍ରୀଜିଉଙ୍କ ରୁନ୍ଧା ସହ ଚାରମାଳ ଫିଟା ପରେ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ। ସେପଟେ ଦୁଇବର୍ଷ ଧରି ଭକ୍ତଙ୍କ ରଥଯାତ୍ରା ଦର୍ଶନରୁ ବଞ୍ଚିତ ଥିବାରୁ ଚଳିତବର୍ଷ ୧୫ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହେବା ପ୍ରାଥମିକ ଆକଳନ କରାଯାଇଛି। ସେହି ଅନୁଯାୟୀ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ୧୮୦ ପ୍ଲାଟୁନ ଫୋର୍ସ, ୧ହଜାର ପୁଲିସ ଅଧିକାରୀଙ୍କ ଉପରେ ଆଇନଶୃଙ୍ଖଳା ଦାୟିତ୍ବ ନ୍ୟସ୍ତ କରାଯାଇଛି। ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଆୟୋଜନ କରାଯାଇଛି।

ଚୂଡ଼ାନ୍ତ ନୀତି ଅନୁଯାୟୀ, ଆଜି ସକାଳ ୬ଟାରେ ମଙ୍ଗଳଆଳତି ପରେ ୬ଟା ୧୦ରେ ମଇଲମ, ସାଢ଼େ ୬ଟାରେ ତଡ଼ପଲାଗି ଓ ଅବକାଶ, ୭ଟା ୧୦ରେ ସୂର୍ଯ୍ୟପୂଜା, ସାଢ଼େ ୭ଟାରେ ଦ୍ବାରପାଳ ପୂଜା ଓ ବେଶ ଶେଷ, ୮ଟାରୁ ୯ଟା ଖେଚୁଡ଼ି ଭୋଗ ହେବ। ପରେ ସକାଳ ୯ଟାରେ ରଥ ପ୍ରତିଷ୍ଠା ହେବ। ୯ଟା ୧୫ରେ ମଙ୍ଗଳାର୍ପଣ ପରେ ସାଢ଼େ ୯ଟାରୁ ପହଣ୍ଡି ଆରମ୍ଭ ହୋଇ ସାଢ଼େ ୧୨ଟାରେ ପହଣ୍ଡି ଶେଷ ହେବ। ଅପରାହ୍ନ ସାଢ଼େ ୧୨ଟାରୁ ଗୋଟାଏ ଭିତରେ ମଦନମୋହନ, ଶ୍ରୀରାମ ଓ ଶ୍ରୀକୃଷ୍ଣ ରଥକୁ ବିଜେ କରିବେ। ସାଢ଼େ ୧ଟାରୁ ୨ଟା ଭିତରେ ଚିତା ଲାଗି, ସାଢ଼େ ୧ଟାରୁ ସାଢ଼େ ୨ଟା ଭିତରେ ବେଶ ଶେଷପରେ ସାଢ଼େ ୨ଟାରୁ ଛେରା ପହଁରା ଆରମ୍ଭ ହେବ। ସାଢ଼େ ୩ଟା ସୁଦ୍ଧା ଛେରା ପହଁରା ସରିବା ପରେ ଚାରମାଳ ଫିଟା, ଘୋଡ଼ା ଓ ସାରଥି ଲାଗି ୩ଟାରୁ ୪ଟା ଭିତରେ ଶେଷପରେ ଅପରାହ୍ନ ୪ଟାରୁ ରଥଟଣା ଆରମ୍ଭ ହେବ। ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନି ରଥ ପହଞ୍ଚିବା ପରେ ରଥ ଉପରେ ନୀତିକାନ୍ତି ଅନୁଷ୍ଠିତ ହେବ। ପରଦିନ ଶ୍ରୀଜିଉଙ୍କ ଶ୍ରୀଗୁଣ୍ଡିଚା ପହଣ୍ଡି ବିଜେ ନୀତି ଅନୁଷ୍ଠିତ ହେବ। ଅପରପକ୍ଷେ ଶୁକ୍ରବାର ରଥଯାତ୍ରା ପାଇଁ ପ୍ରସ୍ତୁତି ପୂର୍ବକ ସନ୍ଧ୍ୟା ୬ଟାରେପହୁଡ଼ ଆଳତି ହୋଇଛି। ପରେ ଶ୍ରୀମୁଖ ଖଣ୍ଡୁଆ, ବାହୁଟ କଣ୍ଟ ନୀତି ସମ୍ପନ୍ନ ହୋଇଛି। ରାତି ସାଢ଼େ ୮ଟାରେ ଆସନ୍ତାକାଲି ସକାଳ ପହଣ୍ଡି ପାଇଁ ସେନାପଟା ଲାଗି ଆରମ୍ଭ ହୋଇଛି। ବିଳମ୍ବିତ ରାତିରେ ସେନାପଟା ଲାଗି ପରେ ଶ୍ରୀଗୁଣ୍ଡିଚା ନୀତିକାନ୍ତି ଆରମ୍ଭ ହେବ।

ସମ୍ବନ୍ଧିତ ଖବର