ରାଷ୍ଟ୍ରପତିଙ୍କ ଭାଷଣରେ ବିଦ୍ୟୁତ୍‌ କଟିବା ପ୍ରସଙ୍ଗ: ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟପାଳ

ଭୁବନେଶ୍ବର: ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ (ଏମ୍‌ଏସ୍‌ସିବିୟୁ)ରେ ରାଷ୍ଟ୍ରପତିଙ୍କ ଭାଷଣ ବେଳେ ଗତ ୬ ତାରିଖ ଦିନ ବିଦ୍ୟୁତ କଟିଯିବା ପ୍ରସଙ୍ଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ରିପୋର୍ଟ ମାଗିଛନ୍ତି। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ ଏମ୍‌ଏସ୍‌ସିବିୟୁର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କୁ ରିପୋର୍ଟ ମାଗି ଆଗାମୀ ୭ ଦିନ ମଧ୍ୟରେ ଏହା ଦାଖଲ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ୪ ତାରିଖ ଠାରୁ ରାଷ୍ଟ୍ରପତି‌ ଦ୍ରୌପଦୀ ମର୍ମୁ ତିନିଦିନିଆ ମୟୂରଭଞ୍ଜ ଗସ୍ତରେ ଆସିଥିଲେ। ସେ ଗସ୍ତର ଅନ୍ତିମ ଦିନ (ଶନିବାର)ରେ  ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ। ରାଷ୍ଟ୍ରପତି ଦୀକ୍ଷାନ୍ତ ସମାରୋହରେ ଭାଷଣ ଦେବା ସମୟରେ ୯ ମିନିଟ୍‌ (ପୂର୍ବାହ୍ନ ୧୧ଟା ୫୬ ମିନିଟରୁ ୧୨ଟା ୫ ମିନିଟ) ଯାଏ ବିଦ୍ୟୁତ୍‌ କଟିଥିଲା। ଏହା ପରେ ବି ରାଷ୍ଟ୍ରପତି ନିଜର ଅଭିଭାଷଣ ଜାରି ରଖିଥିଲେ।

ତେବେ ରାଷ୍ଟ୍ରପତି ଅନ୍ଧାରରେ ରହିବା ଘଟଣାକୁ ନେଇ ରାଜ୍ୟ ପ୍ରଶାସନରେ ହୁଲସ୍ତୁଲ ହୋଇଛି। ଏହା ଅବଶ୍ୟ ଭିନ୍ନ କଥା ଯେ ଏଭଳି ଅନିଚ୍ଛାକୃତ ତ୍ରୁଟି ପାଇଁ ଶକ୍ତି ବିଭାଗ ଦୁଃଖ ପ୍ରକାଶ କରିଥିଲା। ସୂଚନା ଓ ଲୋକସଂପର୍କ ବିଭାଗ ମଧ୍ୟ ଏହି ଦୋଷକୁ ସ୍ବୀକାର କରିଛି। ତେବେ ଏଭଳି ବିଦ୍ୟୁତ୍ ବିଭ୍ରାଟକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି। ଏହି ଉତ୍ସବରେ ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍, ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ କୁଳପତି ସନ୍ତୋଷ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର