ଚ‌ାଷୀଙ୍କ ପାଇଁ ଚାପରେ ସରକାର, ଏମ୍‌ଏସ୍‌ପି ବଢ଼ାଇଲେ ଛତିଶଗଡ଼ ସରକାର

ଓଡ଼ିଶା ଉପରେ ଚାପ ବଢ଼ିଲା, ଋଣଛାଡ଼ ପ୍ରସ୍ତାବ ଅନୁଧ୍ୟାନ କରାଯାଉଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଋଣ ଛାଡ କରିବେ ନା ଚାଷୀଙ୍କୁ ବୋନସ ଦିଆଯିବ? ଅନ୍ୟ କୌଣସି ପଦକ୍ଷେପ ନେଲେ ଚାଷୀ ଖୁସି ହେବେ କି? ବିରୋଧୀଙ୍କ ମୁହଁ ବନ୍ଦ କରିବାର ରାସ୍ତା କଣ? ଏମିତି ମାଳ ମାଳ ପ୍ରଶ୍ନ ଏବେ ରାଜ୍ୟ ସରକାରଙ୍କ ଚିନ୍ତା ବଢାଇ ଦେଲାଣି। ପଡୋଶୀ ଛତିଶଗଡ କଂଗ୍ରେସ ସରକାର ଦାୟିତ୍ବ ନେବାର କେଇ ଘଣ୍ଟା ମଧ୍ୟରେ ପ୍ରତିଶ୍ରୁତି ପୂରଣ କରିବାକୁ ଯାଇ କୃଷି ଋଣ ଛାଡ ଓ ପରେ ପରେ ଧାନ ଉପରେ କ୍ବିଣ୍ଟାଲ ପିଛା ଅତିରିକ୍ତ ୭୫୦ ଟଙ୍କାର ବୋନସ ଘୋଷଣା କରିବା ପରେ ରାଜ୍ୟ ସରକାରଙ୍କ ଅଡୁଆ ବଢିଯାଇଛି। ସ୍ଥିତି ଏତେ ଗମ୍ଭୀର ଯେ ଯଦି ଦୁଇଟି ଯାକ ଦାବି ମାନି ନିଅନ୍ତି, ତେବେ ରାଜ୍ୟ ସରକାରଙ୍କ ଅର୍ଥନୀତି ଦୋହଲିଯିବ। ପାଖାପାଖି ୩୦ହଜାର କୋଟି ଟଙ୍କା ଦରକାର। ଯଦି ନ ମାନନ୍ତି, ତେବେ ଜନ ଆକ୍ରୋଶରୁ ବଞ୍ଚିବା କାଠିକର ପାଠ ହୋଇପାରେ। ବିରୋଧୀ ମାତିବେ ଓ ନିର୍ବାଚନ ସମୟରେ ଚାଷୀ ବିଜେଡି ଶଙ୍ଖ ଫୁଙ୍କିବା ବନ୍ଦି କରିଦେବାର ଭୟକୁ ଟାଳି ହେବ ନାହିଁ। ସ୍ଥିତିର ଗମ୍ଭୀରତାକୁ ଉପଲବ୍ଧି କରି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ଚାରିଚରିତ ଢଙ୍ଗରେ ମପାଚୁପା ଶବ୍ଦ ପ୍ରୟୋଗ କରି କହିଛନ୍ତି, ଋଣ ଛାଡ ପ୍ରସଙ୍ଗକୁ ସରକାର ଅନୁଧ୍ୟାନ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏଭଳି ସଙ୍କେତ ସୂଚାଇ ଦେଉଛି ଯେ ରାଜ୍ୟ ସରକାର କୃଷି ଋଣ ଛାଡ ପ୍ରସଙ୍ଗରୁ ଏଯାଏ ଓହରିନାହାନ୍ତି କିମ୍ବା ନିଶ୍ଚିତ ଛଡାଯିବ, ଏକଥା ବି ସ୍ଥିର ହୋଇନାହିଁ। ବର୍ଷେ ତଳେ ପଞ୍ଚାୟତ ନିର୍ବାଚନ ପରେ କୃଷି ଋଣ ଛାଡ ପାଇଁ ଚିନ୍ତା କରାଯାଉଛି ବୋଲି କହିଥିଲେ ନବୀନ। ତା ପରେ ଏ ପ୍ରସଙ୍ଗରେ ସରକାରୀସ୍ତରରେ କିଛି ବି ପଦକ୍ଷେପ ନିଆଯାଇନଥିଲା। ଏବେ ଯେହେତୁ ସାରା ଦେଶରେ କୃଷି ଋଣ ଛାଡ ପାଇଁ ପ୍ରତିଯୋଗିତା ଚାଲିଛି, ନବୀନ ମଧ୍ୟ ଏଥିରେ ସାମିଲ ହେବା ବିଚିତ୍ର ନୁହେଁ ବୋଲି ଗୋଟିଏ ମହଲ ବିଶ୍ବାସ କରୁଛନ୍ତି।

ରାଜ୍ୟ ସରକାରଙ୍କର ଜଣେ ଅଧିକାରୀ କହିଛନ୍ତି, ଯଦି ସରକାର କୃଷିଋଣ ଛାଡ କରିବା ପାଇଁ ନିଷ୍ପତ୍ତି ନିଅନ୍ତି ତେବେ ରାଜକୋଷ ଉପରେ ୨୬ହଜାର କୋଟି ଟଙ୍କାର ଆର୍ଥିକ ବୋଝ ପଡିପାରେ। ବର୍ତମାନ ସମୟରେ ରାଜ୍ୟ ଟ୍ରେଜେରି ଏତେ ବଡ ଚାପ ସମ୍ଭାଳିବା ସ୍ଥିତିରେ ନାହିଁ। ଏମିତିରେ ବି ମୂଳ ବା ଅତିରିକ୍ତ ବଜେଟରେ ଏଥିଲାଗି ଅର୍ଥ ବରାଦ ହୋଇନାହିଁ। ତେବେ ସରକାର ଚାହିଁଲେ ଏବେ ଘୋଷଣା କରିପାରନ୍ତି ଓ ଆସନ୍ତା ଆର୍ଥିକ ବର୍ଷରେ ଏଥିଲାଗି ଅର୍ଥ ବ୍ୟବସ୍ଥା କରାଯାଇପାରେ। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସରକାର ଏ କ୍ଷେତ୍ରରେ ଏକାଧିକ ଫର୍ମୁଲାକୁ ବିଚାରକୁ ନେଉଛନ୍ତି। ଯେମିତିକି ବଡ଼ ଚାଷୀଙ୍କୁ ଛାଡି କେବଳ ନାମମାତ୍ର ଚାଷୀଙ୍କ ଋଣ ଛାଡ କରାଯାଇପାରେ। ସମ୍ପୂର୍ଣ୍ଣ ନୁହେଁ, ବରଂ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ ହୋଇପାରେ। ସରକାରୀ ଦଳର ପ୍ରଭାବଶାଳୀ ଗୋଷ୍ଠୀ ଏକଥା ବି କହୁଛନ୍ତି ଯେ ଚାଷୀଙ୍କୁ ପେନସନ୍ ପ୍ରଦାନ ଏବଂ ଅନ୍ୟାନ୍ୟ ସୁବିଧା ଆଦି ଦେବା ଉପରେ ବି ସରକାରୀସ୍ତରରେ ଚିନ୍ତନ ଚାଲିଛି। କୃଷି ଋଣ ଛାଡ କଲେ ସବୁଦିନ ପାଇଁ ଚାଷୀଙ୍କୁ ବିପଦରୁ ମୁକାଳି ହେବନି ଏବଂ ଏହାଦ୍ବାରା ଚାଷୀଙ୍କୁ ବ୍ୟକ୍ତିଗତ ଭାବେ ଲାଭ କମ ମିଳିବ। ଏଣୁ ସେମାନଙ୍କ ପକେଟକୁ ସିଧା ସିଧା କିଛି ଅର୍ଥ କିଭଳି ଯିବ, ତାହା ଉପରେ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି। ଠିକ୍ ଏମିତି ଏକ ସମୟରେ ଛତିଶଗଡ ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୭୫୦ ବଢାଇ ୨୫୦୦ ଟଙ୍କା କରିଦେଇଛନ୍ତି। ଏହା ରାଜ୍ୟ ସରକାରଙ୍କ ଉପରେ ଚାପ ଦ୍ବିଗୁଣିତ କରିଦେଇଛି। । ପରିସ୍ଥିତିକୁ ସମ୍ଭାଳିବାକୁ ଯାଇ ଆଜି କେନ୍ଦ୍ର ସରକାରଙ୍କୁ ଉପରକୁ ଏହି ପ୍ରସଙ୍ଗଟିକୁ ଫିଙ୍ଗି ଦେଇଛନ୍ତି ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର। କହିଛନ୍ତି, କେନ୍ଦ୍ର ସରକାରଙ୍କ ନିୟମ ପାଇଁ ହିଁ ରାଜ୍ୟ ସରକାର ଚାଷୀଙ୍କ ବୋନସ ବଢ଼ାଇପାରୁ ନାହାନ୍ତି । ରାଜ୍ୟ ସରକାର ନିଜ ଇଛାରେ କେବେ ବି ଏମଏସପି ଠାରୁ ଅଧିକ ମୂଲ୍ୟ ଚାଷୀଙ୍କୁ ଦେଇପାରିବେ ନାହିଁ। ଏ କଟକଣା କେନ୍ଦ୍ର ହିଁ ଲଗାଇଛି। ଛତିଶଗଡ଼ର ପୂର୍ବତନ ରମଣ ସିଂହ ସରକାର କେନ୍ଦ୍ର ଗାଇଡ଼ଲାଇନ୍ ଉଲଙ୍ଘନ କରି ଚାଷୀଙ୍କୁ କ୍ବିଣ୍ଟାଲ ପିଛା ୩୦୦ ଟଙ୍କା ବୋନସ ଦେଉଥିଲେ । ପରେ ଆମେ ଏନେଇ କେନ୍ଦ୍ର ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ମାଗିଥିଲୁ ଏବଂ ଛତିଶଗଡ଼ ଏହାକୁ ବନ୍ଦ କରିଦେଇଛି । ଶ୍ରୀ ପାତ୍ର କହିଛନ୍ତି, କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ କୌଣସି ରାଜ୍ୟ ଏମଏସପି ଠାରୁ ଅଧିକ ମୂଲ୍ୟ ଚାଷୀଙ୍କୁ ଦେଇପାରିବ ନାହିଁ । ଯଦି ଏଭଳି କେହି କରନ୍ତି, ତେବେ ସେହି ରାଜ୍ୟର ଚାଉଳ ଅନ୍ୟରାଜ୍ୟକୁ ରପ୍ତାନୀ କରାଯାଇ ପାରିବ ନାହିଁ ବୋଲି କେନ୍ଦ୍ର କଟକଣା ଜାରି କରିଛି। । ଏବେ ଯଦି ଛତିଶଗଡ଼ କଂଗ୍ରେସ ସରକାର ଚାଷୀଙ୍କୁ ଦେବା ପାଇଁ ଘୋଷଣା କରିଛନ୍ତି ତେବେ ଏହା କେଉଁ ଆଧାରରେ କରିବେ ସେ ନେଇ ମଧ୍ୟ କେନ୍ଦ୍ର ସରକାରଙ୍କୁ ସ୍ପଷ୍ଟୀକରଣ ମଗାଯିବ।

ଏ ପ୍ରସଙ୍ଗରେ ସରକାରୀ ଅଧିକାରୀମାନଙ୍କର କହିବା କଥା ହେଉଛି, ଛତିଶଗଡ ସରକାର ଧାନ କ୍ରୟର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୨୫୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ଓଡିଶା ସରକାର ଯଦି ଛତିଶଗଡ ଦରରେ ଧାନ କିଣିବେ ତା’ହେଲେ ୪୦୦୦ କୋଟି ଟଙ୍କାରୁ ଅଧିକ ଅତିରିକ୍ତ ଖର୍ଚ୍ଚ ହେବ । ଆଉ ଯଦି ରାଜ୍ୟ ସରକାର ନିଜ ଦାବି ମୁତାବକ ଅର୍ଥାତ୍ କ୍ବିଣ୍ଟାଲ ପିଛା ୨୯୫୦ ଟଙ୍କାରେ ଧାନ କିଣିବେ ତେବେ ୬୦୦୦ କୋଟି ଟଙ୍କାରୁ ଅଧିକ ବ୍ୟୟ ହେବ । ଅର୍ଥାତ୍ ଉଭୟ ଘୋଷଣା ରାଜ୍ୟ ସରକାର ମାନିନେଲେ ୩୦ହଜାର କୋଟି ଟଙ୍କା ଆବଶ୍ୟକ। ଏହାଦ୍ବାରା ରାଜ୍ୟ ଅର୍ଥନୀତି ଭୁଶୁଡିଯିବ ଓ ରାଜ୍ୟରେ ବିକାଶ ପ୍ରକ୍ରିୟା ଠପ୍ ହୋଇଯିବାର ଭୟ ରହିଛି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଉତ୍ତର ପ୍ରଦେଶ, ପଞ୍ଜାବ, ମହାରାଷ୍ଟ୍ର,ତେଲେଙ୍ଗାନା, ଆନ୍ଧ୍ର, ରାଜସ୍ଥାନ ଆଦି ରାଜ୍ୟ କୃଷକଙ୍କ ଋଣଛାଡ କରିସାରିଛନ୍ତି । ଏସବୁ ୭ ରାଜ୍ୟ ସରକାର ୧ଲକ୍ଷ ୮୦ ହଜାର କୋଟିର କୃଷି ଋଣ ଛାଡ କରିଛନ୍ତି । ସଦ୍ୟ ନିର୍ବାଚନ ହୋଇଥିବା ମଧ୍ୟପ୍ରଦେଶ ଓ ଛତିଶଗଡ କୃଷକଙ୍କ ଋଣ ଛାଡ କଥା ଘୋଷଣା କରିବା ପରେ ଏହାର ପରିମାଣ ଆହୁରି ବଢିଯିବ। ଯେହେତୁ ଏଭଳି ଘୋଷଣା ଭୋଟରେ ପ୍ରତିଫଳନ ହେଉଛି ବୋଲି ରାଜନୈତିକ ଦଳ ଧରି ନେଇଛନ୍ତି, ଏଣୁ ଓଡ଼ିଶାରେ ମଧ୍ୟ ବିଜେପି ଓ କଂଗ୍ରେସ ଏହି ରାସ୍ତା ଆପଣାଇଛନ୍ତି। ୨୦୧୭-୧୮ରେ ରାଜ୍ୟରେ ଖରିଫ ଓ ରବିରେ ୧୧ ହଜାର କୋଟି ଏବଂ ଏ ବର୍ଷ ଖରିଫ ଋତରେ ଚାଷୀଙ୍କୁ ୭ ହଜାର କୋଟି ଋଣ ଦିଆଯାଇଥିବା ସରକାରୀ ପରିସଂଖ୍ୟାନ କହୁଛି। ୨୦୧୫ ସୋହେଲା ସମାବେଶରେ ଚାଷୀଙ୍କୁ ୧୦୦ଟଙ୍କା ବୋନସ ମିଳିବ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ ବୋଲି ବିରୋଧୀ ବାରମ୍ବାର ସମାଲୋଚନା କରୁଛନ୍ତି। ତେବେ ଅର୍ଥନୀତିଜ୍ଞମାନେ କହିବା କଥା, ଚାଷୀଙ୍କୁ ବୋନସ ଦେଇ ବି ଛତିଶଗଡରୁ ରମଣ ସିଂ ସରକାର ବିଦା ହୋଇଛନ୍ତି। ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ବିକଳ୍ପ କୌଣସି ସୂତ୍ରରେ ଚାଷୀଙ୍କୁ ଖୁସି କରିବେ ନା କୃଷକଙ୍କ ଭୋଟ ହାତେଇବା ପାଇଁ ରାଜ୍ୟ ଅର୍ଥନୀତିକୁ ବିପର୍ଯ୍ୟୟ ମୁହଁକୁ ଠେଲିଦେବେ, ତାହା ଉପରେ ନଜର ରଖାଯାଇଛି।

ସମ୍ବନ୍ଧିତ ଖବର