ଗୁପ୍ତେଶ୍ୱର ଦର୍ଶନ ପାଇଁ ଯାଇ ସହପାଠୀଙ୍କ ଅସ୍ବାଭାବିକ ମୃତ୍ୟୁ

ବୈପାରିଗୁଡା:କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକରେ ଥିବା ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ଦର୍ଶନ ପାଇଁ ସହପାଠୀଙ୍କ ସହ ଆସିଥିବା ଜଣେ ଯୁବକଙ୍କ ରବିବାର ଅସ୍ବାଭାବିକ ମୃତ୍ୟୁ ଘଟିଛି। ଏମ୍.ସି.ଏ. ପଢୁଥିବା ୬ଜଣ ସହପାଠୀ ଏବଂ ସହପାଠିନୀ ଗୁପ୍ତେଶ୍ୱରଙ୍କ ଦର୍ଶନ ପାଇଁ ଯୋଜନା କରିଥିଲେ। ପାରଳାଖେମୁଣ୍ଡିର ପ୍ରଶାନ୍ତ ନାୟକ (୨୮) ଏବଂ ଫୁଲବାଣୀର ସଂବିତ୍ ରାଜ ନାୟକଙ୍କ ସହ ଭୁବନେଶ୍ୱର, ଗୋପାଳପୁର ଏବଂ ବ୍ରହ୍ମପୁରରୁ ୪ଜଣ ସହପାଠିନୀ ମଧ୍ୟ ସେମାନଙ୍କ ସହ ଯୋଗ ଦେଇଥିଲେ। ଶନିବାର ସେମାନେ ସେମିଳିଗୁଡା ଠାରେ ରାତ୍ରୀଯାପନ କରିଥିଲେ। ପ୍ରଶାନ୍ତ ଏବଂ ସଂବିତ୍ ଲର୍ଜିଂରେ ରହିଥିବା ବେଳେ ଝିଅ ୪ଜଣ ପୂର୍ବ ପରିଚିତ ଜଣେ ଝିଅଙ୍କ ଘରେ ରହିଥିଲେ। ରବିବାର ସମସ୍ତେ କାରଟିଏ ଭଡ଼ା କରି ଗୁପ୍ତେଶ୍ୱର ଦର୍ଶନ ପାଇଁ ଯାଇଥିଲେ। ଦର୍ଶନ ପରେ ତଳକୁ ଫେରିବା ପରେ ପ୍ରଶାନ୍ତ ତାଙ୍କ ଦେହ ହାତ ଥରୁଥିବା ଏବଂ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା କହିଥିଲେ।

ତେବେ ପ୍ରଶାନ୍ତଙ୍କୁ ବିଶ୍ରାମ ନେବାପାଇଁ କହିବା ପରେ ପ୍ରଶାନ୍ତ ପାଣି ଏବଂ ଦହି ପିଇ ବିଶ୍ରାମ ନେଇଥିଲେ। ଦୁଇ ଜଣ ଝିଅ ସାବେରୀ ନଦୀ କୂଳକୁ ବୁଲିବା ପାଇଁ ଯାଉଥିବା ବେଳେ ଅନ୍ୟମାନେ ପ୍ରଶାନ୍ତଙ୍କ ପାଖରେ ବସିଥିଲେ। ତେବେ ପ୍ରଶାନ୍ତ ଛାତିରେ ଯନ୍ତ୍ରଣା ଅଧିକ ହେଉଥିବା ପ୍ରକାଶ କରିବାରୁ କାର୍ ଯୋଗେ ରାମଗିରି ଡାକ୍ତରଖାନାକୁ ଆଣିଥିଲେ। ତେବେ ଡ଼ାକ୍ତର ରକ୍ତଚାପ କମିଯିବା ସହ ଅମ୍ଳଜାନ ସ୍ତର କମି ଯାଉଥିବା କହି ତୁରନ୍ତ ବୈପାରିଗୁଡା ଡାକ୍ତରଖାନାକୁ ନେଇଯିବା ପାଇଁ ପରାମର୍ଶ ଦେଇଥିଲେ। ବୈପାରିଗୁଡା ଡାକ୍ତରଖାନାରେ ପହଞ୍ଚିବା ପରେ ପ୍ରଶାନ୍ତଙ୍କର ମୃତ୍ୟୁ ହୋଇଯାଇଥିବା ଡ଼ାକ୍ତର ପ୍ରକାଶ କରିଥିଲେ। ବୈପାରିଗୁଡା ପୁଲିସ ଏଏସ୍ଆଇ ମୋତି ସିଂ ନାୟକ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିଛନ୍ତି। ସୋମବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ ପ୍ରକାଶ କରିଛି। ପ୍ରକାଶ ଥାଉ କି, ପ୍ରଶାନ୍ତଙ୍କର ବୟସ ମାତ୍ର ୨୮ ବର୍ଷ ହୋଇଥିବା ବେଳେ ସେ କୋଲକାତାରେ ଟିଡବ୍ଲୁସି କମ୍ପାନୀରେ ଚାକିରି କରୁଥିଲେ। ସହପାଠୀଙ୍କ ଏଭଳି ଅକାଳ ମୃତ୍ୟୁରେ ଅନ୍ୟମାନେ ମର୍ମାହତ ହୋଇ ପଡିଛନ୍ତି। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଡାକ୍ତର ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର