ଓଡ଼ିଶୀ ଗବେଷଣା କେନ୍ଦ୍ରରେ ନିଯୁକ୍ତି ପାଇବେ ୩ ଗୁରୁ

ଶାସ୍ତ୍ରୀୟତା ବଜାୟ ରଖିବେ, ପ୍ରତି ଜିଲ୍ଲାରୁ ‘ଉତ୍କର୍ଷ’ ଖୋଜିବେ, ମୁଖ୍ୟ ନିର୍ବାହୀ ପଦବି ପାଇଁ ଆବେଦନ ଶେଷ

ଭୁବନେଶ୍ବର : ବଦଳିବ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର କାର୍ଯ୍ୟପ୍ରଣାଳୀ। ପ୍ରାୟ ୧ ବର୍ଷ ୩ ମାସ ପରେ ‌ଗବେଷଣା କେନ୍ଦ୍ରକୁ ମିଳିବ ସ୍ଥାୟୀ ମୁରବି। ଖୁବ୍‌ଶୀଘ୍ର କେନ୍ଦ୍ରରେ ନିଯୁକ୍ତି ପାଇବେ ନୂଆ ମୁଖ୍ୟ ନିର୍ବାହୀ। ଏଥିସହ ଓଡ଼ିଶୀ ସଙ୍ଗୀତ ଓ ନୃତ୍ୟର ପ୍ରଚାରପ୍ରସାର ଉଦ୍ଦେଶ୍ୟରେ ପ୍ରଥମଥର ପାଇଁ କେନ୍ଦ୍ରରେ ଯୋଗ ଦେବେ ୩ ନୂଆ ଗୁରୁ। ମୁଖ୍ୟ ନିର୍ବାହୀ ନିଯୁକ୍ତି ପାଇଁ ପ୍ରାୟ ୧୦ ଜଣ ଆବେଦନ କରିଥିବା ବେଳେ ଏବେ ସର୍ଚ କମିଟି ଗଠନ ପ୍ରକ୍ରିୟା ତ୍ବରାନ୍ବିତ ହେଉଛି। ସର୍ଚ କମିଟି ନାମ ସୁପାରିସ କରିବା ପରେ ସରକାର ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ନିଯୁକ୍ତି କରିବେ।

ଏଥିସହ ଓଡ଼ିଶୀ ନୃତ୍ୟ, ସଙ୍ଗୀତ ତଥା ଗବେଷଣା ଓ ପ୍ରକାଶନ ପାଇଁ ୩ ଗୁରୁଙ୍କୁ ନିଯୁକ୍ତି ଦିଆଯିବ। ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତର ଧାରାକୁ ବଜାୟ ରଖିବା, ଏହାର ଶାସ୍ତ୍ରୀୟତାକୁ ପ୍ରଚାର ପ୍ରସାର କରିବା, ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତର ଗବେଷଣା, ପ୍ରକାଶନ ଓ ଅନ୍ୟାନ୍ୟ ଆକଶ୍ୟକତାକୁ ଦେଖି କାର୍ଯ୍ୟ ତ୍ବରାନ୍ବିତ କରିବା, ଭବିଷ୍ୟତରେ ଓଡ଼ିଶୀ ପରମ୍ପରାକୁ ଆଗକୁ ବଢ଼ାଇବା, ବିଶେଷଜ୍ଞମାନଙ୍କୁ ଡାକି ସମୟ ସମୟରେ ବିଭିନ୍ନ କର୍ମଶାଳା କରିବା, ପ୍ରତି ଜିଲ୍ଲାରୁ ଅନ୍ତତଃ ପକ୍ଷେ ଗୋଟିଏ ଗୋଟିଏ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ମାହିର ‘ଉତ୍କର୍ଷ’ ଖୋଜିବା ଆଦି ଦାୟିତ୍ବ ଗୁରୁମାନଙ୍କ ଉପରେ ନ୍ୟସ୍ତ ରହିବ। ଏହି ଗୁରୁମାନଙ୍କୁ ନିଯୁକ୍ତି ପାଇଁ ଗବେଷଣା କେନ୍ଦ୍ର ପକ୍ଷରୁ ସାକ୍ଷାତକାର ଓ ସମସ୍ତ ଔପଚାରିକତା ଶେଷ ହୋଇଛି।

ସୂଚନାଯୋଗ୍ୟ, କେନ୍ଦ୍ରର ପୂର୍ବତନ ମୁଖ୍ୟ ନିର୍ବାହୀ ସଙ୍ଗୀତା ଗୋସାଇଁଙ୍କ କାର୍ଯ୍ୟକାଳ ୨୦୨୧ ଜୁନ୍‌ରେ ଶେଷ ହୋଇଥିବା ବେଳେ ଆଉ ୬ ମାସ ଅର୍ଥାତ୍‌ ଡିସେମ୍ବର ୩୧ ତାରିଖ ଯାଏ ତାଙ୍କ କାର୍ଯ୍ୟକାଳକୁ ବଢ଼ା ଯାଇଥିଲା। ଏହା ମଧ୍ୟରେ ମୁଖ୍ୟ ନିର୍ବାହୀଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇ ନଥିବାରୁ ଓ ନୂଆ ମୁଖ୍ୟ ନିର୍ବାହୀ ନିଯୁକ୍ତି ପାଇ ନଥିବା କାରଣରୁ ୨୦୨୨ ଜାନୁଆରିରୁ ଆଜି ପର୍ଯ୍ୟନ୍ତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟଙ୍କୁ ଓଡ଼ିଶୀ ଗବେଷଣା କେନ୍ଦ୍ରର ଭାରପ୍ରାପ୍ତ ମୁଖ୍ୟ ନିର୍ବାହୀ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଥିଲା।

ସମ୍ବନ୍ଧିତ ଖବର