ଧାନ ଯନ୍ତ୍ରଣା : କେନ୍ଦ୍ରାପଡ଼ା ଜିଲ୍ଲାରେ ଅଧା ଚାଷୀ ବିକ୍ରି କରିପାରିନାହାନ୍ତି

କେନ୍ଦ୍ରାପଡ଼ା : ଆଉ ଦୁଇ ସପ୍ତାହ ପରେ ବନ୍ଦ ହେବ ଧାନ ମଣ୍ଡି। କିନ୍ତୁ ଏଯାଏ କେନ୍ଦ୍ରାପଡ଼ା ଜିଲ୍ଲାରୁ ଅଧା ଚାଷୀ ବିକି ପାରିନାହାନ୍ତି ଧାନ।

ଚଳିତ ବର୍ଷ ମୋଟ୍‌ ୪୦ହଜାର ୫୩୨ଚାଷୀ ମଣ୍ଡିରେ ଧାନ ବିକିବାକୁ ନାଁ ପ˚ଜୀକରଣ କରିଥିଲେ। ଏହି କ୍ରମରେ ୨୦୨୦, ଡିସେମ୍ବର ୨୮ରୁ ଧାନ କିଣା ଆରମ୍ଭ ହେଲା ଏବଂ ଏଥିନିମନ୍ତେ ୧୧୮ଟି ସୋସାଇଟିରେ ମଣ୍ଡି ବ୍ୟବସ୍ଥା କରାଯାଇଥିଲା। ଗୋଟିଏକୁ ଛାଡ଼ି ଦେଲେ ୧୧୭ଟି ସୋସାଇଟିରେ ଆଜି ସୁଦ୍ଧା ୮ଲକ୍ଷ ୯୮ହଜାର ୩୧୪.୦୭କୁଇଣ୍ଟାଲ୍‌ ଧାନ କିଣି ସାରିଲେଣି। କିନ୍ତୁ ବଡ଼ କଥା ‌ହେଉଛି, ବିକିଥିବା ଚାଷୀ ସ˚ଖ୍ୟା ଅଧା ବି ଛୁଇଁନି। ରେକର୍ଡ କହୁଛି, ଆଜି ସୁଦ୍ଧା ୨୧ ହଜାର ୪୫୩ଜଣ ଚାଷୀ ଧାନ ଦେଇଥିବା ବେଳେ ଆହୁରି ୧୯ହଜାର ୭୯ଚାଷୀ ଅପେକ୍ଷାରେ ଅଛନ୍ତି। ସେମାନଙ୍କ ମଧୢରୁ ଏମିତି ଅନେକ ଚାଷୀ ଅଛନ୍ତି, ଯେଉଁମାନଙ୍କ ଟୋକନ୍‌ ଅବଧି ସରିଗଲାଣି।

ମହାକାଳପଡ଼ା ବ୍ଲକ୍ ଅଳେଇଲୋ ସୋସାଇଟିର ଚାଷୀ ବସନ୍ତ ନାୟକଙ୍କ ଉଦାହରଣ ଭାବେ ନିଆଯାଉ। ତାଙ୍କର ୪୮କୁଇଣ୍ଟାଲ୍‌ ଧାନ ବିକିବା ପାଇଁ ଟୋକନ୍ ଆସିଥିଲା। ହେଲେ ସେ ଗୋଟିଏ କୁଇଣ୍ଟାଲ୍‌ ଧାନ ବି ମଣ୍ଡିରେ ଦେଇପାରିଲେ ନାହିଁ। ଟାର୍ଗେଟ ନାହିଁ କହି ବାରମ୍ବାର ତାଙ୍କୁ ସୋସାଇଟି ସଂପାଦକ ଫେରା‌ଇଲେ। ପରିଣାମ ହେଲା, ଗତକାଲି ୧୩ତାରିଖରେ ୪୦କୁଇଣ୍ଟାଲ୍‌ ଏବଂ ଆଜି ଆଉ ୮କୁଇଣ୍ଟାଲ୍‌ ଟୋକନ୍ ଅବଧି ସରିଗଲା ପଛେ ସେ ଦେଇପାରିଲେ ନାହିଁ। ହାଣ୍ଡିରୁ ଗୋଟିଏ ଭାତ ଚିପିବା ଭଳି ଯଦି ଚାଷୀ ବସନ୍ତଙ୍କୁ ଉଦାହରଣ ଭାବେ ନେବା, ତେବେ ସାରା ଜିଲ୍ଲାରେ ଏଭଳି ହଜାର ହଜାର ଚାଷୀ ଶେଷ ଯାଏ ଅପେକ୍ଷା କରି କରି ଟୋକନ୍ ଅବଧି ସରିଗଲା ପଛେ ଧାନ ଦେଇପାରିଲେ ନାହିଁ।

ସେପଟେ କିନ୍ତୁ ଟାର୍ଗେଟ ନ ଥିବା ଆଳ ଦେଖାଉଥିବା ସୋସାଇଟି ସଂପାଦକମାନେ ଚାଷୀ ଟୋକନ୍‌ରେ ବେପାରୀଙ୍କ ଧାନ ବିକିବାରେ ଆଦୌ ପଛଘୁଞ୍ଚା ଦେଉନାହାନ୍ତି, ଏ ଘଟଣା ମହାକାଳପଡ଼ା ଅମେଇପାଳ ସୋସାଇଟିରୁ ଧରାପଡ଼ିଯାଇଛି।

ଅନ୍ୟପକ୍ଷରେ ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତଙ୍କ କହିବା କଥା ହେଉଛି, ଯେତିକି ଚାଷୀଙ୍କ ନାଁ ପ˚ଜିକୃତ ହୋଇଥାଏ, ବାସ୍ତବରେ ସମସ୍ତେ ଧାନ ଦିଅନ୍ତି ନାହିଁ। ବିଗତ ବର୍ଷମାନଙ୍କର ରେକର୍ଡ ଏୟା କହୁଛି। ଗତବର୍ଷ ୧୮ହଜାର ଚାଷୀ ଧାନ ବିକିଥିଲେ। ମାତ୍ର  ଏ ବର୍ଷ ୨୧ହଜାର ଅଧିକ ଦେଇସାରିଲେଣି। ସରକାରଙ୍କ ନିର୍ଦେଶାନୁସାରେ ମାର୍ଚ୍ଚ ଶେଷ ଯାଏ ଧାନ କିଣା ଚାଲିବ ବୋଲି ଶ୍ରୀ ଗନ୍ତାୟତ କହିଛନ୍ତି।

ସମ୍ବନ୍ଧିତ ଖବର