ଚେତିଲା ଜିଲ୍ଲା ପ୍ରଶାସନ: ଦୁଇଦିନ ପାଇଁ ଧବଳେଶ୍ୱର ଝୁଲାପୋଲ ବନ୍ଦ

କଟକ: ଗୁଜୁରାଟ ମୋର୍ବିରେ ଝୁଲାପୋଲ ଅଘଟଣ ଘଟିବା ପରେ ଚେତିଲା କଟକ ଜିଲ୍ଲା ପ୍ରଶାସନ। କଟକର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ଠାରେ ଥିବା ଝୁଲା ପୋଲର ଯାଞ୍ଚ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ଚତୁର୍ଥ ସୋମବାର ଥିବାରୁ ଧବଳେଶ୍ବରରେ ଭକ୍ତଙ୍କର ପ୍ରବଳ ଭକ୍ତଙ୍କ ସମାବେଶକୁ ଦୃଷ୍ଟିରେ ରଖି ଝୁଲା ପୋଲରେ ୨୦୦ ଜଣ ଲୋକଙ୍କ ଯାତାୟତ କରିବାକୁ କଟକଣା କରାଯାଇଛି। ତେବେ ଏହାର ଯାଞ୍ଚ ପାଇଁ ଏଡିଏମ ଙ୍କ ନେତୃତ୍ୱରେ ଏକ ଟିମ ଆଜି ଧବଳେଶ୍ବର ଗ୍ରସ୍ତ କରିବେ। ଆଜି ରାତିଠାରୁ ଆସନ୍ତାକାଲି ଝୁଲା ପୋଲ ବନ୍ଦ ରହିବ ବୋଲି କଟକ ଜିଲ୍ଲାପାଳ କହିଛନ୍ତି। ଅଧିକ ଲୋକ ଯାତାୟାତ ଉପରେ କଟକଣାବି ଲାଗୁ କରାଯାଇଛି। ସେହିପରି ଆସନ୍ତାବର୍ଷ ମଧ୍ୟରେ ନୂତନ ପୋଲର କାର୍ଯ୍ୟ ଶେଷ ହେଲେ ଭକ୍ତମାନେ ଉପକୃତ ହେବେ।

ପୂର୍ବରୁ ୬୦୦ ଲୋକ ଯିବାର ଅନୁମତି ଥିବା ବେଳେ ବର୍ତ୍ତମାନ ଏହାକୁ୨୦୦କୁ କମାଇ ଦିଆଯାଇଛି। ଯେହେତୁ ଝୁଲା ପୋଲର କ୍ଷମତା ଦିନକୁ ଦିନ କମିବାରେ ଲାଗୁଛି ଓ ଏହାର କିଛି ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ସେ ଦିଗରୁ ମଧ୍ୟ ପ୍ରଶାସନ ସଜାଗ ରହିଛି। ନିୟମିତ ବ୍ୟବଧାନରେ ମରାମତି କାର୍ଯ୍ୟ କରାଯାଉଥିବା ବେଳେ ମଧ୍ୟ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଶ୍ରଦ୍ଧାଳୁ ମାନଙ୍କୁ ଧବଳେଶ୍ୱର ପୀଠ ଯିବା ପାଇଁ ଡଙ୍ଗାର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହା ସହ ଯେଉଁ ଶ୍ରଦ୍ଧାଳୁମାନେ ନିହାତି ଆବଶ୍ୟକ, ଅର୍ଥାତ୍ ଯିଏ ସବୁ ହବିଷ୍ୟାଳୀ ଅଛନ୍ତି କି ମାନସିକଧାରୀ ଅଛନ୍ତି ସେହିମାନେ ହିଁ ଆସିବା ପାଇଁ ଅନୁରୋଧ କରାଯାଇଛି। କାରଣ ଅଧିକ ଲୋକ ସମାଗମ ହେଲେ ଭିଡ ନିୟନ୍ତ୍ରଣ କରିବା ସମ୍ଭବ ହେବ ନାହିଁ ବୋଲି ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର