ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ : ୧୩ ପର୍ଯ୍ୟନ୍ତ ଲଗାଣ ବର୍ଷା, ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ଏସ୍‌ଆରସି ନିର୍ଦ୍ଦେଶ

ଭୁବନେଶ୍ୱର : ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ୩.୬ରୁ ୫.୮ କିମି ଉଚ୍ଚତାରେ ରହିଛି। ଏହାର ପ୍ରଭାବରେ ଆସନ୍ତାକାଲି ଅର୍ଥାତ ରବିବାର ଉତ୍ତର ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ଫଳରେ ଆସନ୍ତାକାଲିଠାରୁ ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୦ ଓ ୧୧ ତାରିଖ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ଦୁଇ ଦିନ ପା‌ଇଁ ଅରେଞ୍ଜ ୱାର୍ଣ୍ଣିଂ ମଧ୍ୟ ଜାରି ହୋଇଛି। ଏହି ସମୟରେ ପ୍ରବଳ ବର୍ଷା ଓ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିପାରେ। ଏଣୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଭିତରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି। ଅନ୍ୟପକ୍ଷରେ ଯେ କୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ସ୍ବତନ୍ତ୍ର ରିଲିଫ କମିସନର ଆଜି ପୁଣି ଥରେ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ବାସ କହିଛନ୍ତି, ଆସନ୍ତାକାଲି ସୁଦ୍ଧା ଉତ୍ତର ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଯିବ। ଅନ୍ୟପଟେ ମୌସୁମୀ ଟ୍ରଫ୍‌ ଲାଇନ୍‌ ଏବେ ସ୍ବାଭାବିକ ସ୍ଥାନରେ ରହିଛି। ଉଭୟ କାରଣରୁ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷିବ। ଆସନ୍ତାକାଲିଠାରୁ ବର୍ଷାର ପରିମାଣ ବଢ଼ିବ। ଏଥିସହ କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, କୋରାପୁଟ, ଗଜପତିରେ ପ୍ରବଳରୁ ଅତିପ୍ରବଳ ବର୍ଷିବ ଏବଂ ରାୟଗଡ଼ା, ମାଲକାନଗିରି, ଗଞ୍ଜାମ, ବଲାଙ୍ଗୀର ଓ ବରଗଡ଼ ଆଦି ଜିଲ୍ଲାରେ ବି। ଏ ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

୧୦ ତାରିଖ ଦିନ ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଏହି ସବୁ ଜିଲ୍ଲାଗୁଡ଼ିକ ହେ‌ଲା, ମାଲକାନଗିରି, କୋରାପୁଟ, ବଲାଙ୍ଗୀର, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ନୂଆପଡ଼ା। ଏଥିସହ ‌କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର ‌ଗୋଟିଏରୁ ଦୁଇଟି ସ୍ଥାନରେ ଅତିରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ୭ଟି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ୧୦ ତାରିଖରେ ରାୟଗଡ଼ା, ନୟାଗଡ଼, ଗଜପତି, ବୌଦ୍ଧ ଓ ବରଗଡ଼ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା (ୟେଲା ଵାର୍ଣ୍ଣିଂ) ସମ୍ଭାବନା ରହିଛି।

୧୧ ତାରିଖ ଦିନ ପାଇଁ ମଧ୍ୟ ୪ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲାଗୁଡ଼ିକ ଯଥା, ମା‌ଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ନୂଆପଡ଼ା । କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ ଓ ସମ୍ବଲପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୨ ତାରିଖ ଦିନ ବରଗଡ଼, ସମ୍ବଲପୁର, ସୋନପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ବରଗଡ଼, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ଏସ୍‌ଆର୍‌ସି ଜଣାଇଛନ୍ତି, ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ୟେଲୋ ଓ ଅରେଞ୍ଜ୍‌ ସତର୍କତା ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିବେ।

ସମ୍ବନ୍ଧିତ ଖବର