୩ରୁ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଧାରଣା

ଭୁବନେଶ୍ବର : ଆସନ୍ତା ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ଭୁବନେଶ୍ବରସ୍ଥିତ ‌ଲୋୟର ପିଏମ୍‌ଜିରେ ଧାରଣା ଦେବ ଓଡ଼ିଶା ସ୍ପେଶାଲ ଏଜୁକେଟର ଫେଡେରେସନ୍ ଫର ଦିବ୍ୟାଙ୍ଗ(ଓଏସ୍‌ଇଏଫ୍‌ଡି)। ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ଶିକ୍ଷା ପାଇଁ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନେଇ ରାଜ୍ୟ ସରକାର କିଛି ପଦକ୍ଷେପ ନେଇ ନ ଥିବାରୁ ସଂଘ ପକ୍ଷରୁ କ୍ଷୋଭ ପ୍ରକାଶ ପାଇଛି। ଧାରଣା ପରେ ଯଦି ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି ତାହାଲେ ଆଗାମୀ ଦିନରେ ଅହୋରାତ୍ର ଧାରଣା ଦିଆଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ସଂଘ ପକ୍ଷରୁ କୁହାଯାଇଛି ଯେ ଗତବର୍ଷ ଅକ୍ଟୋବର ମାସରେ ସୁପ୍ରିମକୋର୍ଟ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦେବା ପାଇଁ ନିର୍ଦେଶ ଦେଇଥିଲେ। ପ୍ରାଥମିକ ବିଦ୍ୟାଳୟରେ ୧୦ଜଣ ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କ ପାଇଁ ଜଣେ ସ୍ବତନ୍ତ୍ର ଶିକ୍ଷକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମାଧ୍ୟମିକ ବିଦ୍ୟାଳୟରେ ୧୫ଜଣ ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କ ପାଇଁ ଜଣେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦିଆଯିବ। ଏହାସହ ଯେଉଁ ବିଦ୍ୟାଳୟରେ ଜଣେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ଅଛନ୍ତି ସେହି ବିଦ୍ୟାଳୟରେ ମଧ୍ୟ ଜଣେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ନିର୍ଦେଶ ଦେଇଥିଲେ। ରାଜ୍ୟର ୬୪ହଜାରରୁ ଅଧିକ ବିଦ୍ୟାଳୟରେ ୮୨ହଜାରରୁ ଅଧିକ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ରହିଛନ୍ତି। ମାତ୍ର ସେମାନଙ୍କ ପାଇଁ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ହୋଇ ନ ଥିବାରୁ ପାଠପଢ଼ା ବ୍ୟାଘାତ ହେଉଛି। ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନେଇ ସଂଘ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଓ ସଚିବଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ମାତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନେଇ କୌଣସି ତତ୍ପରତା ପ୍ରକାଶ ପାଉ ନ ଥିବା ସଂଘର ସଭାପତି ସୂର୍ଯ୍ୟକାନ୍ତ ବେହେରା ଓ ଜୀବନ ବେହେରା ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର