ପୁଲିସ ପଞ୍ଝାରେ ହାଇଦର୍: ତେଲେଙ୍ଗାନାରୁ ଧରାପଡ଼ିଲା, ଆଜି ଓଡ଼ିଶା ଅଣାଯିବ‌

ଭୁବନେଶ୍ବର/କଟକ : କଟକ ବଡ଼ ମେଡ଼ିକାଲରୁ ଚକ୍‌ମା ଦେଇ ଫେରାର ହୋଇ ଯାଇଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଶେଷରେ ତେଲେଙ୍ଗାନାର ସଙ୍ଗାରେଡ୍ଡି ଜିଲ୍ଲାରୁ ଧରାପଡ଼ିଛି। ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟା ୩୦ ବେଳେ ହାଇଦ୍ରାବାଦ ସିଟି ପୁଲିସର ଏକ ସ୍ପେଶାଲ୍‌ ଟିମ୍‌ ସହାୟତାରେ କଟକ-କମିସନରେଟ୍ ପୁଲିସର ଦୁଇଟି ସ୍ବତନ୍ତ୍ର ଟିମ୍ ହାଇଦରକୁ ଧରିଛନ୍ତି। ହାଇଦର ତାର ଜଣେ ସହଯୋଗୀ ସହ ବାଇକରେ ଯାଉଥିବା ବେଳେ ତାକୁ ଗିରଫ କରାଯାଇଥିବା ପୁଲିସ ପ୍ରାରମ୍ଭିକ ସୂଚନା ଦେଇଛି। ପୁଲିସ ଟିମ୍ ୨୪ ଘଣ୍ଟା ଭିତରେ ହାଇଦରକୁ ଧରି ଓଡ଼ିଶାରେ ପହଞ୍ଚିବ ବୋଲି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଗୁରୁବାର ରାତିରେ ଏକ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ବରଠାରେ ସୂଚନା ଦେଇଛନ୍ତି। ଗୁଇନ୍ଦା ସୂଚନାକୁ ଆଧାର କରି ଏହି ଗିରଫଦାରି କରାଯାଇଥିବା ସେ କହିଛନ୍ତି। ହାଇଦର ନିକଟରୁ ୨ଟି ବନ୍ଧୁକ ଜବତ ହୋଇଛି।

ଗତ ୫ ଦିନ ଧରି ହାଇଦର ପୁଲିସର ନିଦ ହଜାଇ ଦେଇଥିଲା। ଏହାକୁ ନେଇ ପୁଲିସକୁ ଢେର୍ ଅପବାଦ ମୁଣ୍ଡାଇବାକୁ ପଡ଼ିଥିଲା। ତା ସତ୍ତ୍ବେ ପୁଲିସ ଟିମ୍‌ ମାତ୍ର ୪ଦିନ ଭିତରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ସକ୍ଷମ ହୋଇଛି। ଏହି ଘଟଣା ଓଡ଼ିଶା ପୁଲିସର ଦକ୍ଷତା ପ୍ରମାଣିତ କରିଛି । ଏଥିସହିତ କମିସନରେଟ ପୁଲିସର ଅକ୍ଳାନ୍ତ ପରିଶ୍ରମ ପରେ ‘ଅପରେସନ୍ ହାଇଦର’ ସଫଳ ହୋଇଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ହାଇଦର‌କୁ ତା’ ମଝିଆ ପୁଅ ଆଜାରୁଦ୍ଦିନ୍‌ କଟକ ବଡ଼ ମେଡିକାଲ୍‌ରୁ ବାଇକ୍‌ରେ ନେଇଥିଲା। ଭୁବନେଶ୍ବରରୁ ଖୋର୍ଦ୍ଧା ଭିତରେ ବାଇକରୁ ଓହ୍ଲାଇ କାରରେ ବସିଥିଲା। ଏହି କାରଟି ମଧ୍ୟ ତେଲେଙ୍ଗାନାରୁ ଜବତ କରାଯାଇଛି। ଆଜାରୁଦ୍ଦିନ୍ ସଙ୍ଗାରେଡ୍ଡିରେ ଥିବା ନିଜ ବନ୍ଧୁ ଘରେ ହାଇଦରକୁ ଲୁଚାଇ ରଖିଥିଲା। ଗୁରୁବାର ସନ୍ଧ୍ୟାରେ ହାଇଦର‌ ସଙ୍ଗାରେଡ୍ଡି ଅଞ୍ଚଳରେ ଏକ ବାଇକ୍‌ରେ ଯାଉଥିବା ବେଳେ କଟକ କମିସନରେଟ୍‌ ପୁଲିସର ସ୍ବତନ୍ତ୍ର ଟିମ୍ ହାଇଦ୍ରାବାଦ କମିସନରେଟ ପୁଲିସ ସହ ମିଶି ତାକୁ ଗିରଫ କରିବାରେ ସଫଳ ହୋଇଥିଲା। ହାଇଦର ସମେତ ୪ ଜଣ ଗିରଫ ହୋଇଥିବା ଜଣାପଡ଼ିଛି। କିନ୍ତୁ ଅନ୍ୟ ତିନି ଜଣ କିଏ ସେମାନଙ୍କ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

ମିଳିଥିବା ସୂଚନା ଅନୁସାରେ, ହାଇଦର ତେଲେଙ୍ଗାନାରେ ରହି ତା ପରିବାରର ଅନ୍ୟମାନଙ୍କ ସହ ଯୋଗାଯୋଗରେ ରହିଥିଲା। ସେହି ଫୋନକୁ ତଦନ୍ତକାରୀ ପୁଲିସ ଟ୍ରାକ୍ କରିଥିଲେ। ୟାକୁବ୍ ଠାରୁ ମିଳିଥିବା କିଛି ତଥ୍ୟକୁ ଯାଞ୍ଚ ମଧ୍ୟ କରା ଯାଇଥିଲା। ଏସବୁକୁ ଧରି କଟକ କମିସନରେଟ ପୁଲିସର ଦୁଇଟି ଟିମ୍ ହାଇଦ୍ରାବାଦରେ ପହଞ୍ଚିଥିଲା। ପୂର୍ବରୁ ହାଇଦ୍ରାବାଦ ପୁଲିସ କମିସନରଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଥିଲା।

 

ହାଇଦ୍ରାବାଦ ପୁଲିସ ଟିମ୍ ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଆରମ୍ଭ କରିଥିଲା।

ହାଇଦ୍ରାବାଦ ପୁଲିସ କମିସନର ଅଞ୍ଜନୀ କୁମାରଙ୍କ ସୂଚନା ଅନୁସାରେ, ଓଡ଼ିଶା ପୁଲିସ ଠାରୁ ଖବର ପାଇବା ପରେ ହାଇଦରକୁ ଧରିବା ଲାଗି ତାଙ୍କର ବୈଷୟିକ ଟିମ୍ ଓ ସ୍ପେଶାଲ ଟାସ୍କ ଫୋର୍ସ ନିୟୋଜିତ ହୋଇଥିଲେ। ସେ କହିଛନ୍ତି, ‘ ଓଡ଼ିଶା ପୁଲିସର ଟିମ୍ ସହ ଆମ ଟିମ୍ କାମ ଆରମ୍ଭ କରିଥିଲା। ବୈଷୟିକ ଟିମ୍ ସିସିଟିଭି ଯାଞ୍ଚ କରିଥିଲା। ଏ ସମ୍ପର୍କରେ ଏସଟିଏଫକୁ ଲଗାତାର ଖବର ଦେଇ ଚାଲିଥିଲା। ହାଇଦ୍ରାବାଦର ସହର ଉପକଣ୍ଠ ଏକ ଅଞ୍ଚଳ ଜହିରାବାଦରୁ ହାଇଦର ଓ ସହଯୋଗୀକୁ ଧରିବାରେ ସଫଳ ହୋଇଥିଲୁ।’

ପୁଲିସ ସୂତ୍ର ଅନୁଯାୟୀ, ହାଇଦର ଫେରାର ହେବାଲାଗି ତିନିମାସ ତଳୁ ଯୋଜନା କରିଥିଲା। ଏହି ଯୋଜନାକୁ ଚୂଡ଼ାନ୍ତ ରୂପ ଦେବା ଲାଗି ହାଇଦର ସମସ୍ତ ପ୍ରସ୍ତୁତି ମଧ୍ୟ ଅନୁରୂପ ଢଙ୍ଗରେ ଚଳାଇଥିଲା। ଏହି ସୂଚନା ମିଳିବା ପରେ ଏବେ ସୁରକ୍ଷା ଦାୟିତ୍ବରେ ଥିବା ପୁଲିସ କର୍ମଚାରୀମାନେ ସନ୍ଦେହଘେରକୁ ଚାଲି ଆସିଛନ୍ତି। ସେମାନଙ୍କୁ ଘନ ଘନ ଜେରା ଚାଲିଛି। ଏହି ଷଡଯନ୍ତ୍ରରେ ଯେଉଁମାନେ ସାମିଲ ସମସ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିସନର ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି।

ହାଇଦର‌୍‌ ଗିରଫ ସମ୍ପର୍କରେ ତେଲେଙ୍ଗାନା ପୁଲିସ ଟୁଇଟ୍‌ କରି ଓଡ଼ିଶା ପୁଲିସ ଡିଜି ଅଭୟ, ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ସୂଚନା ଦେଇଥିଲେ। ସେହିପରି ପୁଲିସ ଡିଜି ଅଭୟ ଏଥିପାଇଁ ପୁଲିସ କମିସନର‌୍‌ ଓ ଡିସିପି ପ୍ରତୀକ ସି˚ହଙ୍କୁ ଟୁଇଟ୍‌ କରି ପ୍ରଶଂସା କରିଛନ୍ତି। ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି ଯେ ଆସନ୍ତା ୨୪ ଘଣ୍ଟା ଭିତରେ ହାଇଦରକୁ କୋର୍ଟରେ ହାଜର କରାଯିବ।

ସୂଚନାଯୋଗ୍ୟ ଯେ କଟକ ବଡ଼ ମେଡିକାଲ୍‌ର କ୍ୟାବିନ୍‌ ନ˚ ୫ରୁ ଗଲା ୧୦ ତାରିଖ ଅପରାହ୍ନରେ ଫେରାର ହୋଇ ଯାଇଥିଲା ହାଇଦର‌୍‌। ହାଇଦର‌୍‌ର ମଝିଆ ପୁଅ ଏକ ବାଇକ୍‌ରେ ତାକୁ ଖୋର୍ଧା ନେଇଥିଲା। ଖୋର୍ଧାରୁ ଏକ କାର‌୍‌ରେ ହାଇଦର‌୍‌ ସହିତ ମଝିଆ ପୁଅ ଆଜାରୁଦ୍ଦିନ ଓ ତା’ର ୩ରୁ ୪ ଜଣ ସାଙ୍ଗ, ଆଜାରୁଦ୍ଦିନ୍‌ର ସହଯୋଗୀ କାଳିଆ ସାମିଲ ହୋଇଥିଲେ। ହାଇଦର‌୍‌ କଟକ ମେଡିକାଲରୁ ଯେଉଁ ବାଇକ୍‌ରେ ଫେରାର୍‌ ହୋଇଯାଇଥିଲା, ସେହି ବାଇକ୍‌କୁ ତାକୁ କାର୍‌ ପଛରେ ଚଲାଇ ଚଲାଇ ଯାଇଥିଲା ତା’ ଜ୍ବାଇଁ। ତେଲେଙ୍ଗାନାରେ ପହଞ୍ଚିବା ପୂର୍ବରୁ ପୁଣି ବାଇକ୍‌ରେ ଯାଇଥିଲା ହାଇଦର‌୍‌। ଶେଷରେ ୧୧ ତାରିଖ ଦିନ ହାଇଦର‌୍‌ ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରେ ପହଞ୍ଚିଥିଲା। ସାଙ୍ଗାରେଡ୍ଡି ଜିଲ୍ଲାରେ ଆଜି ସନ୍ଧ୍ୟା ପ୍ରାୟ ୭ଟା ୩୦ ବେଳେ ହାଇଦର‌୍‌ ବାଇକ୍‌ରେ ଯାଉଥିବା ବେଳେ ତାକୁ ପିଛା କରିଥିବା କଟକ କମିସନରେଟ୍‌ ପୁଲିସର ଏକି ଟିମ୍‌ କାବୁ କରି ନେଇଥିଲା। କିନ୍ତୁ ହାଇଦର‌୍‌ ସହିତ ଥିବା ମଝିଆ ପୁଅ ଆଜାରୁଦ୍ଦିନ, ସାନ ପୁଅ ସେକ୍‌ ଚୁନ୍ନେଇ, ଭାଇ କାଳିଆ, ପୁତୁରା କାଲା, ଶଳା ଗୋରା, ସାନ ଜ୍ବାଇଁ ଓ ଆଜାରୁଦ୍ଦିନର ସହଯୋଗୀ କାଳିଆ ଫେରାର ହୋଇଯାଇଛନ୍ତି। ପୁଲିସର ଆଉ ଏକ ଟିମ୍‌ ସେମାନଙ୍କ ପିଛା କରିଥିବା ସୂଚନା ମିଳିଛି।

ହାଇଦର‌୍‌କୁ କମିସନରେଟ୍‌ ପୁଲିସ ଟ୍ରାନ୍‌ଜିଟ୍‌ ରିମାଣ୍ତରେ କଟକ ଆଣୁଛି। ଆସନ୍ତାକାଲି ବିମାନ ଯୋଗେ ତାକୁ ଆଣିବାର ଯୋଜନା କରାଯାଉଛି।
ହାଇଦର ଫେରାର ହେବାର ପ୍ରାୟ ଅଢେଇ ଘଣ୍ଟା ପରେ ପୋଲିସ ଖବର ପାଇଥିଲା। ଯେଉଁଥିପାଇଁ ହାଇଦର ନିରାପଦରେ ଢେର ବାଟ ଯାଏ ଚାଲିଯାଇଥିଲା। ତାକୁ ଧରିବା ପାଇଁ କମିସନରେଟ୍‌ ପୁଲିସର ୫ଟି ଟିମ୍‌ ଗଠନ ହୋଇଥିଲା। ପୁଲିସ ପ୍ରଥମେ ହାଇଦର‌୍‌ ଓ ତା’ ପରିବାର ସଦସ୍ୟଙ୍କ ମୋବାଇଲ୍‌ ଫୋନ୍‌ ଓ ଏଟିଏମ୍‌ କାର୍ଡ ଟ୍ରାକ୍‌ କରିଥିଲା। ବଡ଼ ମେଡିକାଲ୍‌ରୁ ଆରମ୍ଭ କରି କଟକ ସହରର ସମସ୍ତ ପ୍ରସ୍ଥାନ ପଥରେ ଲାଗିଥିବା ସିସି କ୍ୟାମେରା ଫୁଟେଜ୍‌ ପୁଲିସ ଜବତ କରିଥିଲା। ସିସି କ୍ୟାମେରା ଫୁଟେଜ୍‌ ଓ ୟାକୁବ୍‌ର ବୟାନ ଆଧାରରେ ପୁଲିସ ତେଲେଙ୍ଗାନାରେ ପହଞ୍ଚିଥିଲା।

ଅନ୍ୟପଟେ ପୁଲିସର ଆଉ ଏକ ଟିମ୍‌ ଜଣେ ଏସିପି ଓ ଆଇଆଇସିଙ୍କ ନେତୃତ୍ବରେ ଆଜି କଟକ ବଡ଼ ମେଡିକାଲ୍‌ ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସଙ୍କୁ ହାଇଦର‌୍‌ର ସମ୍ପର୍କରେ ପଚରାଉଚରା କରିଥିଲା। ସର୍ଜରି ଵାର୍ଡର ଡାକ୍ତରମାନଙ୍କୁ ବି ପୁଲିସ ପଚରାଉଚରା କରିଥିଲା। ବଡ଼ ମେଡିକାଲ୍‌ରେ ଜଣେ ରୋଗୀଙ୍କୁ କ୍ୟାବିନ୍‌ ମିଳିବା ପାଇଁ କି ପ୍ରକାର ନିୟମ ରହିଛି, ସେ ନେଇ ଲିଖିତ ଭାବେ ମେଡିକାଲ୍‌ କର୍ତ୍ତୃପକ୍ଷ ଦସ୍ତାବିଜ୍‌ ଦାଖଲ କରିବାକୁ କୁହାଯାଇଥିଲା। ଏହାବାଦ୍‌ ମାର୍ଚ୍ଚ ୨୩ ତାରିଖରୁ ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ହାଇଦର‌୍‌ର ଚିକିତ୍ସାରେ କେଉଁ ଡାକ୍ତର, ନର୍ସ ନିୟୋଜିତ ହୋଇଥିଲେ ଏବ˚ ଆଟେଣ୍ତାଣ୍ଟ୍‌ ଓ ସୁଇପର‌୍‌ଙ୍କ ତାଲିକା ଲିଖିତ ଭାବେ ଦାଖଲ କରିବାକୁ ବି କୁହାଯାଇଛି। ହାଇଦର‌୍‌ ସମ୍ବଲପୁରରୁ ରେଫର‌୍‌ ହେଇ ଆସିବାର ଚିକିତ୍ସା ସ˚କ୍ରାନ୍ତ କାଗଜପତ୍ର ଦେବାକୁ ପୁଲିସ ମେଡିକାଲ୍‌ କର୍ତ୍ତୃପକ୍ଷଙ୍କୁ ରିକ୍ୟୁଜିସନ୍‌ ଦେଇଛି। ଦୁଇ ଦିନ ମଧ୍ୟରେ ରିପୋର୍ଟ କମିସନରେଟ୍‌ ପୁଲିସ ନିକଟରେ ଦାଖଲ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର