ବଦଳିଲେ ତିନି ଜିଲ୍ଲାପାଳ : ବଲଵନ୍ତଙ୍କୁ ପୁରୀ, ପ୍ରେମଚନ୍ଦ୍ରଙ୍କୁ କେନ୍ଦ୍ରାପଡ଼ା, ଭୂପେନ୍ଦ୍ର ସିଂହ ପୁନିଆ ଖୋର୍ଦ୍ଧା ଜିଲ୍ଲାପାଳ

୨ ଆଇଏଏସଙ୍କୁ ଅତିରିକ୍ତ ଦାୟିତ୍ବ, ମନୋଜ କୁମାର ହେଲେ ବିଜୁ ଯୁବ ବାହିନୀ ସିଇଓ

ଭୁବନେଶ୍ବର : ‘ଫନି’ ବିପର୍ଯ୍ୟୟ ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ସରିନଥିବା ବେଳେ ବାତ୍ୟାରେ ବ୍ୟାପକ ଭାବେ ପ୍ରଭାବିତ ପୁରୀ, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ବଦଳାଇଛନ୍ତି। ଏଥିସହିତ ଆଇଏଏସ୍ ସ୍ତରରେ ଏକ େଛାଟ ଧରଣର ଅଦଳବଦଳ ମଧ୍ୟ େହାଇଛି।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ମୁତାବକ, ପୁରୀ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସଙ୍କୁ ବଦଳି କରାଯାଇ ଓପେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଏହା ସହିତ ଶ୍ରୀ ଦାସ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ନିର୍ଦ୍ଦେଶକ, ରାମସା ପ୍ରକଳ୍ପ ନିର୍ଦ୍ଦେଶକ ଓ ଅବକାରୀ କମିସନର ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ଶ୍ରୀ ଦାସଙ୍କ ସ୍ଥାନରେ ପୁରୀ ଜିଲ୍ଲାପାଳ ଭାବେ ୨୦୦୭ ବ୍ୟାଚ୍ ଆଇଏଏସ ତଥା ବୈଷୟିକ ଶିକ୍ଷା ତାଲିମ ନିର୍ଦ୍ଦେଶକ, କୃଷି ବିପଣନ, ଓସାମ୍ ବୋର୍ଡ଼ ସଦସ୍ୟ ସଚିବ ତଥା ଅତିରିକ୍ତ ଭାବେ ବିଡିଏ ଉପାଧ୍ୟକ୍ଷ ଥିବା ବଲଵନ୍ତ ସିଂଙ୍କୁ ନିଯୁକ୍ତ କରାଯାଇଛି।

ଖୋର୍ଦ୍ଧା ଜିଲ୍ଲାପାଳ ନିର୍ମଳ ମିଶ୍ରଙ୍କୁ ବଦଳି କରାଯାଇ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କ ସ୍ଥାନରେ ୨୦୦୮ ବ୍ୟାଚ୍ ଆଇଏଏସ ଅଧିକାରୀ ତଥା ଓପେପା ପ୍ରକଳ୍ପ ନିର୍ଦ୍ଦେଶକ ଥିବା ଭୂପେନ୍ଦ୍ର ସିଂହ ପୁନିଆଙ୍କୁ ଦାୟିତ୍ବ ଦିଆଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲପାଳ ଥିବା ଦାଶରଥି ଶତପଥୀଙ୍କୁ ବଦଳି କରାଯାଇ ଓଜନ ଓ ମାପ ନିୟନ୍ତ୍ରକ ଓ ଖାଉଟି ବ୍ୟାପାର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ଶ୍ରୀ ଶତପଥୀଙ୍କ ସ୍ଥାନରେ ୨୦୧୦ ବ୍ୟାଚ୍ ଆଇଏସ ଅଫିସର ତଥା ପଞ୍ଚାୟତିରାଜ ବିଭାଗର ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବରେ ଥିବା ପ୍ରେମ ଚନ୍ଦ୍ର ଚୌଧୁରୀଙ୍କୁ ନିଯୁକ୍ତି ମିଳିଛି।

୨୦୦୮ ବ୍ୟାଚ ଆଇଏସ ତଥା ବର୍ତ୍ତମାନ କୃଷି ଉତ୍ପାଦନ ନିର୍ଦ୍ଦେଶକ ଥିବା ଏମ.ମୁଥୁକୁମାରଙ୍କୁ ଅତିରିକ୍ତ ଭାବେ ଓସାମ ବୋର୍ଡ଼ ନିର୍ଦ୍ଦେଶକ, କୃଷି ବିପଣନ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ବ ମିଳିଛି। ବିଏମସି କମିସନର ଥିବା ୨୦୧୧ ବ୍ୟାଚ ଆଇଏସ ସମର୍ଥ ବର୍ମାଙ୍କୁ ବିଡିଏ ଉପାଧ୍ୟକ୍ଷ ଦାୟିତ୍ବ ଭାବେ ଅତିରିକ୍ତ ନିଯୁକ୍ତି ଦିଆଯାଇଛି। ରାଜ୍ୟ ସରକାର ଯୁବ ଓ କ୍ରୀଡ଼ା ବିଭାଗର ଯୁଗ୍ମ ସଚିବ ଥିବା ଓଏଏସ ମନୋଜ କୁମାର ପାଢ଼ୀଙ୍କୁ ବିଜୁ ଯୁବ ବାହିନୀର ସିଇଓ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର