ଧାନ ସଂଗ୍ରହରେ ଅନିୟମିତତା, ମଣ୍ଡି ଅବ୍ୟବସ୍ଥା: ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା କିଷାନ କଂଗ୍ରେସ

୩୧ରୁ କିଷାନ କଂଗ୍ରେସର ମଣ୍ଡି ଚାଲ ଅଭିଯାନ

ଭୁବନେଶ୍ବର: ରାଜ୍ୟରେ ଉତ୍ପାଦିତ ଧାନର ପ୍ରାୟ ୩୦ ପ୍ରତିଶତ ଧାନ ଚାଷୀ କମ୍ ମୂଲ୍ୟରେ ଖୋଲାବଜାରରେ ବିକ୍ରି କରିସାରିଲେଣି। ଏହା ପରେ ଏବେ ରାଜ୍ୟ ସରକାର ମଣ୍ଡି ଖୋଲି ଧାନ କିଣୁଛନ୍ତି। ଚଳିତବର୍ଷ ଧାନ ଅମଳ ମୁତାବକ ଆବଶ୍ୟକ ସଂଖ୍ୟକ ମଣ୍ଡି ଖୋଲାଯାଇ ନାହିଁ। ଅନେକ ଚାଷୀଙ୍କ ଟୋକନ ଅବଧି ଶେଷ ହୋଇଗଲାଣି। ଚାଷୀ ତା’ର କଷ୍ଟଲବ୍ଧ ଅର୍ଥ ପାଇବା କଷ୍ଟକର ହୋଇ ପଡ଼ିଲାଣି। ଏସବୁ ସମସ୍ୟାର ସମାଧାନ ଦାବିରେ ଆଜି ପ୍ରଦେଶ କିଷାନ କଂଗ୍ରେସର ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ଏକ ୧୧ଜଣିଆ ପ୍ରତିନିଧି ଦଳ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି।

ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ରାଜ୍ୟର ସବୁ ମଣ୍ଡିରେ ୩ରୁ ୧୦ କେ.ଜି ପର୍ଯ୍ୟନ୍ତ କଟ୍‌ନି ଛଟ୍‌ନି କରାଯାଉଛି। ଧାନ ଦେବାର ୨୪ଘଣ୍ଟା ମଧ୍ୟରେ ଚାଷୀ ପ୍ରାପ୍ୟ ପାଇବାର ବ୍ୟବସ୍ଥା ଥିଲେ ବି ତାହା ମିଳୁନି। ପରିବବହନ ଖର୍ଚ୍ଚ ଓ ବସ୍ତା ସରକାରଙ୍କ ପକ୍ଷରୁ ଦିଆଯିବା କଥା। ହେଲେ ଚାଷୀକୁ ପରିବହନ ଖର୍ଚ୍ଚ ଦେବାକୁ ପଡ଼ୁଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଧାନ କିଣାରେ ମିଲ୍‌ର କୌଣସି ପ୍ରକାର ହସ୍ତକ୍ଷେପ କରିବା କଥା ନୁହେଁ। କିନ୍ତୁ ମଣ୍ଡିରେ ମିଲ୍‌ର ସର୍ବେସର୍ବା ଓ ସରକାରଙ୍କ ଗେହ୍ଲାପୁଅ। ଏସବୁ ଅବ୍ୟବସ୍ଥା ପାଇଁ ଚାଷୀ ଅଭାବୀ ବିକ୍ରିର ଶିକାର ହେବା ସହିତ ଧାନ କ୍ବିଣ୍ଟାଲ ପ୍ରତି ୧୨-୧୩ଶହ ଟଙ୍କାରେ ବିକ୍ରି କରୁଛି। ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ବାର୍ଷିକ ୮୦ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯାଇ ଗୋଦାମରେ ରଖିବା ପାଇଁ ସ୍ଥିର ହୋଇଥିବା ବେଳେ ରାଜ୍ୟରେ ମାତ୍ର ୪ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂରକ୍ଷଣ ପାଇଁ ବ୍ୟବସ୍ଥା ରହିଛି।

ଏସବୁ ସମସ୍ୟା ସଂପର୍କରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଛି କିଷାନ କଂଗ୍ରେସ। ଯଦି ରାଜ୍ୟ ସରକାର ତୁରନ୍ତ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ ନ କରନ୍ତି ତାହାଲେ ଆସନ୍ତା ୩୧ ତାରିଖରୁ ଢେଙ୍କାନାଳ ଜିଲ୍ଲାରୁ ମଣ୍ଡି ଚାଲ ଅଭିଯାନ ଆରମ୍ଭ ହେବ ବୋଲି ସାଧାରଣ ସପାଦକ ପଦ୍ମଚରଣ ସାହୁ ଚେତାବନୀ ଦେଇଛନ୍ତି। ଏହି ପ୍ରତିନିଧି ମଣ୍ଡଳୀରେ ନୂତନ ତ୍ରିପାଠୀ, ଅରୁଣ ଜେନା, ସଦାନନ୍ଦ ଓଝା, ସୁରେନ୍ଦ୍ର ପାଇକରାୟ, ମନବୋଧ ପଟେଲ, ଧ୍ରୁବ ଚରଣ ପରିଡ଼ା, ସନ୍ତୋଷ ପ୍ରଧାନ ପ୍ରମୁଖ ରହିଥିଲେ।

ସମ୍ବନ୍ଧିତ ଖବର