ରାଜନେତାଙ୍କ ବିରୋଧରେ ମାମଲାର ତ୍ବରିତ ଶୁଣାଣି ପ୍ରସଂଗ : ଏପ୍ରିଲ ୫ ସୁଦ୍ଧା ସରକାର ଦେବେ ସତ୍ୟପାଠ

କଟକ : ରାଜ‌େନତାଙ୍କ ବିରୋଧରେ ବିଚାରାଧୀନ ମାମଲା ଗୁଡିକର ତ୍ବରିତ ଶୁଣାଣି ପାଇଁ ସ୍ବତନ୍ତ୍ର ଅଦାଲତ ପ୍ରତିଷ୍ଠା ପ୍ରସଂଗରେ ସରକାରଙ୍କୁ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସାଂସଦ, ବିଧାୟକ, ପୂର୍ବତନ ସାଂସଦ ଓ ବିଧାୟକଙ୍କ ବିରୋଧରେ ମାମଲା ଶୁଣାଣି ପାଇଁ ତିନୋଟି ସ୍ବତନ୍ତ୍ର ଅଦାଲତ ଓ ୧୧ଟି ପ୍ରଥମଶ୍ରେଣୀ ବିଚାରବିଭାଗୀୟ ଅଦାଲତ ପ୍ରତିଷ୍ଠା ସଂକ୍ରାନ୍ତରେ ସରକାର ବିଜ୍ଞପ୍ତି ଜାରି କରିବା ଉପରେ ଆଜି ଶୁଣାଣି ସମୟରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ପରବର୍ତ୍ତୀ ଶୁଣାଣି ସମୟରେ ଏହି ପ୍ରସଂଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ନେଇ ସତ୍ୟପାଠ ଦାଖଲ ପାଇଁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏପ୍ରିଲ ୫ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ହାଇକୋର୍ଟ ରେଜିଷ୍ଟ୍ରାର (ଜୁଡିସିଆଲ)ଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ସୁପ୍ରିମକୋର୍ଟ ସେପ୍ଟେମ୍ବର ୧୬ ତାରିଖରେ ‘ଅଶ୍ବିନୀ କୁମାର ଉପାଧ୍ୟାୟ ବନାମ କେନ୍ଦ୍ର ସରକାର ମାମଲାର ଶୁଣାଣି କରି ରାଜନେତାଙ୍କ ବିରୋଧରେ ଥିବା ମାମଲାର ତ୍ବରିତ ଶୁଣାଣି କରି ଫଇସଲା କରିବା ସହ ଏଥିପାଇଁ ସ୍ବତନ୍ତ୍ର ଅଦାଲତ ଗଠନ ପ୍ରସଙ୍ଗ ଉପରେ ଗୁରୁତ୍ବାରୋପ କରିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ନିଜ ଆଡୁ ହାଇକୋର୍ଟ ଏହି ମାମଲା ରୁଜୁ କରିଥିଲେ। ମାମଲାରେ ରାଜ୍ୟ ଗୃହ ସଚିବ, ଆଇନ ସଚିବ, ପୁଲିସ ଡିଜି, ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କୁ ପକ୍ଷଭୁକ୍ତ କରାଯାଇଛି। ୨୦୨୦, ଅକ୍ଟୋବର ୧୯ରେ ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି ତିନୋଟି ରାଜସ୍ବ ଡିଭିଜନରେ ତିନୋଟି ସ୍ବତନ୍ତ୍ର ଅଦାଲତ ଓ ୧୧ଟି ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟ (ଜେଏମ୍‌ଏଫ୍‌ସି) ଅଦାଲତ ପ୍ରତିଷ୍ଠା ପ୍ରସଂଗରେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ଏହି ସବୁ ଅଦାଲତ ସୁଚାରୁ ଭାବେ କାର୍ଯ୍ୟ କରିବା ପାଇଁ ଆବଶ୍ୟକ ପାଇଁ ଭିତ୍ତିଭୂମି ଯଥା କର୍ମଚାରୀ, କାର୍ଯ୍ୟାଳୟ ଇତ୍ୟାଦି ବ୍ୟବସ୍ଥା କରିବା ପ୍ରସଂଗରେ ମଧ୍ୟ ହାଇକୋର୍ଟ ଗୁରୁତ୍ବାରୋପ କରିଥିଲେ।

ସମ୍ବନ୍ଧିତ ଖବର