ନିର୍ବାଚନ କମିଶନଙ୍କ ତାଗିଦକୁ ଅଧିକାରୀମାନଙ୍କ ଫୁ: ବ୍ୟାସନଗର ପୌରାଞ୍ଚଳରେ ନିର୍ବାଚନ ଆଚରଣବିଧି ଉଲ୍ଲଂଘନ

ବ୍ୟାସନଗର : ରଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ବ୍ୟାସନଗର ପୌର ପରିଷଦ ପକ୍ଷରୁ ଗତକାଲି ଜାଗା ସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୌରାଞ୍ଚଳ ୧୦ ଗୋଟି ସ୍ଥାନ ରେ ୩୨ ଗୋଟି ବସ୍ତିକୁ ନେଇ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଶିଳା ପୋଖରୀ, ସୁଇପର ବସ୍ତି ଓ ମୁଣ୍ଡମାଳ ବସ୍ତିକୁ ନେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପୌର ପ୍ରଶାସକ ତଥା କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ଏହାକୁ ଉଦ୍‌ଘାଟନ କରିଛନ୍ତି।

ଏଥିରେ ବସ୍ତି ଅଞ୍ଚଳରେ ପାଣି, ରାସ୍ତା, ବିଦ୍ୟୁତ୍‌, ଶୌଚାଳୟ ଓ ବ୍ୟକ୍ତିଗତ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ପୌର ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ, ବିଦ୍ୟୁତ୍‌ ବିଭାଗ ଯନ୍ତ୍ରୀ ସୁବ୍ରତ କୁମାର ଚକ୍ର, ଜନସ୍ୱାସ୍ଥ୍ୟ ବିଭାଗ ଯନ୍ତ୍ରୀ ବିଚିତ୍ରାନନ୍ଦ ପୁହାଣ, ଶ୍ରମ ଅଧିକାରୀ ସନ୍ତୋଷ ମହାନ୍ତି, ସଂଯୋଜିକା ରିଚିସ୍ମିତା ମହାନ୍ତି, ସିଟି ମିସନ୍ ମ୍ୟାନେଜର ଶଶିକାନ୍ତ ଘଡ଼ାଇ, ଗୋଷ୍ଠୀ ସଂଗଠକ ଶୁଭଶ୍ରୀ ରତ୍ନପ୍ରଭା ସାମଲ, ପ୍ରଜ୍ଞା ପାରମିତା ଚକ୍ରବର୍ତ୍ତୀ ଯୋଗଦେଇ ସେମାନଙ୍କ ସମସ୍ୟା‌ ନେଇ ବସ୍ତିବାସିଙ୍କ ସହ ଆଲୋଚନା କରିଥିଲେ। ପୌର କର୍ମଚାରୀ କିଶୋର ରାଉତ, ରୁଦ୍ରମଣି ମୁଖୀ, ରଞ୍ଜିତ ମିଶ୍ର ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଯାଜପୁର/ବ୍ୟାସନଗର : ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ବାରା ଏବେ ସମଗ୍ର ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପରିଚାଳନା ଅବସରରେ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳରେ ଆଚରଣବିଧି ଲାଗୁ କରାଯାଇଛି। ଏହି ପରିପେକ୍ଷୀରେ ୧୨ତାରିଖରେ ନିର୍ବାଚନ କମିଶନ ଚିଠି ନମ୍ବର ୬୯୦ରେ ଜିଲ୍ଲାପାଳଙ୍କୁ ତାଗିଦ କରି ସରକାରୀ ହୋର୍ଡିଂ ପ୍ରଚାର ପ୍ରସାରକୁ ବନ୍ଦ କରିଛନ୍ତି। ଅଥଚ ବ୍ୟାସନଗର ସହରରେ ଗତକାଲି ଠାରୁ ବସ୍ତିବାସିନ୍ଦାଙ୍କ ପାଇଁ ଜାଗା ସମ୍ପର୍କ ଅଭିଯାନ ଶୁଭାରମ୍ଭ କରାଯାଇଛି। ବସ୍ତିବାସିନ୍ଦାଙ୍କ ପ୍ରତି ଅଣଦେଖା କରିଆସୁଥିବା ପୌର ସଂସ୍ଥା ୩୨ଟି ବସ୍ତିକୁ ନେଇ ଏକାଧିକ ଜାଗା ସମ୍ପର୍କ ଅଭିଯାନ ଆରମ୍ଭ କରିଛି। ଗତକାଲି କୋପଣ୍ଡରେ ବିଭିନ୍ନ ବସ୍ତିର ଶହଶହ ଲୋକଙ୍କୁ ଭୋଜିଭାତ ଦେବା ସହିତ ସରକାରଙ୍କର ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଅଧିକାରୀମାନେ ସଚେତନ କରିବା ସହିତ ଭିଡିଓ ଜରିଆରେ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ କରାଯାଇଥିଲା।

ଏଥିରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ନିର୍ବାହୀ ଅଧିକାରୀ ଅଶୋକ ରାଉତଙ୍କ ସମେତ ବିଦ୍ୟୁତ, ଜନସ୍ବାସ୍ଥ୍ୟ, ଶ୍ରମ ସହିତ ବିଭିନ୍ନ ବିଭାଗ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇ ନିଜ ନିଜର ମତ ରଖିଥିଲେ। ଯାହାକି ନିର୍ବାଚନ କମିସନରଙ୍କ ଆଚରଣବିଧିକୁ ସିଧାସଳଖ ଉଲ୍ଲଂଘନ କରୁଛି ବୋଲି ଅଭିଯୋଗ ହେଉଛି। କେତେକ ସଚେତନ ନାଗରିକ ଓ ବିରୋଧୀଦଳର ନେତାମାନେ ଅଭିଯୋଗ କରିଛନ୍ତି ପୌର ନିର୍ବାଚନ ପୂର୍ବରୁ ସରକାରଙ୍କ ସପକ୍ଷରେ ଅଧିକାରୀମାନେ ପ୍ରଚାର ଆରମ୍ଭ କରିଛନ୍ତି। ଏହାକୁ ନେଇ ଜିଲ୍ଲାପାଳ ଓ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କେତେକ ମତବ୍ୟକ୍ତ କରିଛନ୍ତି।

ଏ ସମ୍ପର୍କରେ ପୌର ସଂସ୍ଥାର ନିର୍ବାହୀ ଅଧିକାରୀ ଅଶୋକ ରାଉତକୁ ପଚାରିବାରେ ସେ କହିଛନ୍ତି ଏହା ସରକାରୀ କାର୍ଯ୍ୟକ୍ରମ ସରକାରଙ୍କ ନିର୍ଦେଶରେ କରାଯାଉଛି। ଏଥିରେ ସେପରି କିଛି ଆଚରଣବିଧି ଉଲ୍ଲଂଘନ କରାଯାଉ ନାହିଁ ବୋଲି ସେ ସଫେଇ ଦେଇଛନ୍ତି।
ଏହାର ଅନୁସନ୍ଧାନ କରି ଉଚିତ ପଦକ୍ଷେପ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ବିରୋଧୀ ପକ୍ଷରୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର