ଝାଡ଼ଖଣ୍ଡ,ପଶ୍ଚିମବଙ୍ଗରେ ଆଗଉଛି ଏଠି ନାହିଁ : ରାଉରକେଲାରେ ଅଟକିଛି ତୃତୀୟ ରେଳଲାଇନ୍

ରାଉରକେଲା : ବିଳମ୍ବ ହେଉଛି ଦକ୍ଷିଣ ପୂର୍ବ ରେଳବାଇର ଝାରସୁଗୁଡ଼ା-ଖଡ଼ଗପୁର ତୃତୀୟ ଲାଇନ୍‌ ନିର୍ମାଣ ପ୍ରକଳ୍ପ। ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରେ ଏହି ପ୍ରକଳ୍ପର କାର୍ଯ୍ୟାରମ୍ଭ ହୋଇ ଦ୍ରୁତ ଗତିରେ ଆଗେଇ ଚାଲିଥିବାବେଳେ କେବଳ ରାଉରକେଲାରେ ଅଟକି ରହିଛି। ରାଉରକେଲାର ମାଲଗୋଦାମ, ପାନପୋଷ ଅଂଚଳରେ ଜବରଦଖଲ ଯୋଗୁଁ ପ୍ରାୟ ଅଢ଼େଇ ବର୍ଷ ହେଲା ପ୍ରକଳ୍ପ ଆଗେଇ ପାରୁନି।

ଏହି ଅଞ୍ଚଳରେ ରେଳବାଇ ଜମିରେ ଚରମ ଜବରଦଖଲ ପ୍ରକଳ୍ପ ଶିଥିଳତାର ମୁଖ୍ୟ କାରଣ ପାଲଟିଛି। ତେବେ ଜମି ଜବରଦଖଲ ଉଚ୍ଛେଦ ହେବା ମାତ୍ରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଯିବ ବୋଲି ଜଣେ ବରିଷ୍ଠ ରେଳବାଇ ଅଧିକାରୀ ସୂଚନା ଦେଇଛନ୍ତି। ଅପରପକ୍ଷରେ ରାଉରକେଲା ବ୍ୟତୀତ ଅନ୍ୟ ସବୁ ଅଞ୍ଚଳରେ ପ୍ରକଳ୍ପର ନିର୍ମାଣକାର୍ଯ୍ୟ ଆରମ୍ଭ ହୋଇସାରିଛି। ଏହି ପ୍ରକଳ୍ପର ଝାରସୁଗୁଡ଼ା-ପାନପୋଷ ପର୍ଯ୍ୟନ୍ତ ନିର୍ମାଣକାର୍ଯ୍ୟ ବେଗ ଧରିଛି। ଏମିତିକି ବ୍ରାହ୍ମଣୀ ନଦୀ ଉପରେ ପ୍ରସ୍ତାବିତ ରେଳବ୍ରିଜ୍‌ ନିର୍ମାଣ ପାଇଁ ୪ଟି ପିଲର୍‌ ନିର୍ମାଣ ଶେଷ ହୋଇସାରିଥିବାବେଳେ ଆଉ ୩ଟି ବାକି ରହିଛି। ଏତଦ୍‌ବ୍ୟତୀତ ଏହି ମେଗା ପ୍ରକଳ୍ପର ଖଡ଼ଗପୁର-ଆଦିତ୍ୟପୁର (୧୬୫ କିଲୋମିଟର) ଭିତରେ କାମ ଆରମ୍ଭ ହୋଇସାରିଛି ଏବଂ ଏହା ଆସନ୍ତା ୨୦୨୨ ସୁଦ୍ଧା ଶେଷ ‌େହବ। ସେହିଭଳି ଆଦିତ୍ୟପୁର-ଖଡ଼ଗପୁର ୩୮ କିଲୋମିଟର ବିଶିଷ୍ଟ ପ୍ରକଳ୍ପରେ ନିର୍ମାଣ କାର୍ଯ୍ୟ ଶେଷ ହୋଇସାରିଲାଣି। ରାଜଖରସୁଆଁ-ଚକ୍ରଧରପୁର ଷ୍ଟେସନ ଏବଂ ଚକ୍ରଧୁରପୁର-ସୋନୁଆ ଷ୍ଟେସନ ଭିତରେ ଏହାର କାମ ଆରମ୍ଭ ହୋଇସାରିଥିବାବେଳେ ସୋନୁଆ, ମାଲିକା ଓ ‌ଜରୈକେଲା ଷ୍ଟେସନରେ ପ୍ରକଳ୍ପ କାମ ଶେଷ ହୋଇସାରିଲାଣି।

ପ୍ରସ୍ତାବିତ ଝାରସୁଗୁଡ଼ା-ଖଡ଼ଗପୁର ତୃତୀୟ ଲାଇନ୍‌ ମେଗା ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ଏହାକୁ ୫ଟି ଛୋଟ ଛୋଟ ପ୍ରକଳ୍ପରେ ବିଭକ୍ତ କରାଯାଇଛି।

ଏହି କ୍ରମରେ ରାଉରକେଲା-ଝାରସୁଗୁଡ଼ା ୧୦୧ କିଲୋମିଟର ଲମ୍ବ ବିଶିଷ୍ଟ ପ୍ରକଳ୍ପ ପାଇଁ ୯୬୯ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ଏହି ପ୍ରକଳ୍ପକୁ ୨୦୧୬ ମାର୍ଚ୍ଚରେ ତତ୍କାଳୀନ ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ରାଉରକେଲାରେ ଉଦ୍‌ଘାଟନ କରିଥିଲେ।

ପ୍ରକଳ୍ପ ପାଇଁ ହାୱାଡ଼ା-ମୁମ୍ବାଇ ଡାଉନ୍‌ ଲାଇନ୍‌ରେ ୨୫ ମିଟର ପର୍ଯ୍ୟନ୍ତ ଜମି ଅଧିଗ୍ରହଣର ଆବଶ୍ୟକତା ରହିଛି। ମାତ୍ର, ଏହି କାର୍ଯ୍ୟ ଏଯାବତ୍‌ ତ୍ବରାନ୍ବିତ ହୋଇପାରିନାହିଁ।

ସମ୍ବନ୍ଧିତ ଖବର