ଅବସର ଗ୍ରହଣ କଲେ ଜଷ୍ଟିସ ଶତ୍ରୁଘନ ପୂଜାହାରୀ

କଟକ: ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଶତ୍ରୁଘନ ପୂଜାହାରୀ ଅବସର ଗ୍ରହଣ କରିଛନ୍ତି। ଆଜି ହାଇକୋର୍ଟରେ ଥିଲା ତାଙ୍କ ଶେଷ କାର୍ଯ୍ୟ ଦିବସ। ହାଇକୋର୍ଟ ବାର୍ ଆସୋସିଏସନ୍ ତରଫରୁ ଜଷ୍ଟିସ ପୂଜାହାରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏଠାରେ ସୂଚନା ଯୋଗ୍ୟ ଯେ ଜଷ୍ଟିସ ପୂଜାହାରୀ ୨୦୧୩ ନଭେମ୍ବର ୨୯ରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ୨୦୧୭, ନଭେମ୍ବର ୨୨ ପର୍ଯ୍ୟନ୍ତ ଓଡ଼ିଶା ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରିବା ପରେ ତାଙ୍କର ମାଡ୍ରାସ ହାଇକୋର୍ଟକୁ ବଦଳି ହୋଇଥିଲା। ସେ ୨୦୧୭, ନଭେମ୍ବର ୨୩ରେ ମାଡ୍ରାସ ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ଏହାପରେ ପୁଣି ତାଙ୍କର ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇଥିଲା। ୨୦୧୮, ନଭେମ୍ବର ୧୯ରେ ପୁଣି ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ସେ ଯୋଗ ଦେଇଥିଲେ।

୧୯୬୦, ସେପ୍ଟେମ୍ବର ୨୪ରେ ସୋନପୁର ସୁବଳୟା ଗ୍ରାମରେ ଜନ୍ମିତ ଜଷ୍ଟିସ ପୂଜାହାରୀ ୧୯୭୮ରେ ହାଇସ୍କୁଲ ପାଠ୍ୟକ୍ରମ ଶେଷ କରି ବଲାଙ୍ଗୀରର ରାଜେନ୍ଦ୍ର କଲେଜରୁ ୧୯୮୩ ମସିହାରେ ରାଜନୀତି ବିଜ୍ଞାନ ସମ୍ମାନ ରଖି ସ୍ନାତକ ଡିଗ୍ରି ହାସଲ କରିଥିଲେ। ୧୯୮୬ରେ ସମ୍ବଲପୁରସ୍ଥିତ ଲାଲା ଲଜପତ ରାୟ ଆଇନ ମହାବିଦ୍ୟାଳୟରୁ ସେ ଏଲଏଲବି ପାସ୍‌ କରିଥିଲେ। ଏହାପରେ  ଆଇନଜୀବୀ ପେସାରେ ସେ ଯୋଗ ଦେଇଥିଲେ।

ହାଇକୋର୍ଟରେ ଜଣେ ଦକ୍ଷ ଆଇନଜୀବୀ ଭାବେ ସେ ସୁନାମ ଅର୍ଜନ କରିଥିଲେ। ପରବର୍ତ୍ତୀ ସମୟରେ ଓଡ଼ିଶା ସୁପିରିୟର ଜୁଡିସିଆଲ ସର୍ଭିସ(ସିନିୟନ ବ୍ରାଞ୍ଚ) ପରୀକ୍ଷାରେ ସଫଳତା ହାସଲ କରି ସେ ୨୦୦୩, ଫେବ୍ରୁୟାରି ୭ରେ ବ୍ରହ୍ମପୁରର ଦ୍ବିତୀୟ ଅତିରିକ୍ତ ଜିଲା ଦୌରା ଜଜ୍‌ ଭାବେ ଯୋଗଦେଇଥିଲେ। ଏହାପରେ କୋରାପୁଟ, ଗଞ୍ଜାମ, ପୁରୀ ଓ କଟକରେ ଜିଲ୍ଲା ଓ ଦୌରାଜଜ ଭାବେ କାର୍ଯ୍ୟ କରିଥିଲେ। ଓଡ଼ିଶା ସେଲ୍ସ ଟ୍ୟାକ୍ସ ଟ୍ରିବୁନାଲର ଅଧ୍ୟକ୍ଷ, ରାଜ୍ୟ ଆଇନ ସେବା ପ୍ରାଧିକରଣର ସଦସ୍ୟ ସଚିବ ଓ ରାଜ୍ୟ ଆଇନ ବିଭାଗର ସେ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରିବା ପରେ ୨୦୧୩, ନଭେମ୍ବର ୨୯ରେ ଓଡ଼ିଶା ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ବିଚାରପତି ଭାବେ ଜଷ୍ଟିସ ପୂଜାହାରୀ ହାଇକୋର୍ଟରେ ବହୁ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର