ଭୁବନେଶ୍ୱର: ଅଯୋଗ୍ୟ ହିତାଧିକାରୀଙ୍କ ପାଖରୁ କାଳିଆ ଟଙ୍କା ଫେରିବ | ଖୁବ ଶୀଘ୍ର ଅଯୋଗ୍ୟ ହିତାଧିକାରୀଙ୍କର ତାଲିକା ଯାଞ୍ଚ ହେବ | ପଞ୍ଚାୟତ ସ୍ତରରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି | ଅଗଷ୍ଟ ୬ରୁ ୧୪ ତାରିଖ ଯାଏଁ ଯାଞ୍ଚ ହେବାକୁ ଥିବାବେଳେ ତାଲିକାରୁ ବାଦ ପାଇଁ ଅଯୋଗ୍ୟ ହିତାଧିକାରୀ ଆବେଦନ କରିପାରିବେ | ଏ ନେଇ କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି | ପୂର୍ବରୁ ଜୁଲାଇ ୩୧ ତାରିଖରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ କୁମାର ସାହୁ ସୂଚନା ଦେଇଥିଲେ | ହିତାଧିକାରୀ ଚୟନ ଦାୟିତ୍ବରେ ଥିବା ଅଧିକାରୀମାନେ ଏ ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫‘ଟି’ ସୂତ୍ରକୁ ଆପଣାଇ ନିର୍ଭୁଲ ତାଲିକା ପ୍ରସ୍ତୁତ କରିବାକୁ ମନ୍ତ୍ରୀ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଥିଲେ।

Advertisment

publive-image

ସଂଶୋଧିତ ତାଲିକା ପ୍ରକାଶ ପାଇବା ପରେ ଯଦି ତ୍ରୁଟିବିଚ୍ୟୁତି ପରିଲକ୍ଷିତ ହୁଏ, ତେବେ ସେଥି ପାଇଁ ସଂପୃକ୍ତ ଅଧିକାରୀ ଉତ୍ତରଦାୟୀ ରହିବେ ବୋଲି ମନ୍ତ୍ରୀ ଚେତାଇ ଦେଇଥିଲେ। ଶ୍ରୀ ସାହୁ କହିଥିଲେ, ଓଡ଼ିଶାର କ୍ଷୁଦ୍ର ଓ ନାମମାତ୍ର ଏବଂ ଭୂମିହୀନ ଚାଷୀଙ୍କୁ ଚାଷ କାର୍ଯ୍ୟ ନିମନ୍ତେ ସିଧାସଳଖ ସହାୟତା ଯୋଗାଇ ଦେବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କାଳିଆ ଯୋଜନା ପରି ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଥିଲା। ଏ ପର୍ଯ୍ୟନ୍ତ ସରକାର ୩୬.୩୪ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୪.୭୦ ଲକ୍ଷ ଭୂମିହୀନ କୃଷି ପରିବାରକୁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରିଛନ୍ତି। ତେବେ ଏହି ତାଲିକାକୁ ତ୍ରୁଟିଶୂନ୍ୟ କରିବା ପାଇଁ ପଦକ୍ଷେପ ନିଆଯାଉଛି।

ଏଠାରେ ସୂଚନା ଥାଉ କି କାଳିଆ ଯୋଜନାରେ ହିତାଧିକାରୀ ଚୟନ ଓ ଆର୍ଥିକ ସହାୟତା ପ୍ରଦାନ କ୍ଷେତ୍ରରେ ସରକାର ବିଫଳ ହୋଇଥିବା ନେଇ ବିରୋଧୀ ଦଳ ଆଣିଥିବା ମୁଲତବୀ ପ୍ରସ୍ତାବ ଆଲୋଚନାରେ ଜୁଲାଇ ୨୮ ତାରିଖରେ ଖୋଦ୍‍ ବିଜେଡି ବିଧାୟକମାନେ ପ୍ରତିକ୍ରିୟା ପ୍ରକାଶ କରିଥିଲେ | ଗୋଟିଏ ପରିବାରର ଏକାଧିକ ବ୍ୟକ୍ତିଙ୍କୁ ‘କାଳିଆ’ ସହାୟତା ତାଲିକାରେ ସଂଯୁକ୍ତ କରାଯାଇଛି। କେଁଉଠି ନା କେଉଁଠି ହିତାଧିକାରୀ ଚିହ୍ନଟ କରିବାରେ ତ୍ରୁଟି ରହୁଛି ବୋଲି ବିଧାନସଭାରେ ସଦସ୍ୟମାନେ କହିଥିଲେ |