କୋହ ଜଣାଇଲେ କାଙ୍ଗୁଲା ପୀଡ଼ିତାଙ୍କ ପରିବାର : ଅଭିଯୁକ୍ତକୁ ଫାଶୀ ନ ହେଲେ ସମୂହ ଆତ୍ମାହୁତି

ଅନୁଗୁଳ : ବହୁଚର୍ଚ୍ଚିତ କାଙ୍ଗୁଲା ନାବାଳିକା ଦୁଷ୍ମର୍ମ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ ତଳ କୋର୍ଟ। କିନ୍ତୁ ଏହାକୁ ହାଇକୋର୍ଟ ରଦ୍ଦ କରିବା ସହ ଏହି ମାମଲାର ପୁନର୍ବାର ଶୁଣାଣି କରି ସାନି ରାୟ ଦେବାକୁ ନିର୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ଏହି ଆଦେଶକୁ ସହଜରେ ଗ୍ରହଣ କରି ପାରିନାହାନ୍ତି ପୀଡ଼ିତାଙ୍କ ପରିବାର। ଦୋଷୀକୁ ଫାଶୀ ଦଣ୍ଡ ନ ମିଳିଲେ ପରିବାର ଲୋକେ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସମୂହ ଆତ୍ମାହୁତି ଦେବେ‌ ବୋଲି ଆଜି କୋହଭରା କଣ୍ଠରେ କହିଛନ୍ତି।

ଅନୁଗୁଳ ସହର ଉପକଣ୍ଠ କାଙ୍ଗୁଲା ଗାଁରେ ୨୦୧୯ ଜାନୁଆରୀ ୨୦ ତାରିଖ ଅପରାହ୍ନ ପ୍ରାୟ ୨ଟା ବେଳେ ଜଣେ ନାବାଳିକାଙ୍କ ସହ ଦୁଷ୍କର୍ମ କରି ହତ୍ୟା କରାଯାଇଥିଲା। ଗ୍ରାମର ସରୋଜ ମହାରଣାଙ୍କ ୧୨ ବର୍ଷର ଝିଅ ବାପାଙ୍କ ପାଇଁ ଖାଦ୍ୟ ନେଇ ଯାଉଥିବା ସମୟରେ ଅନାମ ଦେହୁରୀ ତାଙ୍କ ସହ ଦୁଷ୍କର୍ମ କରିଥିଲା। ପ‌ରେ ପଥରରେ ଛେଚି ନାବାଳିକାଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିଥିଲା। ଏହି ଅଭିଯୁକ୍ତ ବିରୋଧରେ ଦିଆଯାଇଥିବା ଫାଶୀ ଦଣ୍ଡାଦେଶକୁ କାଏମ ରଖିବା ପାଇଁ ନିବେଦନ କରିଛନ୍ତି ପରିବାର। ପୀଡ଼ିତାଙ୍କ ବାପା ସରୋଜ ମହାରଣା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଏଭଳି ଜଘନ୍ୟ ଅପରାଧୀଙ୍କୁ କ୍ଷମା ଦେଲେ ସମାଜକୁ ଏକ ଖରାପ ବାର୍ତା ଯିବ। ତେଣୁ ଅଭିଯୁକ୍ତକୁ ଫାଶୀ ଦଣ୍ଡ ଦେବା ପାଇଁ ସେ ଦାବି କରିଛନ୍ତି। ସୂଚନ‌ା ଅନୁସାରେ, ଏହି ଦୁଷ୍କର୍ମ ଓ ହତ୍ୟା ମାମଲାକୁ ସେତେବେଳେ ପୁଲିସ ରେଡ ଫ୍ଲାଗ ମାମଲା ଭାବେ ଗ୍ରହଣ କରିଥିଲା। ଘଟଣାର କିଛି ଦିନ ପରେ ଅନାମକୁ କୋଲକତାରୁ ଗିରଫ କରିଥିଲା ପୁଲିସ।

ସମ୍ବନ୍ଧିତ ଖବର