ଜଟଣୀରେ ଜମି କିଣାବିକା ସମସ୍ୟା ନେଇ ବିଧାୟକଙ୍କ ଉଦ୍‌ବେଗ

ଭୁବନେଶ୍ବର : ଜଟଣୀରେ କିଛି ସ୍ଥିତିବାନ ଜମି ମହାପ୍ରଭୁ ଜଗନ୍ନାଥଙ୍କ ନାମରେ ଥିବାରୁ କିଣାବିକାରେ ହେଉଥିବା ସମସ୍ୟାକୁ ନେଇ ସ୍ଥାନୀୟ ବିଧାୟକ ସୁରେଶ ରାଉତରାୟ ଗୃହରେ ଉଦ୍‌ବେଗ ପ୍ରକାଶ କରିଥିଲେ। ସେ ଏ ସଂକ୍ରାନ୍ତରେ ରାଜସ୍ବ ମନ୍ତ୍ରୀଙ୍କୁ ଏକ ଲିଖିତ ପ୍ରଶ୍ନ କରିଥିଲେ। ମନ୍ତ୍ରୀ ମଧ୍ୟ ଏହାର ଲିଖିତ ଉତ୍ତର ଦେଇଥିଲେ। ତେବେ ଗୃହରେ ଉପବାଚସ୍ପତି ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ଯିବାକୁ ଉଠିଲା ବେଳେ ଶ୍ରୀ ରାଉତରାୟ ଠିଆ ହୋଇ ଏହି ସମସ୍ୟା ଉଲ୍ଲେଖ କରିଥିଲେ। ମୁଖ୍ୟମନ୍ତ୍ରୀ ଏ ଦିଗରେ ପଦକ୍ଷେପ ନିଅନ୍ତୁ ବୋଲି ବଡ଼ ପାଟିରେ କହିଥିଲେ।

ଶ୍ରୀ ରାଉତରାୟଙ୍କ ଲିଖିତ ପ୍ରଶ୍ନ ଥିଲା, ପୁରୁଷାନୁକ୍ରମେ ଜଟଣୀ ଅଞ୍ଚଳର ୨୭ଟି ଗ୍ରାମର ସ୍ଥିତିବାନ ଜମିକୁ ଜଗନ୍ନାଥଙ୍କ ନାମରେ ଥିବା ଦର୍ଶାଇ ଲୋକଙ୍କୁ କିଣାବିକା କରିବାରୁ ବଞ୍ଚିତ କରାଯାଉଛି। ଏହା ଦ୍ବାରା ବହୁ ହିତାଧିକାରୀ ଝିଅ ବାହାଘର ଓ ଉନ୍ନତିମୂଳକ କାର୍ଯ୍ୟ କରିପାରୁ ନାହାନ୍ତି। ତେଣୁ ବିବାଦର ସମାଧାନ ପାଇଁ ସରକାର କି ପଦକ୍ଷେପ ନେଇଛନ୍ତି?

ଉତ୍ତରରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଥିଲେ, ଜଟଣୀ ଅଞ୍ଚଳର କିଛି ଗ୍ରାମର କିଛି ସ୍ଥିତିବାନ ଜମି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ତରଫରୁ ମନ୍ଦିର ପ୍ରଶାସକଙ୍କ ନାମରେ ବନ୍ଦୋବସ୍ତରେ ରେକର୍ଡ ହୋଇଥିବା ଅଭିଯୋଗ ସରକାରଙ୍କ ଦୃଷ୍ଟିକୁ ଆସିଛି। ଏ ବାବଦରେ ହୋଇଥିବା ମାମଲାର ବିଚାର କରି ହାଇକୋର୍ଟ ଗତ ମାର୍ଚ୍ଚ ୧୨ ତାରିଖରେ ନିର୍ଦ୍ଦେଶ ଦେଇଛନ୍ତି ଯେ ଆବେଦନକାରୀଙ୍କ ଦରଖାସ୍ତକୁ ସଂପୃକ୍ତ କର୍ତ୍ତୃପକ୍ଷ ୬ ମାସ ମଧ୍ୟରେ ବିଚାର କରିବେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପୂର୍ବତନ ଖାରାଜାତ ମାହାଲ ରୟତ ସୁରକ୍ଷା କମିଟି, ଜଟଣୀ ସରକାରଙ୍କୁ ତାଙ୍କର ପ୍ରତିବେଦନ ଦାଖଲ କରିଛନ୍ତି। ଏହାର ଗୁରୁତ୍ବ ଉପଲବ୍ଧି କରି ରାଜ୍ୟ ସରକାରଙ୍କ ଦ୍ବାରା ସେମାନଙ୍କ ପ୍ରତିବେଦନ/ଦରଖାସ୍ତ ଓ ଅନ୍ୟାନ୍ୟ କାଗଜାତ ରାଜସ୍ବ ପର୍ଷଦ ସଚିବଙ୍କ ନିକଟକୁ ମେ’ ୭ ତାରିଖରେ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ପଠାଯାଇଛି।

ସମ୍ବନ୍ଧିତ ଖବର