ଓଡ଼ିଶାରେ ଏଥର ନିଅଣ୍ଟିଆ ବର୍ଷା: ଅଧିକାଂଶ ଜିଲ୍ଲାରେ ସ୍ବାଭାବିକଠାରୁ କମ୍‌

ଦେଶରେ ସ୍ବାଭାବିକଠାରୁ ଅଧିକ ବର୍ଷିବ

ଭୁବନେଶ୍ୱର: ଏଥର ଓଡ଼ିଶାରେ ନିଅଣ୍ଟିଆ ବର୍ଷା। ୪ରୁ ୫ଟି ଜିଲ୍ଲାକୁ ଛାଡ଼ି ‌ଦେଲେ ସାରା ଓଡ଼ିଶାରେ ସ୍ବାଭାବିକଠାରୁ କମ୍‌ ବର୍ଷା ହେବ। ଅନୁଗୁଳ, ଢେଙ୍କାନାଳ, ଗଞ୍ଜାମ, କେନ୍ଦୁଝର ସମେତ ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାନ୍ତ ଜିଲ୍ଲାଗୁଡ଼ିକର କିଛି ଅଂଶ, ମାଲକାନଗିରିର କେତେକ ସ୍ଥାନରେ ସ୍ବାଭାବିକ ଠାରୁ ସାମାନ୍ୟ ଅଧିକ ବର୍ଷା ହୋଇପାରେ। ନ ହେଲେ ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ପରିମାଣ ସ୍ବାଭାବିକଠାରୁ କମ୍‌ ରହିବ। ତେବେ ଦେଶରେ ସ୍ୱାଭାବିକଠାରୁ ଅଧିକ ବର୍ଷାର ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ ଜାରି ହୋଇଥିବା ଦୀର୍ଘ ଅବଧି ଆକଳନରେ ଏଭଳି ପୂର୍ବାନୁମାନ କରାଯାଇଛି।

ଦକ୍ଷିଣ-ପଶ୍ଚିମ ମୌସୁମୀ ପାଇଁ ଆଇଏମ୍‌ଡି ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ୨୦୨୪ ମୌସୁମୀ ଋତୁ(ଜୁନରୁ ସେପ୍ଟେମ୍ବର) ମଧ୍ୟରେ ସାରା ଦେଶରେ ୧୦୬%ରୁ ଅଧିକ ବର୍ଷା ହେବ, ଯାହାକି ସ୍ବାଭାବିକ(୧୦୪%)ଠାରୁ ଅଧିକ। ଉତ୍ତର ଭାରତର ଅଧିକାଂଶ ରାଜ୍ୟ ଯଥା ଦିଲ୍ଲୀ, ଉତ୍ତରପ୍ରଦେଶ, ବିହାର, ପଞ୍ଜାବ, ହରିଆଣା, ଉତ୍ତରାଖଣ୍ଡ ପ୍ରଭୃତି ରାଜ୍ୟରେ ସ୍ବାଭାବିକଠାରୁ ବହୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ସମେତ ଓଡ଼ିଶା, ପଶ୍ଚିମବଙ୍ଗ ଓ ଛତିଶଗଡ଼ର କେତେକ ସ୍ଥାନରେ ନିଅଣ୍ଟିଆ ବର୍ଷା ହେବ। ୧୯୭୧ରୁ ୨୦୨୦ ମସିହା ମଧ୍ୟରେ ସାରା ଦେଶରେ ହାରାହାରି ୮୭ ସେମି ବର୍ଷା ହୋଇଛି। ଏଥର ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରାରମ୍ଭରେ ଏଲ୍‌-ନିନୋ କ୍ରମେ ଦୁର୍ବଳ ହୋଇପାରେ। ମୌସୁମୀ ଦ୍ୱିତୀୟାର୍ଦ୍ଧ ତଥା ଅଗଷ୍ଟ ମାସ ବେଳକୁ ଲା-ନିନା ସକ୍ରିୟ ହେବାର ସମ୍ଭାବନା ରହିଛି। ୧୯୫୪ରୁ ୨୦୨୩ ମଧ୍ୟରେ ୯ ବର୍ଷ ଏଭଳି ସମୟ ଆସିଛି। ଏହି ସମୟରେ ଦୁଇ ବର୍ଷ ସ୍ବାଭାବିକଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି। ୫ ବର୍ଷ ସବୁଠୁ ଅଧିକ ବର୍ଷା ରେକର୍ଡ ହୋଇଛି। ମୌସୁମୀ ସମୟରେ ୨୨ ବର୍ଷ ଲା-ନିନା ସକ୍ରିୟ ରହିବାରୁ ସ୍ବାଭାବିକଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ତେବେ ଚଳିତ ବର୍ଷ ମୌସୁମୀ କେବେ କେରଳ ଛୁଇଁବ, ସେନେଇ ମେ’ ମାସରେ ଆକଳନ କରାଯିବ ବୋଲି ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଦୁଇ ଦିନ ତଳେ ପୂର୍ବାନୁମାନ କରି କହିଥିଲେ ଯେ ଏଥର ମୌସୁମୀ ବର୍ଷା ଠିକ୍‌ ସମୟରେ ଆରମ୍ଭ ହେବ। ତେବେ ଦେଶରେ ବର୍ଷା ସ୍ବାଭାବିକ ରହିବାକୁ ଥିବା ବେଳେ ରାଜ୍ୟରେ ବର୍ଷା ପରିମାଣ କମିବ। ବିଭିନ୍ନ ସଂସ୍ଥାର ଆକଳନ ଅନୁଯାୟୀ ଗ୍ରୀଷ୍ମ ମଣ୍ଡଳୀୟ ପ୍ରଶାନ୍ତ ମହାସାଗରର ସମୁଦ୍ର ପତ୍ତନର ତାପମାତ୍ରା କମିବାରେ ଲାଗିଛି। ସମୁଦ୍ର ଭିତରେ ୩୦୦ ମିଟର ଗଭୀର ପର୍ଯ୍ୟନ୍ତ ତାପମାତ୍ରା କମୁଛି। ପଶ୍ଚିମ କେନ୍ଦ୍ରୀୟ ବିଷୁବ ମଣ୍ଡଳରେ ନିମ୍ନ ବାୟୁମଣ୍ଡଳରେ ପଶ୍ଚିମା ପବନ ବହୁଛି। ବର୍ତ୍ତମାନ ଏଲ୍‌-ନିନୋ ଚାଲୁରହିଛି ଏବଂ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏପ୍ରିଲ ସୁଦ୍ଧା ଏଲ୍‌-ନିନୋ ନ୍ୟୁଟ୍ରାଲ ଅବସ୍ଥାକୁ ଆସିବ। ଜୁଲାଇ ଓ ଅଗଷ୍ଟ ସୁଦ୍ଧା ଲା-ଲିନାରେ ପରିଣତ ହେବାର ୬୨% ସମ୍ଭାବନା ରହିଛି। ଏହାଦ୍ବାରା ଲା-ନିନା ସମୟରେ ମୌସୁମୀ ବର୍ଷା ନିଅଣ୍ଟିଆ ହେବାର ସମ୍ଭାବନା କମ୍‌ ରହିଛି। ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ପ୍ରତି ମାସରେ ବର୍ଷାର ପରିମାଣ ଦେଶରେ ଠିକ୍‌ ରହିବ। ଦକ୍ଷିଣ ଭାରତ ଓ ପଶ୍ଚିମ ଉପକୂଳରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ। ଓଡ଼ିଶା ସମେତ ପୂର୍ବ ଭାରତରେ ଜୁନ୍‌ ଓ ଜୁଲାଇରେ ସ୍ବାଭାବିକ ବର୍ଷା ହୋଇପାରେ। ଓଡ଼ିଶାରେ ମୌସୁମୀ ବର୍ଷା ଆରମ୍ଭ ଠିକ୍‌ ଭାବେ ହୋଇପାରେ। ତେବେ ଜୁଲାଇରେ ଦକ୍ଷିଣ ଓଡ଼ିଶା ଓ ଅଗଷ୍ଟରେ ସାରା ଓଡ଼ିଶା ସମେତ ଛତିଶଗଡ଼ରେ ନିଅଣ୍ଟିଆ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମ‌ୟରେ ରାଜ୍ୟରେ ଧାନ ରୁଆ ବେଉଷା ହେଉଥିବାରୁ ପ୍ରଭାବିତ ହୋଇପାରେ। ମେ’ ମାସ‌ରେ ‌ମୌସୁମୀ ବର୍ଷା ସମ୍ପର୍କରେ ଅଧିକ ଆକଳନ କରାଯାଇପାରିବ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର