ଅଭିନନ୍ଦନ ଜଣାଇଲେ ନବୀନ, ଧର୍ମେନ୍ଦ୍ର, ନିରଞ୍ଜନ

ଭୁବନେଶ୍ୱର : ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ର ଓ ଓଡ଼ିଶୀ ନୃତ୍ୟଶିଳ୍ପୀ ସୋନାଲ ମାନସିଂହଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରାଗଲା ପରେ ଉଭୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର କଳା ଓ ସଂସ୍କୃତିର ପ୍ରଚାର, ପ୍ରସାର କରିବାରେ ଉଭୟଙ୍କ ବିଶାଳ ଅବଦାନ ରହିଛି। ଏପରି ବ୍ୟକ୍ତିତ୍ୱଙ୍କୁ ରାଷ୍ଟ୍ରପତି ମନୋନୀତ କରିଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଆଜି ହେଉଛି ଓଡ଼ିଶା ପାଇଁ ସୌଭାଗ୍ୟର ଦିନ। ପବିତ୍ର ରଥଯାତ୍ରାରେ ଓଡ଼ିଶାର ଦୁଇ ଜଣ ଅନନ୍ୟ ପ୍ରତିଭାଙ୍କୁ ଭାରତ ସରକାରଙ୍କ ଅନୁମୋଦନକ୍ରମେ ରାଷ୍ଟ୍ରପତି ରାଜ୍ୟସଭାକୁ ମନୋନୀତ କରିଛନ୍ତି। ପ୍ରଥମ ଓଡ଼ିଆ ଭାବେ ସେମାନଙ୍କୁ ଏହିପରି ସ୍ଥାନରେ ମନୋନୀତ କରି ଭାରତ ସରକାର ଓଡ଼ିଶାର ପରମ୍ପରା, ସଂସ୍କୃତି ଓ ଲୋକକଳାକୁ ସମ୍ମାନିତ କରିଛନ୍ତି। ଏଥି ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶ୍ରୀ ପ୍ରଧାନ କୃତଜ୍ଞତା ଜ୍ଞାପନ କରିଛନ୍ତି।

ନିରଞ୍ଜନଙ୍କ ଅଭିନନ୍ଦନ

ଭୁବନେଶ୍ୱର : ରଘୁନାଥ ମହାପାତ୍ର ଓ ସୋନାଲ ମାନସିଂହଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରାଯାଇଥିବାରୁ ପିସିସି ସଭାପତି ନିରଜଂନ ପଟ୍ଟନାୟକ ଆନନ୍ଦ ପ୍ରକାଶ କରିଛନ୍ତି। ଆଜି ଏକ ବିବୃତିରେ ଶ୍ରୀ ପଟ୍ଟନାୟକ ଉଭୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ରଘୁନାଥ ମହାପାତ୍ର ଓ ସୋନାଲ ମାନସିଂହ ହେଉଛନ୍ତି ଓଡ଼ିଶାର ଗର୍ବ ଓ ଗୌରବ। ସେମାନଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରିଥିବାରୁ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର