ଲଘୁଚାପ ଦୁର୍ବଳ : ଦୀପାବଳି ବେଳକୁ ପାଗ ଶୁଖିଲା ରହିବ, ବାତ୍ୟା କିମ୍ବା ବନ୍ୟା ସମ୍ଭାବନା ନାହିଁ

ଭୁବନେଶ୍ବର: ଦୁଇ ଦିନର ଲଘୁଚାପର ଲଗାଣ ବର୍ଷା ପରେ ଆସିଛି ଆଶ୍ୱସ୍ତିର ଖବର । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଦୁର୍ବଳ ହୋଇଛି । ଫଳରେ ବର୍ଷା ଧୀରେ ଧୀରେ କମିବ । ଆସନ୍ତାକାଲି ଠାରୁ ପାଗରେ ଆସିଯିବ ସୁଧାର । ତେବେ କୌଣସି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ନ ଥିବା ସ୍ପଷ୍ଟ କରିଛି ଆଂଚଳିକ ପାଣିପାଗ ବିଭାଗ । ତେବେ ରାଜ୍ୟର ଉତ୍ତର ଓ ଅଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ଲାଗି ରହିବ । ଦୀପାବଳି ବେଳକୁ ପାଗ ଶୁଖିଲା ରହିବ । ମତ୍ସ୍ୟଜୀବୀଙ୍କ ପାଇଁ କୌଣସି ସତର୍କ ସୂଚନା ନାହିଁ । ଏହା ସହିତ ବାତ୍ୟା ନେଇ କୌଣସି ସୂଚନା ନଥିବା ସ୍ପଷ୍ଟ କରିଛି ପାଣିପାଗ ବିଭାଗ। ସୋସିଆଲ୍ ମିଡିଆରେ ପ୍ରସରିତ ହେଉଥିବା  ବାତ୍ୟା ଖବର କେବଳ ଗୁଜବ ବୋଲି ସ୍ପଷ୍ଟ କରିଛି ଆଂଚଳିକ ପାଣିପାଗ ବିଭାଗ ।

ଆଜି ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ଏକ ସାମ୍ବାଦିକ ସମ୍ମିଳନୀ କରି ନିକଟରେ କୌଣସି ବାତ୍ୟା ଆସିବାର ନାହିଁ ବୋଲି ସ୍ପଷ୍ଯ କରିଛନ୍ତି। ରାଜ୍ୟର କୌଣସି ସ୍ଥାନରେ ବି ବନ୍ୟା ପରିସ୍ଥିତି ନାହିଁ, କେବଳ ଜଳକା ଓ କାଣୀ ନଦୀରେ ବିପଦ ସଙ୍କେତ ଉପରେ ଜଳସ୍ତର ରହିଛି। ସେ ଗଜପତିରେ ଘର ଭାଙ୍ଗିଥିବା ଲୋକଙ୍କୁ ସହାୟତା ଦିଆଯିବ ଓ କେନ୍ଦୁଝର ହରିଚନ୍ଦନପୁରରେ କାନ୍ଥ ପଡ଼ି ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ଦିଆଯିବ ବୋଲି ଘୋଷଣା କରିଥିଲେ।

ସେପଟେ, ଲଗାଣ ବର୍ଷା ଲାଗି ରହିବା ଯୋଗୁଁ ଆଜି ୧୦ଟି ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି । ବର୍ଷା ଯୋଗୁଁ କେନ୍ଦ୍ରାପଡା, ଜଗତସିଂହପୁର, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ଢ଼େଙ୍କାନାଳ, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ଯାଜପୁର ଜିଲ୍ଳାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରଗୁଡିକ ଛୁଟି ରହିବ ବୋଲି ଏହି ସବୁ ଜିଲ୍ଲାର ଜିଲ୍ଲାପାଳମାନେ ଘୋଷଣା କରିଛନ୍ତି । ଗତକାଲି ପ୍ରବଳ ବର୍ଷା ଯୋଗୁଁ କଟକ, କେନ୍ଦ୍ରାପଡା. ଢ଼େଙ୍କାନାଳ, ପୁରୀ, ଯାଜପୁର, ଭଦ୍ରକ, ଗଞ୍ଜାମ ଓ ଗଜପତି ଜିଲ୍ଲାର ସ୍କୁଲ ଓ ଅଙ୍ଗନୱାଡି ଗୁଡିକ ଛୁଟି ଘୋଷଣା କରାଯାଇଥିଲା ।

ସମ୍ବନ୍ଧିତ ଖବର