‌କେନ୍ଦ୍ର ମନ୍ତ୍ରୀଙ୍କୁ ଅସହଯୋଗରେ ଶାସକ ଦଳର ପ୍ରଚ୍ଛନ୍ନ ହାତ: ନିତ୍ୟାନନ୍ଦ

ଭୁବନେଶ୍ବର : ସାଂସଦ ବିଶ୍ବେଶ୍ବର ଟୁଡ଼ୁ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭାବେ ସମୀକ୍ଷା ବୈଠକ କରୁଥିବା ବେଳେ ତାଙ୍କୁ ଜିଲ୍ଲା ପ୍ରଶାସନ ଅବହେଳା ପ୍ରଦର୍ଶନ କରୁଛି। ଜିଲ୍ଲାର ସମୀକ୍ଷା ବୈଠକରେ ଜିଲ୍ଲାପାଳ ଅନୁପସ୍ଥିତ ରହି କନିଷ୍ଠ ଯନ୍ତ୍ରୀଙ୍କୁ ଦାୟିତ୍ବ ଦେଉଛନ୍ତି। ଯାହାକି ଦୁର୍ଭାଗ୍ୟଜନକ। ରାଜ୍ୟ ସରକାର ଓ ଶାସକ ଦଳର ପ୍ରଚ୍ଛନ୍ନ ହାତ ଥାଇ କେନ୍ଦ୍ରମନ୍ତ୍ରୀଙ୍କୁ ସହଯୋଗ ଓ ସମ୍ମାନ ପ୍ରଦାନରେ ଅବହେଳା କରାଯାଉଥିବା ଅଭିଯୋଗ କରିଛନ୍ତି ବିଜେପି ଅନୁସୂଚିତ ଜନଜାତି ମୋର୍ଚା ରାଜ୍ୟ ସଭାପତି ତଥା ବିଧାୟକ ନିତ୍ୟାନନ୍ଦ ଗଣ୍ଡ।

ଶ୍ରୀ ଗଣ୍ଡ କହିଛନ୍ତି ଯେ ପ୍ରଶାସନିକ ଅଧିକାରୀ ନିଜର ସାମ୍ବିଧାନିକ ଦାୟିତ୍ବ ଭୁଲି ଲୋକଙ୍କ ସେବା ପରିବର୍ତେ ଶାସକ ଦଳର ହାତବାରସି ସାଜିଛନ୍ତି। ଦଳୀୟ ସ୍ବାର୍ଥ ପାଇଁ ଅସହିଷ୍ଣୁ ହୋଇ କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଟୁଡୁଙ୍କୁ ଅସହଯୋଗ ଓ ଅସମ୍ମାନ କରାଯାଇଛି। ମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ପ୍ରକଳ୍ପର କାର୍ଯ୍ୟକାରିତା ସଂପର୍କରେ ପ୍ରଶାସନିକ ଉତ୍ତରାଧିକାରୀ ଉତ୍ତର ରଖିପାରୁ ନାହାନ୍ତି। ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ତାଗିଦ୍ କରିବାରୁ ଏହାକୁ ଅଲଗା ଅର୍ଥରେ ନିଆଯାଉଛି। ଏହି ମିଥ୍ୟା ଓ ମନଗଢ଼ା ବିଷୟକୁ ନେଇ ଶାସକ ଦଳ ମିଥ୍ୟା ପ୍ରଚାର କରୁଛି ବୋଲି ଶ୍ରୀ ଗଣ୍ଡ କହିଛନ୍ତି। ଏହି ଅବସରରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ସାହୁ, ଏସ୍‌ଟି ମୋର୍ଚା ନବରଙ୍ଗପୁର ଜିଲ୍ଲା ସଭାପତି ଶ୍ୟାମସୁନ୍ଦର ମାଝୀ ଓ ଭଜନାଥ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର