ମର୍ଡର ଲିଙ୍କ୍: ଭୁବନେଶ୍ବରରୁ ଛତିଶଗଡ଼ ଭାୟା ଝାରସୁଗୁଡ଼ା

ପ୍ରମାଣ ନଷ୍ଟ ପାଇଁ ବିକି ଦେଇଥିଲେ ଘର! ଅନୁପଙ୍କୁ ଧରି ରେକି ପାଇଁ ଆସିପାରେ ପୁଲିସ

ଭୁବନେଶ୍ବର : ମା-ଝିଅଙ୍କୁ ଡବଲ୍ ମର୍ଡର ଘଟଣାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଲିଙ୍କ୍ ଭୁବନେଶ୍ବରରୁ ଛତିଶଗଡ଼ ପର୍ଯ୍ୟନ୍ତ ଲମ୍ବିଛି। ଭୁବନେଶ୍ବରର ସୁନ୍ଦରପଦାରେ ଥିବା ଅନୁପଙ୍କ ଯେଉଁ ଘରେ କଳ୍ପନା ଓ ତାଙ୍କ ଝିଅ ବବ୍‌ଲି ରହୁଥିଲେ, ଦୁହିଁଙ୍କୁ ହତ୍ୟା ପରେ ତାହା ସେ ବିକ୍ରି କରି ଦେଇଥିବା ଜଣାପଡ଼ିଛି।

ଆଜି ସ୍ଥାନୀୟ ଅଞ୍ଚଳର ଜଣେ ବାସିନ୍ଦା ନିଜ ନାମ ଗୋପନ ରଖି କହିଛନ୍ତି ଅନୁପ ସେଠାରେ ଦୀର୍ଘ ବର୍ଷ ଧରି ରହୁଥିଲେ। ଗଣମାଧ୍ୟମରୁ ଫଟୋ ଦେଖିବା ପରେ ସେମାନେ ବି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ମହିଳା ଓ ତାଙ୍କ ଝିଅ ଦୀର୍ଘ ବର୍ଷ ଧରି ସେଠାରେ ରହୁଥିଲେ। ତିନି ମହଲା କୋଠା ହୋଇଥିବାରୁ ମା ଝିଅ ଭଡ଼ାରେ ରହୁଥିଲେ ବୋଲି ସ୍ଥାନୀୟ ଲୋକେ ଅନୁମାନ କରୁଥିଲେ। ସେତେବେଳେ ଅନୁପ ବିଧାୟକ ଥିବାରୁ ଏକାଧିକ ଗାଡ଼ି ଯିବା ଆସିବା କରୁଥିଲା। ମଝିରେ ମଝିରେ ଅନୁପଙ୍କ ଗାଡ଼ିରେ କଳ୍ପନାଙ୍କ ଝିଅ ୟୁନିଫର୍ମରେ ସ୍କୁଲ ଯିବା ଆସିବା କରୁଥିଲା।

ଝିଅର ମା ବି ଅନୁପଙ୍କ ଗାଡ଼ିରେ ଯିବା ଆସିବା କରୁଥିଲେ। ମହିଳାଙ୍କ ଘର ଲୋକେ ଦୂରରେ ରହୁଥିବାରୁ ଅନୁପ ତାଙ୍କୁ ସାହାଯ୍ୟ ସହାୟତା କରୁଥିଲେ ବୋଲି ସେମାନେ ଭାବୁଥିଲେ। କିଛି ବର୍ଷ ହେଲା ମହିଳାଙ୍କ ଦେଖା ମିଳୁ ନ ଥିବାରୁ ସେ ଘର ଛାଡ଼ି ଅନ୍ୟତ୍ର ଭଡ଼ା ନେଇ ରହୁଥିବା ସେମାନେ ଅନୁମାନ କରୁଥିଲେ। ପରେ ଅନୁପ ଘର ବିକ୍ରି କରିବା କଥା ବି ଜାଣିଥିଲେ। ଗଣମାଧ୍ୟମରେ ଅନୁପଙ୍କ ଜଘନ୍ୟ କାଣ୍ଡର କାହାଣୀ ଜାଣିବା ପରେ ସ୍ଥାନୀୟ ଲୋକ ବି ହତଚକିତ ହୋଇ ଯାଇଛନ୍ତି।

କଳ୍ପନା ଓ ତାଙ୍କ ଝିଅ ବବଲିଙ୍କୁ ଧରି ଅନୁପ ୨୦୧୧ରୁ ୨୦୧୬ ପର୍ଯ୍ୟନ୍ତ ସୁନ୍ଦରପଦାରେ ରହୁଥିଲେ। ୨୦୧୬ ମେ ୫ ତାରିଖରେ କଳ୍ପନା ଓ ତାଙ୍କ ଝିଅଙ୍କୁ ଅନୁପ ନେଇ ଯାଇଥିଲେ। ତହିଁ ପରଦିନ ଛତିଶଗଡ଼ରେ ଉଭୟଙ୍କୁ ବୀଭତ୍ସ ଭାବେ ହତ୍ୟା କରା ଯାଇଥିଲା। ଘଟଣାର କିଛି ମାସ ପରେ ଅନୁପ ନିଜ ପତ୍ନୀଙ୍କ ନାଁରେ ଥିବା ସେହି ଘରକୁ ବିକ୍ରି କରି ଦେଇଥିଲେ। ଶୈଳଶ୍ରୀବିହାର ଅଞ୍ଚଳର ବନ୍ଦନା ବେହେରା ଅନୁପଙ୍କଠାରୁ ଏହି ଘର କିଣିଥିଲେ। ଆଉ ବନ୍ଦନା ଏହି ଘରକୁ ୨୦୧୮ ମାର୍ଚ୍ଚରେ ଅଳକା ଦାଶଙ୍କୁ ବିକ୍ରି କରି ଦେଇଥିଲେ।ଏହି ମାମଲାରେ ସବୁ ପ୍ରମାଣ ନଷ୍ଟ କରିବାକୁ ଅନୁପ ଚେଷ୍ଟା କରିଥିଲେ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି। ଯେମିତି ବୋଲେରୋ ଗାଏବ କରି ଦେଇଥିଲେ ସେମିତି ଘରକୁ ବି ବିକି ଦେଇଥିଲେ ବୋଲି ପୁଲିସ ସନ୍ଦେହ କରୁଛି। ଏହି ପ୍ରମାଣ ମଧ୍ୟ ଛତିଶଗଡ଼ ପୁଲିସ ଯୋଗାଡ଼ କରିବ‌ାକୁ ଏଠାକୁ ଆସିବ ବୋଲି ଜଣାପଡ଼ିଛି। କାରଣ ଗତ ତିନି ବର୍ଷ ଭିତରେ ଛତିଶଗଡ଼ ପୁଲିସ ତଥ୍ୟ ପ୍ରମାଣ ଯୋଗାଡ଼ କରିବା ଲାଗି ଏକାଧିକ ଥର ସେହି ଘରକୁ ଆସିଥିବା ଜଣାପଡିଛି।

ବର୍ତ୍ତମାନର ଘର ମାଲିକାଣୀ ଅଳକାଙ୍କ ସ୍ବାମୀ ସୁରେଶ ଚନ୍ଦ୍ର ଦାଶ କହିଛନ୍ତି ପ୍ରାୟ ବର୍ଷକ ତଳେ ଛତିଶଗଡ଼ ପୁଲିସ ଟିମ୍ ସୁନ୍ଦରପଦାର ସେହି ଘରକୁ ଯାଇଥିଲା। ସେଠାରେ ଯାଇ କଳ୍ପନାଙ୍କ ସମ୍ପର୍କରେ ପଚରାଉଚରା କରିଥିଲା। ସୁରେଶଙ୍କ ପରିବାର ଲୋକଙ୍କୁ କଳ୍ପନା ଓ ତାଙ୍କ ଝିଅଙ୍କ ଫଟୋ ଦେଖାଇ ସେମାନଙ୍କ ସମ୍ପର୍କରେ ପଚାରିଥିଲା। କିନ୍ତୁ ସେମାନେ କଳ୍ପନାଙ୍କୁ ଚିହ୍ନି ନ ଥିବା ପୁଲିସକୁ ସୂଚନା ଦେଇଥିଲେ। ଅନୁପ କିଏ ବୋଲି ଜାଣି ନ ଥିଲେ। କାରଣ ସେମାନେ ଅନୁପଙ୍କଠାରୁ ଘର କିଣି ନ ଥିଲେ। ତେବେ ଅନୁପଙ୍କଠାରୁ ଘର କିଣିଥିବା ବନ୍ଦନାଙ୍କୁ ଏ ସମ୍ପର୍କରେ ପୁଲିସ ପଚରାଉଚରା କରିଛି କି ନାହିଁ ତାହା ସ୍ପଷ୍ଟ ହୋଇ ପାରିନାହିଁ।

ମା-ଝିଅଙ୍କୁ ଡବଲ୍ ମର୍ଡର ମାମଲାରେ ଛତିଶଗଡ଼ର ରାୟଗଡ଼ ପୁଲିସ ଆଜି ଅନୁପଙ୍କ ସହଯୋଗୀ ଡ୍ରାଇଭର ବର୍ଦ୍ଧନ ଟପ୍ପୋକୁ ବି ଗିରଫ କରିଛି। ହତ୍ୟାକାଣ୍ଡରେ ବ୍ୟବହୃତ ଗାଡିର ଜଗ୍ ରଡ୍, ବୋଲେରୋ କେଉଁଠି ଅଛି ତାହା ଜାଣିବା ଲାଗି ତନାଘନା ଆରମ୍ଭ କରିଛି। ହତ୍ୟାର ଶିକାର ହୋଇଥିବା କଳ୍ପନା ଓ ତାଙ୍କ ଝିଅ ବବଲିକୁ ଭୁବନେଶ୍ବର ସୁନ୍ଦରପଦା ଫ୍ଲାଟରୁ ହିଁ ନିଆ ଯାଇଥିବା ଛତିଶଗଡ଼ ଏସ୍‌ପି ସ୍ପଷ୍ଟ କରି ସାରିଛନ୍ତି। କେମିତି ଏହି ଘରୁ ସେମାନଙ୍କୁ ନିଆ ଯାଇଥିଲା, ଝାରସୁଗୁଡ଼ା‌ ବସଷ୍ଟାଣ୍ଡରେ ଓହ୍ଲାଇବା ପରେ ହୋଟେଲରେ ରହଣି, ଏହା ପରେ କେମିତି ରାୟଗଡ଼ ଥାନା ଅନ୍ତର୍ଗତ ହମିରପୁରର ସେହି ନିକାଞ୍ଚନ ରାସ୍ତା (ଘଟଣାସ୍ଥଳ)କୁ ଯାଇଥିଲେ, କେମିତି ହତ୍ୟା କରିଥିଲେ ତାହାର ଏକ ରେକି କରିବ ପୁଲିସ। ଅନୁପ ଓ ଡ୍ରାଇଭର ଧରା ପଡ଼ିଯାଇଥିବାରୁ ଉଭୟଙ୍କୁ ଖୁବଶୀଘ୍ର ପୁଲିସ ରିମାଣ୍ଡରେ ଆଣି ଭୁବନେଶ୍ବରରୁ ରେକି ଆରମ୍ଭ କରିପାରେ। ସୁନ୍ଦରପଦା ଘରୁ ହିଁ ଏହି ରେକି ଆରମ୍ଭ ହୋଇ ପୂରା ଘଟଣାସ୍ଥଳ ପର୍ଯ୍ୟନ୍ତ ଯିବ। ଏହି ମାମଲାରେ ପ୍ରତ୍ୟକ୍ଷଦର୍ଶୀ ନ ଥିବାରୁ ଅଧିକରୁ ଅଧିକ ପାରିପାର୍ଶ୍ବିକ ତଥ୍ୟ ପ୍ରମାଣ ପୁଲିସ ଗ୍ରହଣ କରିବାରେ ଲାଗି ପଡ଼ିଛି। ପୂରା କ୍ରାଇମ ସିନ୍ ରିକ୍ରିଏସନ୍ ପାଇଁ ପୁଣି ଥରେ ଛତିଶଗଡ଼ ପୁଲିସ ଭୁବନେଶ୍ବର ଆସିପାରେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର