ପୁଅ ଜନ୍ମଦିନରେ ନୀଳାଚଳ ଶ୍ରମିକଙ୍କ ଆତ୍ମହତ୍ୟା

କଳିଙ୍ଗନଗର ଶିଳ୍ପାଞ୍ଚଳ ସ୍ଥିତି ଅସମ୍ଭାଳ
ଚାରି ମାସ ଧରି ଦରମା ନ ପାଇ ଦୁଶ୍ଚିନ୍ତାରେ ଥିଲେ
କାରଖାନା କର୍ତ୍ତୃପକ୍ଷଙ୍କ ମନମାନିକୁ ନେଇ ତୀବ୍ର ପ୍ରତିକ୍ରିୟା

ଯାଜପୁର/ଦାନଗଦୀ : ଏସିଆ ମହାଦେଶର ଇସ୍ପାତ ରାଜଧାନୀ କୁହାଯାଉଥିବା କଳିଙ୍ଗନଗର ସ୍ଥିତି ଏବେ ଅସମ୍ଭାଳ। ଗୋଟିଏ ପରେ ଗୋଟିଏ ଇସ୍ପାତ କାରଖାନାରେ ତାଲା ପଡ଼ିବାରେ ଲାଗିଛି। ହଜାର ହଜାର ଶ୍ରମିକ ଓ କର୍ମଚାରୀ ଦରମା ନପାଇ ଭୋକ ଉପାସରେ ଦିନ କାଟୁଛନ୍ତି। ଏହି କାରଣରୁ ମାନସିକ ଭାରସାମ୍ୟ ହରାଉଛନ୍ତି ଛଟେଇ ହୋଇଥିବା ଏବଂ ଦରମା ପାଇନଥିବା ଲୋକେ। ଆଜି ଏକ ଦୁଃଖଦାୟକ ଘଟଣା କଳିଙ୍ଗନଗରରେ ଦେଖିବାକୁ ମିଳିଛି। ୪ମାସ ଧରି ଦରମା ପାଇନଥିବା ନୀଳାଚଳ କାରଖାନାର ଠିକାଶ୍ରମିକ କି‌ଶୋର ଜେନା ଆଜି ନିଜ ପୁଅର ଜନ୍ମଦିନରେ ଆତ୍ମହତ୍ୟା କରିବା ଘଟଣା ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି କରିଛି।

Facebook

କଳିଙ୍ଗନଗରର ଏକମାତ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ କାରଖାନାରେ ସାରଙ୍ଗପୁର ଗ୍ରାମର ଚିନ୍ତାମଣି ଜେନାଙ୍କ ପୁଅ କିଶୋର ଚନ୍ଦ୍ର ଜେନା(୩୨) ସିଣ୍ଟର ପ୍ଲାଣ୍ଟ ସାଇଟ୍‌ରେ ରଞ୍ଜିତ ରାଜ୍ ଠିକାସଂସ୍ଥା ଅଧୀନରେ କାର୍ଯ୍ୟ କରୁଥିଲେ। ନୀଳାଚଳ କାରଖାନାରେ ତାଲା ପଡ଼ିଥିବା ବେଳେ ଗଲା ୪ମାସ ହେଲା ହଜାର ହଜାର ଶ୍ରମିକଙ୍କ ପରି କିଶୋର ମଧ୍ୟ ଦରମା ପାଇନଥିଲେ। ଦରମା ପାଇଁ ବାରମ୍ବାର ଦାବି କରି ନିରାଶ ହୋଇଥିବା କିଶୋର ମାନସିକ ଭାବେ ଭାଙ୍ଗି ପଡ଼ିଥିଲେ। ଆଜି କିଶୋର ସକାଳୁ ଘରୁ ବାଇକ୍ ଧରି ଗଣ୍ଡାନାଳକୁ ଶୌଚ ହେବାକୁ ଯାଇ ଆଉ ଘରକୁ ଫେରିନଥିଲେ। ମାନଗୋବିନ୍ଦପୁରର ଗଣ୍ଡାନାଳ ନିକଟରେ ଥିବା ଏକ ଗଛରେ କିଶୋରର ଶବ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଦାନଗଦୀ ପୁଲିସ ଶବକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି।

ଅର୍ଥାଭାବ ସତ୍ତ୍ବେ କିଶୋର ପୁଅର ଜନ୍ମଦିନ ପାଇଁ ନୂଆ ‌ପୋଷାକ କିଣିଥିଲେ। ତେବେ ନିଯୁକ୍ତି ହରାଇବା ସହ ୪ମାସର ଦରମା ନପାଇ ମାନସିକ ଚାପରେ ଥିବା କିଶୋର ଶେଷରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିଲେ ପରିବାର ଲୋକ ଓ ତାଙ୍କ ସହକର୍ମୀ ଶ୍ରମିକମାନେ ପ୍ରକାଶ କରିଛନ୍ତି। କାରଖାନା କର୍ତୃପକ୍ଷଙ୍କ ଶ୍ରମିକ ମାରଣନୀତି ଯୋଗୁଁ କିଶୋର ଆତ୍ମହତ୍ୟା କରିଥିବା ଶ୍ରମିକ ନେତା ବାବୁଲି ପୂର୍ତି ଅଭିଯୋଗ କରି କହିଛନ୍ତି। ପୂର୍ବରୁ ଜମିବାଡ଼ି ପାଇଁ କଳିଙ୍ଗନଗରରେ ମୁଣ୍ଡ ଗଡ଼ିଥିବା ବେଳେ ଏବେ ନିଯୁକ୍ତି ହରାଇ ଜୀବନଜୀବିକା ପାଇଁ ମୁଣ୍ଡ ଗଡ଼ିବା ଆରମ୍ଭ କରିଛି। କାରଖାନା କର୍ତ୍ତୃପକ୍ଷ,ପ୍ରଶାସନ ଓ ଲୋକପ୍ରତିନିଧିଙ୍କ ମିଥ୍ୟା ପ୍ରତିଶ୍ରୁତି ଶ୍ରମିକମାନଙ୍କୁ ଅଧିକ ମର୍ମାହତ କରିଛି ବୋଲି ଶ୍ରୀ ପୂର୍ତି ଅଭିଯୋଗ କରିଛନ୍ତି। ଏହା ପୂର୍ବରୁ ଆଉ ଜଣେ ଶ୍ରମିକ ଅର୍ଥାଭାବରୁ ଚିକିତ୍ସା ନପାଇ ଅକାଳରେ ପ୍ରାଣ ହରାଇଥିଲେ। କାରଖାନା କର୍ତ୍ତୃପକ୍ଷଙ୍କ ମନମାନି ଓ ପ୍ରଶାସନର ଅଣଦେଖା ଶ୍ରମିକମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ବିସ୍ଥାପିତ ପରିବାର ନୀଳାଚଳ କାରଖାନର ପରିଚାଳନା ନିର୍ଦ୍ଦେଶକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର