ବଢ଼ିଲା ନନ୍ଦନକାନନ ପରିସୀମା : ସାମିଲ ହେଲା ଚୁଡ଼ଙ୍ଗ ଓ କୃଷ୍ଣନଗର ସଂରକ୍ଷିତ ଜଙ୍ଗଲ, ମିଶିଲା ୬୧୦ ଏକର

ବର୍ଷକ ଭିତରେ ପାଚେରି, ହେବ ବିଶାଳ ହରିଣ ପାର୍କ

ଭୁବନେଶ୍ବର : ବଢ଼ିଲା ନନ୍ଦନକାନନର କଳେବର। ୪୩୭ ଏକର ପରିମିତ ଜମିରେ ଛିଡ଼ା ହୋଇଥିବା ଏହି ପ୍ରାଣୀ ଉଦ୍ୟାନ ସହ ଯୋଡ଼ି ହୋଇଛି ଆଉ ୬୧୦ ଏକର ଜଙ୍ଗଲ ଜମି। ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ଥିବା ଚୁଡ଼ଙ୍ଗ ଓ କୃଷ୍ଣନଗର ସଂରକ୍ଷିତ ଜଙ୍ଗଲକୁ ପ୍ରାଣୀ ଉଦ୍ୟାନ ସହ ସଂଯୋଗ କରାଯାଇଛି। ଉକ୍ତ ଦୁଇ ସଂରକ୍ଷିତ ଅଞ୍ଚଳ ଯୋଡ଼ି ହେବା ପରେ ନନ୍ଦନକାନନର ଆକାର ୧ ହଜାର ୪୭ ଏକରରେ ପହଞ୍ଚିଛି। ନୂତନ ଭାବେ ଯୋଡ଼ି ହୋଇଥିବା ଜମିର ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ବ ନନ୍ଦନକାନନ କର୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି। ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଶାଳ ନନ୍ଦନକାନନ ସ୍ବପ୍ନ ସାକାର ହେବାକୁ ଯାଉଛି।

ଯୋଜନା ଅନୁଯାୟୀ ନନ୍ଦନକାନନ ପଛପାର୍ଶ୍ବରେ ଥିବା ଉକ୍ତ ଦୁଇ ସଂରକ୍ଷିତ ଜଙ୍ଗଲ ସାମିଲ ହୋଇଥିବାରୁ ସେଠାରେ ମଧ୍ୟ ଜୀବଜନ୍ତୁ ରହିବେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଜମି ଚିହ୍ନଟ ପରେ ପାଚେରି ବୁଲିବ। ଜଙ୍ଗଲର ବିଭିନ୍ନ ସ୍ଥାନରେ ଖୁଆଡ଼ ନିର୍ମାଣ କରାଯିବ। ଚିହ୍ନଟ ହୋଇଥିବା ଜଙ୍ଗଲ ଅଞ୍ଚଳରେ ବିଭିନ୍ନ ପ୍ରଜାତିର ହରିଣ ରହିଛନ୍ତି। ତେଣୁ ହରିଣଙ୍କ ପାଇଁ ବିଶାଳ ପାର୍କ କରିବାକୁ ନିଷ୍ପତ୍ତି ହୋଇଛି। ନନ୍ଦନକାନନ ହରିଣଙ୍କ ସମେତ ରାଜଭବନ ଓ କଟକସ୍ଥିତ ହରିଣ ପାର୍କରେ ହରିଣଙ୍କ ସଂଖ୍ୟା ବଢ଼ିଲେ ସେମାନଙ୍କୁ ଏଠାରେ ଛାଡ଼ିବା ପାଇଁ ବି ବ୍ୟବସ୍ଥା କରାଯିବ। ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ବହୁ ପରିମାଣରେ ମୟୂର ରହିଥିବାରୁ ସେମାନଙ୍କ ଲାଗି ସ୍ୱତନ୍ତ୍ର ସଫାରି ଖୋଲିବା, ସେମାନଙ୍କୁ ଖୁଆଡ଼ରେ ନ ରଖି ଜଙ୍ଗଲରେ ଛଡ଼ାଯିବ। ନନ୍ଦନକାନନରେ ଘଡ଼ିଆଳ ଓ ମଗର ପ୍ରଜାତିର କୁମ୍ଭୀର ଅଧିକ ଥିବାରୁ ସେମାନଙ୍କୁ ବିସ୍ତୀର୍ଣ୍ଣ ଅଞ୍ଚଳରେ ରଖିବା ପାଇଁ ନୂତନ ହ୍ରଦ ନିର୍ମାଣ ସହ କୁମ୍ଭୀର ପ୍ରଜନନକୁ ଗୁରୁତ୍ୱ ଦିଆଯିବ। ଏଥିସହ ପର୍ଯ୍ୟଟକ ଯେପରି ଅତି ନିକଟରୁ କୁମ୍ଭୀରଙ୍କୁ ଦେଖିବେ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ବି ଯୋଜନା ହୋଇଛି।

ନନ୍ଦନକାନନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ନନ୍ଦନକାନନକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ଯେପରି ପରିବେଶ ପର୍ଯ୍ୟଟନର ମଜା ନେଇପାରିବେ ସେଥିପାଇଁ ନୂତନ ଜମିରେ ‘ଜଙ୍ଗଲ ଟ୍ରେକିଂ’ ବ୍ୟବସ୍ଥା ହେବ। ଏହାଦ୍ବାରା ‌ପର୍ଯ୍ୟଟକ ଚାଲି ଚାଲି ଜଙ୍ଗଲର ସବୁଜ ବନାନୀକୁ ଉପଭୋଗ କରିପାରିବେ। ଏବେ ବଟାନିକାଲ ପାର୍କକୁ ପର୍ଯ୍ୟଟକମାନେ ଯେଉଁଭଳି ଉପଭୋଗ କରିପାରୁଛନ୍ତି ନନ୍ଦନକାନନ ସମ୍ପ୍ରସାରଣ ଅଞ୍ଚଳରେ ବି ସେଭଳି ସୁବିଧା ସୁଯୋଗ ରହିବ। ନୂତନ ଭାବେ ଯୋଡ଼ି ହୋଇଥିବା ଜଙ୍ଗଲରେ ହରିଣଙ୍କ ବ୍ୟତୀତ ମୟୂର, ବଜ୍ରକାପ୍ତା‌, ବାର୍‌ହା, ସମ୍ବର, ଗାଡ଼ ଭାଲୁ, ଠେକୁଆ ଆଦି ରହିଛନ୍ତି। ହଜାର ହଜାର ସଂଖ୍ୟାରେ ଗଛ ବି ରହିଛି। ତେଣୁ ଜୀବଜନ୍ତୁଙ୍କ ବାସସ୍ଥାନ ଲାଗି ବିଶେଷ କିଛି କରିବାକୁ ପଡ଼ିବ ନାହିଁ। ଏହି ଜଙ୍ଗଲଠାରୁ ଡେରାସ ଓ ଝୁମୁକା ଡ୍ୟାମ୍‌ର ଦୂରତା ବହୁ କମ୍‌। ତେଣୁ ରାଜଧାନୀ ଉପକଣ୍ଠରେ ପର୍ଯ୍ୟଟନ ବିକାଶ କ୍ଷେତ୍ରରେ ଏହା ବେଶ ସହାୟକ ହୋଇପାରିବ ବୋଲି ଅଧିକାରୀ ଜଣକ ମତବ୍ୟକ୍ତ କରିଛନ୍ତି।

ଆଉ ଏକ ନିଷ୍ପତ୍ତିକ୍ରମେ ନନ୍ଦନକାନନର ପ୍ରବେଶ ଓ ପ୍ରସ୍ଥାନ ପଥର ରୂପ ବଦଳିବ। ବର୍ତମାନର ପ୍ରବେଶ ପଥକୁ ଆକର୍ଷଣୀୟ କରାଯିବ। ଏଥିସହ ଯାନବାହାନ ପାଇଁ ମଲ୍ଟି ଲେୟାର ପାର୍କିଂ ବ୍ୟବସ୍ଥା ହେବ। ସମ୍ମୁଖ ଭାଗରେ ଥିବା ଉଠାଦୋକାନୀଙ୍କୁ ଥଇଥାନ କରିବା ଦିଗରେ ମଧ୍ୟ ପଦକ୍ଷେପ ନିଆଯିବ। ନନ୍ଦନକାନନର ସମ୍ପ୍ରସାରଣ ନେଇ ଉନ୍ନୟନ କମିସନଙ୍କ ଅଧ୍ୟକ୍ଷତାରେ ଖୁବ୍‌ଶୀଘ୍ର ଏକ ଉଚ୍ଚସ୍ତରୀୟ ବୈଠକ ବସିବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଆକାର ବୃଦ୍ଧି ନେଇ ଗତ ୨୦୧୭ ମସିହାରେ ରାଜ୍ୟବାସୀଙ୍କୁ ସ୍ବପ୍ନ ଦେଖାଇଥିଲା ଜଙ୍ଗଲ ଓ ପରିବେଶ ବିଭାଗ। ବର୍ଷକ ମଧ୍ୟରେ ନନ୍ଦନକାନନର କଳେବର ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ କରିଥିଲା। ତେବେ କାର୍ଯ୍ୟ ଆଗେଇ ପାରି ନଥିଲା। ବିଭିନ୍ନ କାରଣ ପାଇଁ ଗତ ଦୁଇ ବର୍ଷ ହେଲା ସବୁ କିଛି ଘୋଷଣାରେ ଅଟକି ରହିଯାଇଥିଲା।

ସମ୍ବନ୍ଧିତ ଖବର