ରେଳ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ : ସାରା ଓଡ଼ିଶା ପୂର୍ବତଟ ରେଳ ଅଧୀନକୁ ଆସୁ

ଆଉ ୩ଟି ଡିଭିଜନ୍‌ ଗଠନ ଦାବି ଦୋହରାଇଲେ

ଭୁବନେଶ୍ୱର : ଆନ୍ଧ୍ର ପ୍ରଦେଶର ମୁଖ୍ୟାଳୟରେ ନୂତନ ରେଳ ଜୋନ୍‌ ପ୍ରତିଷ୍ଠା ନିମନ୍ତେ ରେଳ ମନ୍ତ୍ରାଳୟ ବିଚାର କରୁଛି। ଏଥିପାଇଁ ପୂର୍ବତଟ ରେଳ ଜୋନ୍‌ ଅଧୀନରୁ ବିଶାଖାପାଟଣା ଡିଭିଜନ୍‌କୁ ହାତେଇ ନେବା ପାଇଁ ଦାବି ଉଠିଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନୂତନ ଜୋନ୍‌ ଗଠନ ବିଚାର କରିବା ପୂର୍ବରୁ ସମଗ୍ର ଓଡ଼ିଶାକୁ ପୂର୍ବତଟ ରେଳ ଅଧୀନକୁ ଆଣିବା ସହିତ ଏ ନେଇ ଆଉ ରାଜ୍ୟରେ ୩ଟି ନୂଆ ରେଳ ଡିଭିଜନ୍‌ ଗଠନ କରିବାକୁ ପୂର୍ବର ଦାବି ଦୋହରାଇଛନ୍ତିି।

ଆଜି ଏ ସଂପର୍କରେ ରେଳ ମନ୍ତ୍ରୀ ପିୟୁଷ ଗୋଏଲ୍‌ଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉପରୋକ୍ତ ପ୍ରସ୍ତାବ ଦେଇଛନ୍ତି।  ତାଙ୍କର ଏହା ନୂଆ ପ୍ରସ୍ତାବ ନୁହେଁ। ଗତ ତିନିବର୍ଷ ଧରି ରେଳ ମନ୍ତ୍ରାଳୟ ନିକଟରେ ସେ ଏକାଧିକ ଥର ଦାବି କରିଛନ୍ତି। ତାଙ୍କର ସଦ୍ୟତମ ଦାବି ୨୦୧୮-୧୯ ବଜେଟ୍‌ ପ୍ରସ୍ତାବ ଅବସରରେ ଦେଇଥିଲେ। ଏହି ପ୍ରସ୍ତାବ ଅନୁଯାୟୀ ପୂର୍ବତଟ ରେଳ ଜୋନ୍‌ ଅଧୀନରେ ରାଉରକେଲା, ରାୟଗଡ଼ା, ଯାଜପୁର ରୋଡ୍‌-କେନ୍ଦୁଝର ରୋଡ୍‌ରେ ୩ଟି ନୂଆ ରେଳ ଡିଭିଜନ୍‌ ଗଠନ କରାଯିବ। ବର୍ତମାନ ଓଡ଼ିଶାର ଅନେକ ଅଞ୍ଚଳ ଦକ୍ଷିଣ ପୂର୍ବ, ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳ ଜୋନ୍‌ ଅଧୀନରେ ରହିଛି। ଏହି ୩ଟି ଡିଭିଜନ୍‌କୁ ନେଇ ପୂର୍ବତଟ ରେଳ ଜୋନ୍‌ର ପୁନର୍ଗଠନ କରାଯିବା ଆବଶ୍ୟକ ହୋଇପଡ଼ିଥିବା ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି। ଏହା ଫଳରେ ରାଜ୍ୟବାସୀଙ୍କର ଆଶା, ମାଲ୍‌ ପରିବହନ କ୍ଷେତ୍ରରେ ବ୍ୟାବସାୟିକ ଆବଶ୍ୟକତା ପୂରଣ ହୋଇପାରିବ। ବଡ଼ କଥା ହେଉଛି, ସାରା ରାଜ୍ୟ ପୂର୍ବତଟ ଜୋନ ପରିଚାଳନା ଅଧୀନକୁ ଆସିଲେ ଏହାର ଏକକ ପରିଚୟ ସୃଷ୍ଟି ହେବା ସହିତ ସଂଯୋଜନା କ୍ଷେତ୍ର ସୁଦୃଢ଼ ହୋଇପାରିବ ବୋଲି ସେ ଆଶାପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ରାଜ୍ୟରେ ଖଣିଜ ସଂପଦ ଭରପୂର ଥିବାରୁ ଭାରତୀୟ ରେଳକୁ ଓଡ଼ିଶାର ଅବଦାନ ସର୍ବଦା ଉଲ୍ଲେଖନୀୟ। ଭାରତୀୟ ରେଳକୁ ମାଲ୍‌ ପରିବହନ କ୍ଷେତ୍ରରେ ପୂର୍ବତଟ ରେଳ ସର୍ବାଧିକ ରାଜସ୍ୱ ଦେବାକୁ ସକ୍ଷମ ହୋଇଛି। ସେହିପରି ସର୍ବନିମ୍ନ ପରିଚାଳନାଗତ ବ୍ୟୟ କ୍ଷେତ୍ରରେ ରହିଥିବା ରେଳ ଜୋନ୍‌ଗୁଡ଼ିକ ମଧ୍ୟରୁ ପୂର୍ବତଟ ରେଳର ଭୂମିକା ଉଲ୍ଲେଖନୀୟ। ତେବେ ଭାରତୀୟ ରେଳ ଯେତେବେଳେ ସୌଭାଗ୍ୟ ଅର୍ଜନ କରୁଛି, ରାଜ୍ୟ ରେଳ ଭିତ୍ତିଭୂମିର ବିକାଶ ଅବହେଳିତ ହୋଇରହିଛି। ଏଣୁ, ଓଡ଼ିଶାର ସମସ୍ତ ଭାଗ ପୂର୍ବତଟ ରେଳ ଜୋନ୍‌ ପରିଚାଳନା ଅଧୀନକୁ ଆସିଲେ, ଏହାର ପ୍ରଶାସନିକ ଦକ୍ଷତା, ରାଜସ୍ୱ ଅର୍ଜନ କ୍ଷମତା ଆହୁରି ବୃଦ୍ଧି ପାଇବ। ଏହା ରେଳ ବିଭାଗର ମଧ୍ୟ ଆଭିମୁଖ୍ୟ। ରାଜ୍ୟ ସରକାରଙ୍କ ଏହି ପ୍ରସ୍ତାବ ତିନିବର୍ଷ ଧରି ରେଳ ମନ୍ତ୍ରାଳୟରେ ପଡ଼ି ରହିଛି। ଏଣୁ ନୂତନ ରେଳ ଜୋନ୍‌ ପ୍ରସ୍ତାବକୁ ବିଚାର କରିବା ପୂର୍ବରୁ ଓଡ଼ିଶାର ଦାବିକୁ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି କରିଛନ୍ତି।

ସମ୍ବନ୍ଧିତ ଖବର