କୋରାପୁଟରୁ ପ୍ରସ୍ତୁତ ହେଉଛି ନୂଆ ବ୍ରାଣ୍ଡ, ଇ-ମାର୍କେଟରେ ମିଳିବ ଟର୍ମରିକ୍ ସପ୍‌ ଓ ପେନ୍‌ ବାମ୍‌

କୋରାପୁଟ : ‌କଫି ଏବଂ ଫୁଲଝାଡ଼ୁ ପରେ ପୁଣି ଦୁଇଟି କୋରାପୁଟିଆ ବ୍ରାଣ୍ଡ ଇ-ମା‌ର୍କେଟରେ ଉବଲବ୍ଧ କରିବାକୁ ନିଆଯାଇଛି ନିଷ୍ପତ୍ତି। ହଳଦୀ ଓ ଲେମନ୍‌ ଗ୍ରାସ୍‌ ତୈଳକୁ ବ୍ରାଣ୍ଡିଂ କରିବାକୁ ଚାଲିଛି ପ୍ରସ୍ତୁତି। ସବୁ ଠିକ୍‌ଠାକ୍ ରହିଲେ ଖୁବଶୀଘ୍ର ବିଶ୍ବ ବଜାରକୁ ପ୍ରବେଶ କରିବ କୋରାପୁଟ ଟର୍ମରିକ୍‌ ସପ୍‌ ଓ ଲେମନ ଗ୍ରାସରୁ ତିଆରି ପେନ୍ ବାମ୍‌। ଏହି ହଳଦୀଯୁକ୍ତ ସାବୁନ ବହୁ ଅନ୍ତର୍ଜାତୀୟ କମ୍ପାନୀକୁ ଟକ୍କର ଦେବ ବୋଲି ଆଶା କରାଯାଉଛି। ସେହିପରି କୋରାପୁଟର ଲେମନଗ୍ରାସରୁ ପ୍ରସ୍ତୁତ ପେନ୍‌ ବାମ୍‌ ମଧ୍ୟ ବହୁ ରୋଗରୁ ମୁକ୍ତି ଦେବ ବୋଲି କୁହାଯାଉଛି। ଏ ନେଇ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ରହିଥିବା ସ୍ପାଇସେସ୍‌ ବୋର୍ଡ ପରୀକ୍ଷା କରି କୋରାପୁଟର ହଳଦୀ ଓ ଲେମନଗ୍ରାସ୍‌ରେ ଅଧିକ ଔଷଧୀୟ ଗୁଣ ରହିଥିବା ପ୍ରକାଶ କରିଛି। ତିନିଦିନ ତଳେ ଚିଠି ମାଧ୍ୟମରେ ଏହି ବିଷୟରେ ବି ଉକ୍ତ ସଂସ୍ଥା ଜିଲ୍ଲା ପ୍ରଶାସନକୁ ଜଣାଇଛି।

କୋରାପୁଟର ହଳଦୀରେ କରକୁମିନ୍‌ ନାମକ ଔଷଧୀୟ ଗୁଣ ରହିଛି। ଯେଉଁ ଗୁଣ କର୍କଟ ପରି ରୋଗକୁ ଭଲ କରିବା କ୍ଷମତା ରଖେ। କନ୍ଧମାଳ ଜିଲ୍ଲାର ହଳଦୀ‌ରେ ୩ରୁ ୪ ପ୍ରତିଶତ ଏହି କରକୁମିନ ରହିଥିବା ବେଳେ କୋରାପୁଟ ଜିଲ୍ଲାର ହଳଦୀରେ ୫.୯୦ ପ୍ରତିଶତ ରହିଛି। ସେଥିପାଇଁ ଲକ୍‌ଡାଉନ୍‌ ପୂର୍ବରୁ ବାଙ୍ଗା‌ଲୁରୁର ଏକ ସଂସ୍ଥାକୁ ପରୀକ୍ଷା ପାଇଁ ହଳଦୀ ଓ ଲେମନ ଗ୍ରାସ୍‌ ଯାଇଥିଲା। ଯାହାକି ଉକ୍ତ ସଂସ୍ଥାକୁ ବେଶ୍ ପ୍ରଭାବିତ କରିଥିଲା। ତେଣୁ ଏହି ଦୁଇ ଉତ୍ପାଦ ଅନ୍‌ଲାଇନ୍‌ରେ ଉପଲବ୍ଧ କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା। କିନ୍ତୁ ଲେମନଗ୍ରାସ୍‌ ଓ ହଳଦୀକୁ ଛାଡ଼ି ଅନ୍ୟ ଆବଶ୍ୟକ ଜିନିଷ ସବୁ ବାହାରୁ ଅମାଦାନି କରିବାକୁ ପଡ଼ିବ। ତେଣୁ ଇ-ମାର୍କେଟ ଯିବାରେ ଅନ୍ତରାୟ ସୃଷ୍ଟି ହୋଇଛି। ତଥାପି ଲକ୍ଷ୍ମୀପୁରର ତୋୟାପୁଟରେ ଡିଏମ୍‌ଏଫରେ ୩୫ଲକ୍ଷ ଟଙ୍କା ବିନିମୟରେ ଏକ ଗୋଦାମଗୃହ ଓ ପ୍ରୋ‌ସେସିଂ ୟୁନିଟ ଖୋଲିବାକୁ ଯୋଜନା କରାଯାଇଛି। ଏଠାରୁ ବିଭିନ୍ନ ଜିନିଷ ପ୍ରସ୍ତୁତ ହୋଇ ଅନ୍‌ଲାଇନ୍‌ରେ ବିକ୍ରି ହେବ। ଏହାସହ ଓରମାସ ପକ୍ଷରୁ ପୂର୍ବରୁ ପ୍ରସ୍ତୁତ ହୋଇଥିବା ସାବୁନ ଓ ବାମ୍‌କୁ ଲୋକଙ୍କ ବ୍ୟବହାର କରିବାକୁ ଦିଆଯାଇଛି। ବ୍ୟବହାର ପରେ ଲୋକଙ୍କ ସକରାତ୍ମକ ପ୍ରତିକ୍ରିୟା ମିଳିବାରୁ ଆଗକୁ ପ୍ରୋସେସିଂ ୟୁନିଟ୍‌ ବସାଯାଇ ଉତ୍ପାଦନ ହେବ ବୋଲି ଜଣାପଡ଼ିଛି।

କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ସହ ୧୩ଟି ବ୍ଲକ୍‌ରେ ହଳଦୀ ଓ ଲେମନଗ୍ରାସ୍‌ ଚାଷ ପାଇଁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ଏହିକ୍ରମରେ ଟିମାଝୋଲା, ଚମ୍ପି, ତୋୟାପୁଟ, କୋନାପାଡିଲାଛମଣି, ପିପଲପଦର ଉତ୍ପାଦକ ଗୋଷ୍ଠୀ ଠାରୁ ହଳଦୀ ସଂଗ୍ରହ କରି ବାଙ୍ଗାଲୁରୁ ପଠାଯାଇଥିଲା। କେଜି ପ୍ରତି ବଜାର ଦର ୭୫ ଟଙ୍କାରୁ ୮୦ ଟଙ୍କା ମଧ୍ୟରେ ବିକ୍ରି କରିବାକୁ ରହିଥିବା ବେଳେ ଓରମାସ ପକ୍ଷରୁ ଚାଷୀଙ୍କୁ ୯୨ ଟଙ୍କା ଦିଆଯାଇଛି। ୨୦ ମେଟ୍ରିକ ଟନ୍‌ ହଳଦୀ ବେଙ୍ଗାଲୋର ଇଫକୋ କିଷାନକୁ ପଠାଯାଇଥିଲା। ଏ ନେଇ ଓରମାସ ଡିପିଏମ୍‌ ରୋଶନ କାର୍ତ୍ତିକ କହିଛନ୍ତି ଯେ, ଅନ୍‌ଲାଇନ୍‌ ମାର୍କେଟରେ କୋରାପୁଟର ହଳଦୀ ସାବୁନ ଓ ଲେମନଗ୍ରାସ୍‌ ବାମ୍‌ ବଜାର ପ୍ରବେଶ କରିଥାନ୍ତା। କିନ୍ତୁ ଲକ୍‌ଡାଉନ୍‌ ହେତୁ କଞ୍ଚାମାଲ ଆସି ପାରିଲାନି। ତେଣୁ ଆଶାନୁଯାୟୀ ଉତ୍ପାଦନ ହୋଇପାରିଲା ନାହିଁ। ତଥାପି ଯେଉଁ ଦ୍ରବ୍ୟ ଉତ୍ପାଦନ ହୋଇଥିଲା ତାହାକୁ ଜିଲ୍ଲାର ୪ଟି ପଞ୍ଚାୟତରେ ପରୀକ୍ଷା ମୂଳକ ଭାବେ ବଣ୍ଟାଯାଇଛି। ଲୋକେ ଏହାକୁ ବ୍ୟବହାର କରିବା ସହ ସମସ୍ୟା ସମ୍ପର୍କରେ ଜଣାଇବେ। ଏହାପରେ ଦ୍ବିତୀୟ ଥର ପାଇଁ ପରୀକ୍ଷା କରାଯାଇ ବଜାରକୁ ଛଡାଯିବ। ପରବର୍ତ୍ତୀ ସମୟରେ ଇ-ମାର୍କେଟକୁ ଆସିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର