ଅସନ୍ତୋଷ ଝାଡ଼ିଲା କର୍ମଚାରୀ ସମନ୍ଵୟ ସମିତି

ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କାର୍ଯ୍ୟକାରୀ ହେଉନି କାହିଁକି? ଷଡ଼୍‌ଯନ୍ତ୍ରର ଗନ୍ଧ ବାରିଲେ କର୍ମଚାରୀ ନେତା

ଭୁବନେଶ୍ୱର : ଅବସରକାଳୀନ ନିଯୁକ୍ତି ହେଉ କି କର୍ମଚାରୀ ଅଭାବ ଜନିତ ଅସ୍ଥାୟୀ ନିଯୁକ୍ତି, ୫୦ ହଜାର ନିଯୁକ୍ତିକୁ ବାତିଲ୍‌ କରି ବେକାରୀଙ୍କ ନିମନ୍ତେ କର୍ମସଂସ୍ଥାନ ପାଇଁ ନିର୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ସରକାରଙ୍କ ଏ ନିଷ୍ପତ୍ତି କାହିଁକି କାର୍ଯ୍ୟକାରୀ ହୋଇପାରୁନାହିଁ?

ଠିକା କର୍ମଚାରୀଙ୍କ କ୍ଷେତ୍ରରେ ଏକ କ୍ୟାବିନେଟ୍‌ ସବ୍‌ କମିଟି ଗଠନ କରାଯାଇଥିଲା। ସେମାନଙ୍କ ସମସ୍ୟା ଉପରେ ଅନୁଧ୍ୟାନ କରି ଗଠନ ମୂଳକ ପ୍ରସ୍ତାବ ଦେବା ଥିଲା ସବ୍‌କମିଟିର ଦାୟିତ୍ୱ। ଅର୍ଥ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିର୍ଣ୍ଣାୟକ ପ୍ରସ୍ତାବ କାହିଁକି ରଖିପାରୁନାହାନ୍ତି?

୨୦୧୬ ଜାନୁଆରିରୁ ନୂତନ କେନ୍ଦ୍ରୀୟ ଦରମା ଲାଗୁ କରାଯାଇଛି। ଏଯାଏ କିନ୍ତୁ ନୂତନ ଘର ଭଡ଼ା ପ୍ରଦାନ ନିଷ୍ପତ୍ତି ହୋଇପାରିଲା ନାହିଁ। ଅତିରିକ୍ତ ବ୍ୟୟ ମଞ୍ଜୁରୀକୁ ଅପେକ୍ଷା କରାଯାଇଥିଲା। ହେଲେ ସେଥିରେ ବକେୟା ୬୦% ଦରମା ପ୍ରାପ୍ୟ ପ୍ରଦାନ ନିଷ୍ପତ୍ତି ନେଇ କିଛି ନାହିଁ?

ଏମିତି କିଛି ପ୍ରସଙ୍ଗ ଓ ପ୍ରଶ୍ନ ଉଠାଇ ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍‌ କର୍ମଚାରୀ ସମନ୍ଵୟ ସମିତି ଆଜି ନିଜର ଅସନ୍ତୋଷ ଓଗାଳିଛି। ମୁଖ୍ୟମନ୍ତ୍ରୀ ବିଭିନ୍ନ ସମୟରେ ଦେଉଥିବା ନିର୍ଦେଶକୁ କାର୍ଯ୍ୟକାରୀ ନ କରାଇ ଦେବା ଲାଗି କେଉଁଠି ନା କେଉଁଠି ଷଡ଼୍‌ଯନ୍ତ୍ର ହେଉଛି ବୋଲି ସନ୍ଦେହ ପ୍ରକାଶ କରିଛି ସମିତି।

୪ଲକ୍ଷ କର୍ମଚାରୀ ସ୍ୱାର୍ଥର ପ୍ରସଙ୍ଗ ଉଠାଇ ଆଜି ସମିତି ପକ୍ଷରୁ ସାଧାରଣ ସଂପାଦକ ବ୍ରଜ କିଶୋର ନନ୍ଦ ଏକ ପ୍ରେସ ବିଜ୍ଞପ୍ତିରେ ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଦାବି କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନିଜେ ଏସବୁର ସମୀକ୍ଷା କରନ୍ତୁ। ଏକଥା ବି କହିଛନ୍ତି, କୃଷକ ଶସ୍ୟ ବୁଣି ସହାୟତାକୁ ଅପେକ୍ଷା କରୁଛି। ରୋଗୀ ଡାକ୍ତରଙ୍କ ସେବାକୁ ଅପେକ୍ଷା କରି ରହୁଛି। ଛାତ୍ର ଅପେକ୍ଷା କରିଛି ଶିକ୍ଷକ କେବେ ଫେରିବେ। ସେହିଭଳି ରାଜ୍ୟର ୪ଲକ୍ଷ କର୍ମଚାରୀ ମୁଖ୍ୟମନ୍ତ୍ରୀଙ୍କୁ ଅପେକ୍ଷା କରିଛନ୍ତି। ସରକାର କେବେ ନିରବତା ଭାଙ୍ଗି କର୍ମଚାରୀଙ୍କ ସମସ୍ୟାର ସମାଧାନ କରିବାକୁ ଆସିବେ। କାରଣ, ରାଜଗୃହ ମଧ୍ୟରେ ଦିଆଯାଇଥିବା ପ୍ରସ୍ତାବର ପରୀକ୍ଷା ନିରୀକ୍ଷା କରାଯାଉନାହିଁ କିମ୍ବା ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ବିଭିନ୍ନସ୍ତରରେ କାର୍ଯ୍ୟକାରୀ ହୋଇଛି କି ନାହିଁ, ତାହାର କେହି ସମୀକ୍ଷା କରୁନାହାନ୍ତି।

କର୍ମଚାରୀ ସମିତିି କହିଛି, ରାଜ୍ୟ ସରକାର ବିଭିନ୍ନ ସମୟରେ ପଦବି ପୁନଃ ଗଠନ ପ୍ରକ୍ରିୟା ତ୍ୱରାନ୍ଵିତ କରିବା ପାଇଁ କହିଥିଲେ। ହେଲେ ସେଥିରେ ମଧ୍ୟ ସୁଧାର ଆସୁନାହିଁ। ୨୦୧୬ ଦରମାରେ ରହିଥିବା ତ୍ରୁଟି ସଂଶୋଧନ ନିମନ୍ତେ ଆନୋମୋଲି କମିଟି କ୍ରିୟାଶୀଳ ହେବା ପରିବର୍ତେ ସ୍ଥାଣୁ ଅବସ୍ଥାରେ ପଡିରହିଛି। ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ଉପରେ ୨୦୦୫ ପରବର୍ତୀ ସମୟରେ ନିଯୁକ୍ତି ପ୍ରାପ୍ତ କର୍ମଚାରୀଙ୍କୁ ୨୦୦୫ ପୂର୍ବ ପଦ୍ଧତି ମୁତାବକ ପେନସନ ବ୍ୟବସ୍ଥା କରାଯିବା ନେଇ ଚାପ ସୃଷ୍ଟି କରିପାରିନାହାନ୍ତି। ଅଥଚ କେନ୍ଦ୍ରମନ୍ତ୍ରୀମାନେ ବିଭିନ୍ନ ସମୟରେ ପ୍ରହେଳିକା ସୃଷ୍ଟି କରି ଜନସାଧାରଣ ତଥା କର୍ମଚାରୀଙ୍କୁ ବିଭ୍ରାନ୍ତ କରିବାରେ ଲାଗିଛନ୍ତି ବୋଲି କର୍ମଚାରୀ ସମିତି ଅଭିଯୋଗ କରିଛି।

ସମ୍ବନ୍ଧିତ ଖବର