ନିର୍ବାଚନ ପାଇଁ ଅବକାରୀ ବିଭାଗର ଆଗୁଆ ସଜବାଜ : ମିଳିତ ଚଢ଼ଉ କରିବ ଓଡ଼ିଶା-ଛତିଶଗଡ଼

ସମ୍ବଲପୁର : ପାଖେଇ ଆସୁଛି ନିର୍ବାଚନ। ନିର୍ବାଚନକୁ ନେଇ ପ୍ରସ୍ତୁତି ଜୋରସୋର ଚାଲିଛି। ନିର୍ବାଚନ ପରିପ୍ରେକ୍ଷୀରେ ନିଶା ଚୋରା ଚାଲାଣ ରୋକିବା ପାଇଁ ସୀମାନ୍ତବର୍ତ୍ତୀ ଜିଲ୍ଲାରେ ଅସ୍ଥାୟୀ ଚେକ୍‌ ଗେଟ୍‌ ନିର୍ମାଣ ହେବ। ସମ୍ବଲପୁରରେ ଆୟୋଜିତ ଓଡ଼ିଶା ଏବଂ ଛତିଶଗଡ଼ ଅବକାରୀ ସମନ୍ବୟ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ନିର୍ବାଚନ ତାରିଖ ଘୋଷଣା ସହିତ ଆଚରଣ ବିଧି ଲାଗୁ ପରଠାରୁ ନିର୍ବାଚନ ପର୍ଯ୍ୟନ୍ତ ନିଶା କାରବାର ଅନେକ ବୃଦ୍ଧି ପାଇଯାଏ। ବିଶେଷକରି ସୀମାନ୍ତବର୍ତ୍ତୀ ଜିଲ୍ଲାରେ ଯେଉଁ ରାଜ୍ୟରେ ନିର୍ବାଚନ ହୁଏ ନାହିଁ ଅନ୍ୟ ରାଜ୍ୟକୁ ବ୍ୟାପକ ନିଶା ଚାଲାଣ ହୁଏ। ଏହାକୁ ରୋକିବା ପାଇଁ ଜାତୀୟ ନିର୍ବାଚନ କମିସନଙ୍କ ନିର୍ଦେଶରେ ଓଡ଼ିଶା ଏବଂ ଛତିଶଗଡ଼ର ସୀମାନ୍ତବର୍ତ୍ତୀ ଜିଲ୍ଲା ମଧ୍ୟରେ ଏହି ବୈଠକ ହୋଇଥିଲା। ଏଥିରେ ଓଡ଼ିଶାର ମାଲକାନଗିରି, ସୁନ୍ଦରଗଡ଼, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବରଗଡ଼ ଏବଂ କୋରାପୁଟ, ଛତିଶଗଡ଼ର ସୁକମା, ଜଗଦଲପୁର, ରାୟଗଡ଼ର ଅବକାରୀ ଅଧିକାରୀ ମଧ୍ୟରେ ବୈଠକ ହୋଇଥିଲା।

ଏହି ଅବସରରେ ଛତିଶଗଡ଼ ପକ୍ଷରୁ ଅଭିଯୋଗ ହୋଇଥିଲା ଯେ ମାଲକାନଗିରି, ଗଜପତି ଏବଂ ଫୁଲବାଣୀର ସୀମାନ୍ତବର୍ତ୍ତୀ ଅଞ୍ଚଳରୁ ଗଞ୍ଜେଇ ଏବଂ ନବରଙ୍ଗପୁର, ଓମରକୋଟ, ମାଲକାନଗିରି ଏବଂ ନୂଆପଡ଼ାରୁ ଚୋରାମଦ ଚାଲାଣ ହେଉଛି। ସେହିଭଳି, ଓଡ଼ିଶା ପକ୍ଷରୁ କୁହାଯାଇଥିଲା, ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜିଲ୍ଲାମାନଙ୍କରେ ଚଳିତ ବର୍ଷ ୧୦ ହଜାର ଏକର ଗଞ୍ଜେଇ ନଷ୍ଟ କରାଯାଇଛି। ଏଥିସହିତ ଆଗାମୀ ଦିନରେ ଏହାକୁ ରୋକିବା ପାଇଁ ମଧ୍ୟ ପଦକ୍ଷେପ ନିଆଯିବ।

ବୈଠକରେ ହ୍ବାଟ୍ସଆପ୍‌ ଗ୍ରୁପ ଗଠିତ ହୋଇଥିଲା। ଏହା ଜରିଆରେ ଉଭୟ ରାଜ୍ୟ ପରସ୍ପର ସହିତ ସୂଚନାର ଆଦାନ ପ୍ରଦାନ କରିବେ। ଆବଶ୍ୟକତା ଅନୁଯାୟୀ, ମିଳିତ ଭାବରେ ଚଢ଼ାଉ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ସୀମାନ୍ତବର୍ତ୍ତୀ ଜିଲ୍ଲାର ନିଶା ଚୋରା ଚାଲାଣ ରୋକିବା ପାଇଁ ୨୬ ତାରିଖରେ ବିଶାଖାପଟନମରେ ଆନ୍ଧ୍ରପ୍ରଦେଶ, ଓଡ଼ିଶା ମଧ୍ୟରେ ବୈଠକ ହୋଇଥିଲା ଏବଂ ୭ ତାରିଖରେ କେନ୍ଦୁଝରରେ ଓଡ଼ିଶା ଏବଂ ଝାଡ଼ଖଣ୍ଡରେ ବୈଠକ ହେବ।

ସମ୍ବଲପୁର ଅବକାରୀ ଡେପୁଟି କମିସନର ଦିଲ୍ଲୀପ ନାଗ ଏବଂ ବ୍ରହ୍ମପୁର ଅବକାରୀ ଡେପୁଟି କମିସନର ଶାନ୍ତନୁ ନାଏକ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା।

ସମ୍ବନ୍ଧିତ ଖବର