ବରଗଡ଼: ମରୁଡ଼ି ଓ ଚକଡ଼ା ପୋକ ଲାଗି ଧାନ ଫସଲ ଉଜୁଡ଼ି ଯିବାରୁ ମ୍ରିୟମାଣ ହୋଇ ଆତ୍ମହତ୍ୟା କରିଥିବା ବରଗଡ଼ ବ୍ଲକ୍ କଳାପାଣି ଗ୍ରାମର ଚାଷୀ ବୃନ୍ଦାବନ ସାହୁ( ୫୮)ଙ୍କ ଘରେ ଆଜି ନବ ନିର୍ମାଣ କୃଷକ ସଙ୍ଗଠନର କର୍ମକର୍ତ୍ତାମାନେ ପହଞ୍ଚି ପରିବାର ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି। ନବନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଓ ସଙ୍ଗଠନର ମୁଖ୍ୟ ଉପଦେଷ୍ଟା ତଥା ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଆଜି ସକାଳେ ବରଗଡ଼ କଳାପାଣିସ୍ଥିତ ଶ୍ରୀ ସାହୁଙ୍କ ଘରେ ପହଞ୍ଚି ତାଙ୍କ ପୁଅଝିଅ ଓ ପତ୍ନୀଙ୍କ ସହିତ ଆଲୋଚନା କରି ଧର୍ଯ୍ୟ ଧରିବାକୁ ଅଶ୍ୱାସନା ଦେଇଛନ୍ତି। ପରେ ଶ୍ରୀ ପଟ୍ଟନାୟକ ଓ ଶ୍ରୀ କୁମାର ସ୍ଥାନୀୟ ଲୋକଙ୍କ ସହିତ ଚାଷୀମାନଙ୍କ ସମସ୍ୟା ନେଇ ଆଲୋଚନା କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁଯାୟୀ, କଳାପାଣି ଗ୍ରାମର ଚାଷୀ ବୃନ୍ଦାବନ ସାହୁ ପ୍ରାୟ ୧୭ ଏକର ଜମିରେ ଧାନ ଚାଷ କରିଥିଲେ। ଏଥିପାଇଁ ଶ୍ରୀ ସାହୁ ଲକ୍ଷାଧିକ ଟଙ୍କା ହାତ ଉଦ୍ଧାରି କରିଥିଲେ। ତେବେ ମରୁଡ଼ି ପରେ ପରେ ଚକଡ଼ା ପୋକ ଧାନ ଫସଲକୁ ସମ୍ପୂର୍ଣ୍ଣ ନଷ୍ଟ କରି ଦେଇଛି। ଏଥିରେ ବ୍ୟତିବ୍ୟସ୍ତ ହୋଇ ବୃନ୍ଦାବନ ତାଙ୍କ ଧାନ କ୍ଷେତରେ ନିଆଁ ଲଗାଇ ଦେଇଥିଲେ। ଏହା ପରଠାରୁ ତାଙ୍କ ମାନସିକ ଅବସ୍ଥା ଭଲ ନ ଥିଲା। ପରଦିନ ସେ ବିଲକୁ ଯାଇ ଉଜୁଡ଼ା ଫସଲକୁ ଦେଖିଆଉ ଧର୍ଯ୍ୟ ଧରି ପାରି ନ ଥିଲେ। ସେହିଠାରେ ହିଁ ବିଷ ପିଇ ଦେଇଥିଲେ। ସଙ୍ଗେସଙ୍ଗେ ତାଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ମାତ୍ର ସେଠାରେ ଚିକତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ନେଇ ସମଗ୍ର ରାଜ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ବିଭିନ୍ନ ଚାଷୀ ସଙ୍ଗଠନ ସରକାରଙ୍କ ଉଦାସୀନତାକୁ ତୀବ୍ର ଭାବରେ ସମାଲୋଚନା କରୁଛନ୍ତି। ଅନ୍ୟ ପଟେ ବର୍ତ୍ତମାନ ରାଜ୍ୟର ଅନ୍ୟ ଅଞ୍ଚଳରେ ମଧ୍ୟ ଚାଷୀମାନେ ସେମାନଙ୍କ କ୍ଷେତରେ ନିଆଁ ଲଗାଇ ଦେଉଛନ୍ତି।
ଗ୍ରାମବାସୀମାନଙ୍କ ସହିତ ଆଲୋଚନା ବେଳେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବର୍ତ୍ତମାନ ଚାଷୀ ସଙ୍ଗଠିତ ହେବା ସମୟ ଆସିଛି। ଯଦି ଚାଷୀର ଅଥନୀତିରେ ଉନ୍ନତି ନ ହୁଏ ତେବେ କୌଣସି ପରିସ୍ଥିତିରେ ରାଜ୍ୟର ଉନ୍ନତି ହୋଇ ପାରିବ ନାହିଁ। ଆମ ବ୍ୟବସ୍ଥା ଚାଷକୈନ୍ଦ୍ରିକ ହେବା ଜରୁରି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।