ଅଡ଼ୁଆ ବଢ଼ାଇଲା ପରୀ ମାମଲା : ଆନ୍ଦୋଳନ ତୀବ୍ର କରିବାକୁ ବିଜେପି, କଂଗ୍ରେସର ସଜବାଜ

ଜିଲ୍ଲାପାଳ, ଏସ୍‌ପିଙ୍କୁ ସମନ୍‌

ସବୁ ନିର୍ବାଚନମଣ୍ଡଳୀରେ ‌ହେବ ପ୍ରତିବାଦ ଶୋଭାଯାତ୍ରା: ସମୀର
ବିଜେପି ମହିଳା ମୋର୍ଚ୍ଚା ଦ୍ବାରା କୃଷିମନ୍ତ୍ରୀଙ୍କ ଘର ଘେରାଉ
ଚେଲ୍ଲାକୁମାରଙ୍କ ନେତୃତ୍ବରେ କଂଗ୍ରେସର ନୟାଗଡ଼ ଗସ୍ତ ଆଜି

ଭୁବନେଶ୍ୱର/କେନ୍ଦୁଝର : ପରୀ ହତ୍ୟା ଘଟଣାକୁ ନେଇ ସରକାରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଉଭୟ ବିଜେପି ଓ କଂଗ୍ରେସ ଏହି ଘଟଣାରେ ସରକାରଙ୍କୁ ଘେରିବା ଲାଗି ସଜବାଜ ଆରମ୍ଭ କଲେଣି। କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ ଦାବିରେ ଆଜି ବିଜେପି ମହିଳା ମୋର୍ଚ୍ଚା ରାଜଧାନୀରେ ବିକ୍ଷୋଭ କରିଛି। ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲେ। ସେପଟେ ୧୪୭ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ପଦଯାତ୍ରା କରିବା ଲାଗି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଘୋଷଣା କରିଛନ୍ତି। ଠିକ୍ ଏହିଭଳି ସମୟରେ କଂଗ୍ରେସ ଏକ ବଡ଼ ଆନ୍ଦୋଳନ ପାଇଁ ସଜବାଜ ଆରମ୍ଭ କରିଛି। ଓଡ଼ିଶା ପ୍ରଭାରୀ ଡାକ୍ତର ଏ ଚେଲ୍ଲାକୁମାରଙ୍କ ନେତୃତ୍ବରେ ଆସନ୍ତାକାଲି କଂଗ୍ରେସ ନେତାମାନେ ନୟାଗଡ଼ ଯଦୁପୁର ଯାଇ ପରୀ ପରିବାରକୁ ଭେଟିବା ଲାଗି କାର୍ଯ୍ୟକ୍ରମ ସ୍ଥିର କରିଛନ୍ତି। ଏହା ପୂର୍ବରୁ ନୀଳଗିରି ନାବାଳିକା ଦୁଷ୍କର୍ମ ଓ ବିଷ ପିଆଇ ହତ୍ୟା ଘଟଣାରେ କଂଗ୍ରେସ ଏକ ସ୍ବତନ୍ତ୍ର ଟିମ୍ ପଠାଇବାକୁ ଘୋଷଣା କରିଥିଲା। ଏସବୁ ସୂଚାଇ ଦେଲାଣି, ସରକାର ବିରୋଧରେ ରାଜରାସ୍ତାରେ ଲଢ଼ିବା ଲାଗି ବିରୋଧୀ ପକ୍ଷ ଏବେ ବିଧିବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଛନ୍ତି। କୌତୂହଳର କଥା ହେଲା ବିଜେପି ଅଭିଯୋଗ କରୁଛି ଯେ ବିଜେଡି-କଂଗ୍ରେସ ଭାଇଭାଇ। ଏପଟେ କଂଗ୍ରେସ କହୁଛି ବିଜେପି-ବିଜେଡି ହାତ ମିଳାଇ ରାଜନୀତି କରୁଛନ୍ତି। ଏହାକୁ ନେଇ ରାଜନୀତି ଏବେ ରୋଚକ ମୋଡ଼ ନେଇଛି।

‘ପରୀ’ ହତ୍ୟାକାଣ୍ଡର ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ସହ ଏହି ଘଟଣାକୁ ଘଣ୍ଟ ଘୋଡ଼ାଇବା ପାଇଁ ଚେଷ୍ଟା କରୁଥିବା ମନ୍ତ୍ରୀ ଅରୁଣ ସାହୁଙ୍କୁ ତୁରନ୍ତ ବହିଷ୍କାର କରିବାକୁ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଦାବି କରିଛନ୍ତି। ଯେପର୍ଯ୍ୟନ୍ତ ପରୀକୁ ନ୍ୟାୟ ନମିଳିଛି, ସେ ପର୍ପ୍ୟନ୍ତ ବିଜେପି ଆନ୍ଦୋଳନ ଜାରି ରଖିବ। ଆସନ୍ତା ୨୦ରୁ ୨୫ ତାରିଖ ମଧ୍ୟରେ ରାଜ୍ୟର ୧୪୭ଟି ନିର୍ବାଚନମଣ୍ଡଳୀରେ ବିଜେପି ପକ୍ଷରୁ ସର୍ବନିମ୍ନ ୧୫ କିମି ପର୍ଯ୍ୟନ୍ତ ପ୍ରତିବାଦ ଶୋଭାଯାତ୍ରା କରାଯିବ ବୋଲି ଆଜି କେନ୍ଦୁଝରରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି। ପରୀ ହତ୍ୟାକାଣ୍ଡ ସଂପର୍କରେ ବିଜେପି ବିଧାୟକମାନେ ବିଧାନସଭାରେ ଲମ୍ବା ଆଲୋଚନା କରିବାକୁ ଚାହୁଁଥିଲେ। ସରକାର ପଳାୟନପନ୍ଥୀ ସାଜି ଅଧାରୁ ବିଧାନସଭା ବନ୍ଦ କରିଦେଲେ। ହତ୍ୟାକାରୀକୁ ମନ୍ତ୍ରୀ ଅରୁଣ ସାହୁ ଘଣ୍ଟ ଘୋଡ଼ାଉଥିବା ବେଳେ ମନ୍ତ୍ରୀଙ୍କୁ ସରକାର ଏବଂ ସରକାରଙ୍କୁ କଂଗ୍ରେସ ଦଳ ଘଣ୍ଟ ଘୋଡ଼ାଉଛି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି। ସେହିପରି ସାରା ରାଜ୍ୟରେ ଅଙ୍ଗ ତସ୍କରୀ ଚାଲିଛି। ଗରିବ ଲୋକଙ୍କୁ ଟାର୍ଗେଟ କରୁଛନ୍ତି। ସେମାନଙ୍କୁ ଅପହରଣ କରି ଶରୀରର ବିଭିନ୍ନ ଅଙ୍ଗକୁ କାଢ଼ି ନେଉଛନ୍ତି। ଏହି ଅଙ୍ଗ ତସ୍କରୀ ନୟାଗଡ଼ ଜିଲ୍ଲାରେ ଅଧିକ ଚାଲିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି। କୌଣସି ଘଟଣା ଘଟିଲେ ସରକାର କମିସନ ବସାଉଛନ୍ତି। ରାଜ୍ୟରେ ବହୁ ଘଟଣାରେ ସରକାର କମିସନ ବସାଇଥିବା ବେଳେ କମିସନଙ୍କ ରିପୋର୍ଟ କେବେ ଆସେ ନାହିଁ। ପରୀ ଘଟଣାକୁ ମଧ୍ୟ ଏହିପରି ଭାବେ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରାଯାଉଛି। ବିଜେପି ଏଭଳି ଆଦୌ କରିବାକୁ ଦେବନାହିଁ। ପରୀକୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ବିଜେପି ଆନ୍ଦୋଳନ କରିବ ବୋଲି ଶ୍ରୀ ମହାନ୍ତି କହିଥିଲେ।

ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ମୋହନ ଚରଣ ମାଝୀ, ରାଜ୍ୟ ଉପସଭାପତି ସୁକେଶୀ ଓରାମ, ଅନନ୍ତ ନାୟକ, ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା ଓ ଜିଲ୍ଲା ପ୍ରଭାରୀ ନବୀନ ରାମ ପ୍ରମୁଖ ଉପସ୍ଥିତ ଥିଲେ।

ସେହିଭଳି ନାବାଳିକା ପରୀ ହତ୍ୟାକାଣ୍ଡ ଅଭିଯୋଗ ଘଟଣାରେ ଆସନ୍ତାକାଲି ରାଜ୍ୟ କଂଗ୍ରେସ ପ୍ରଭାରୀ ଏ.ଚେଲ୍ଲାକୁମାରଙ୍କ ନେତୃତ୍ବରେ ପରିବାର ସଦସ୍ୟଙ୍କୁ ଭେଟିବ କଂଗ୍ରେସ ପ୍ରତିନିଧି ଦଳ। ପ୍ରତିନିଧି ଦଳରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ସାମିଲ ହେବେ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ଚେଲ୍ଲାକୁମାର କହିଛନ୍ତି, ଏହି ଘଟଣାରେ ରାଜନୀତି ହେବା ଉଚିତ୍‌ ନୁହେଁ। ତାର ପରିବାରକୁ ନ୍ୟାୟ ମିଳିବା ଦରକାର। ସିବିଆଇ ଅନେକ ଘଟଣାରେ ତଦନ୍ତ କରିଛି କିନ୍ତୁ ଫଳ ଶୂନ। ଏବେ ପରୀ ଘଟଣାରେ ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏସ୍‌ଆଇଟି ତଦନ୍ତ କରିବ। ଯେଉଁ ଦାବି କଂଗ୍ରେସ ବିଧାନସଭାରେ ଉଠାଇଥିଲା। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କଂଗ୍ରେସ ବିଧାୟକମାନଙ୍କ ଉପରେ ଯେପରି ଅଭିଯୋଗ ଆଣିଛନ୍ତି, ତାହା ଦୁର୍ଭାଗ୍ୟଜନକ। ବାସ୍ତବରେ ଉଭୟ ବିଜେପି-ବିଜେଡି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ। ଅନେକ ଉଦାହରଣ ଅଛି ବିଜେପିକୁ ବିଜେଡି ସମର୍ଥନ ଦେଇଆସିଛି।

ଏ ସମ୍ପର୍କରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି, ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏସ୍‌ଆଇଟି ତଦନ୍ତକୁ କଂଗ୍ରେସ ସ୍ବାଗତ କରୁଛି। କିନ୍ତୁ ରାଜ୍ୟରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଶୁଡ଼ିଯାଇଛି। ରାଜ୍ୟବାସୀ ଆଉ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ନାରୀ ନିର୍ଯାତନା, ଶିଶୁ ଅପହରଣ ବଢ଼ି ଚାଲିଛି। ବିଧାନସଭା ଚାଲୁଥିବା ବେଳେ ୩ଟି ଆତ୍ମାହୁତି ଉଦ୍ୟମ ହେଲା, ଅଥଚ ଗୁଇନ୍ଦା ଫେଲ ମାରିଲା। ସେହିପରି ଦୁର୍ନୀତିଗ୍ରସ୍ତ ଆଇଏଏଫଏସ୍‌ ଅଫିସର ଅଭୟକାନ୍ତ ପାଠକ ଦୀର୍ଘ ଦିନରୁ ଦୁର୍ନୀତି କରୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କିପରି ଭିଜିଲାନ୍‌ସ୍‌ ଜାଣିପାରିଲାନି। ଗୃହ ବିଭାଗର ମନ୍ତ୍ରୀ ହୋଇ ଏସବୁ ପାଇଁ ମୁଖ୍ୟମନ୍ତ୍ରୀ ଉତ୍ତରଦାୟୀ। ଖୋଦ ମୁଖ୍ୟମନ୍ତ୍ରୀ ମଧ୍ୟ ସେହି ବ୍ୟକ୍ତିଙ୍କ ସହ ଫଟୋ ଉଠାଇଛନ୍ତି। ନୈତିକତା ଦୃଷ୍ଟିରୁ ସେ ଇସ୍ତଫା ଦେବା ଦରକାର। ଦୁର୍ନୀତିଗ୍ରସ୍ତ ଅଫିସର ଶ୍ରୀ ପାଠକଙ୍କ ପରି ଆହୁରି ଅନେକ ଅଫିସର ଓ ବିଜେଡି ନେତାମାନେ ମଧ୍ୟ ବହୁ ଦୁର୍ନୀତିର ଲିପ୍ତ। ଏମାନଙ୍କ ବିରୋଧରେ ବି ସମାନ କାର୍ଯ୍ୟାନୁଷ୍ଠାନ କାହିଁକି ସରକାର ନେଉନାହାନ୍ତି ବୋଲି ପିସିସି ସଭାପତି ପ୍ରଶ୍ନ ଉଠାଇଛନ୍ତି।

ଜିଲ୍ଲାପାଳ, ଏସ୍‌ପିଙ୍କୁ ସମନ୍‌
ନୂଆଦିଲ୍ଲୀ : ପରୀ ହତ୍ୟା ମାମଲାରେ ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଏନ୍‌ପିସିଆର) ନୟାଗଡ଼ର ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ସମନ୍ ଜାରି କରିଛନ୍ତି। ଡିସେମ୍ବର ୯ ତାରିଖରେ ହାଜର ହେବା ପାଇଁ ଦୁହିଁଙ୍କୁ କୁହାଯାଇଛି ବୋଲି ଏନ୍‌ପିସିଆର୍‌ ଅଧ୍ୟକ୍ଷ ପ୍ରୟଙ୍କ କାନୁନ୍‌ଗୋ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ବର୍ତ୍ତମାନ ସୁଦ୍ଧା କି’ ପଦକ୍ଷେପ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ଜିଲ୍ଲାପାଳ ଓ ଏସ୍‌ପି ଏନ୍‌ପିସିଆର୍‌କୁ ଅବଗତ କରିବେ।

ସମ୍ବନ୍ଧିତ ଖବର