ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା : ମୁହଁ ଖୋଲିଲେ ରୀମା

ବଲାଙ୍ଗୀର : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା। ଦେଢ଼ ମାସ ବିତିଯାଇଛି। ଡାକ୍ତରଖାନାରୁ ଚିକିତ୍ସିତ ହୋଇ ଫେରି ଆସିଛନ୍ତି ମୃତ ଇଂ ସୌମ୍ୟଶେଖରଙ୍କ ପତ୍ନୀ ରୀମା। ଆଉ ବିବାହ କରିବେ ନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି। ବାପା ଘରେ ଓ ଶ୍ୱଶୁର ଘରେ ମଧ୍ୟ ସେ ରହିବେ ବୋଲି କହିଛନ୍ତି। ତେବେ କଟକ ଏସ୍‌ସିବିରୁ ଫେରିବା ପରେ ରୀମା ଯାଇଛନ୍ତି ନିଜ ବାପ ଘର ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ଗାଁକୁ। ବାରମ୍ବାର ସେହି ଘଟଣା ସଂପର୍କରେ ସମସ୍ତେ ଜାଣିବାକୁ ଚାହୁଁଥିବା ବେଳେ ମାନସିକ ଚାପରେ ରୀମା। ତେବେ ପୁଲିସ ତଦନ୍ତ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଛନ୍ତି। ଏବେ ରୀମାଙ୍କ ଦାବି ହେଉଛି ସିବିଆଇ ତଦନ୍ତ।

କ’ଣ ଥିଲା ସେଦିନର ଚିତ୍ର? କ’ଣ ହୋଇଥିଲା ଫେବ୍ରୁଆରି ୨୩ ତାରିଖ ଦିନ? ତାହା ଜାଣିବା ପାଇଁ ରୀମାଙ୍କ ସହ ଯୋଗାଯୋଗ କରାଯାଇଥିଲା। ଏହା ପୂର୍ବରୁ କିଛି ପୁରୁଣା କଥା ଯୋଡ଼ିଦେବା ଠିକ୍‌ ହେବ। ପ୍ରାୟ ୧୪ ମାସ ପୂର୍ବରୁ ରୀମା ଓ ଇଂ ସୌମ୍ୟଶେଖରଙ୍କ ନିର୍ବନ୍ଧ ହୋଇଥିଲା। ଗତ ଫେବ୍ରୁଆରି ୧୮ ତାରିଖରେ ସୋନପୁର ସହରର ଏକ କଲ୍ୟାଣ ମଣ୍ଡପରେ ସେମାନଙ୍କ ହାତ ଗଣ୍ଠି ପଡ଼ିଥିଲା। ୨୩ ତାରିଖ ଦିନ ରବୀନ୍ଦ୍ର ତାଙ୍କ ଝିଅକୁ ଦିଲ୍ଲୀ ଛାଡ଼ିବାକୁ ଯାଇଥିଲେ। ସଂଯୁକ୍ତା ଯାଇଥିଲେ କଲେଜ କାମରେ। ଘରେ ଥିଲେ ନବବିବାହିତ ସୌମ୍ୟ, ରୀମା ଓ ସଂପର୍କୀୟ ଜେଜେ ମା’ ଜେମାମଣି। ରୀମାଙ୍କ କହିବା ଅନୁସାରେ, ଦିନ ପ୍ରାୟ ୧୨ଟା ବେଳେ ସୌମ୍ୟ ଓ ରୀମା ରୋଷେଇ ଘରେ ଥିଲେ। ରୀମା ରନ୍ଧାରନ୍ଧି କରୁଥିଲେ। ସେ ଦୁଇ ଜଣ ରୋଷେଇ ଘରୁ ବାହାରକୁ ଆସିବା ପରେ ସୌମ୍ୟ ଗେଟ୍‌ ଲକ୍‌ କରିବାକୁ ଯାଇଥିଲେ। ଏହି ସମୟରେ କୋରିଅର୍‌ ବଏ ଆସି ଏକ ପ୍ୟାକେଟ ଦେଇଥିଲା। ସୌମ୍ୟ ସେହି ପ୍ୟାକେଟକୁ ଆଣିଥିଲେ ଘରକୁ। ରୋଷେଇ ଘର ନିକଟ ଡାଏନିଂ ଟେବୁଲରେ ପାର୍ସଲଟିକୁ ରଖିଥିଲେ। ଉପରେ ଥିବା କଭର୍‌ କାଟିବା ପାଇଁ ଛୁରି ମାଗିଥିଲେ। ରୀମା ଛୁରି ଆଣି ଦେବା ବେଳେ କିଏ ପାର୍ସଲ ପଠାଇଛି, କେଉଁଠୁ ଆସିଛି, କାହା ନାଁରେ ଆସିଛି ବୋଲି ପଚାରିଥିଲେ। ସୌମ୍ୟଙ୍କ ନାଁରେ ପାର୍ସଲ ଆସିଛି ଓ ରାୟପୁରରୁ ପଠାଯାଇଥିବା ସୌମ୍ୟ ସୂଚନା ଦେଲେ। ଏହି ସମୟରେ ପାର୍ସଲର ଉପର କଭର୍‌ କାଟି କାଢ଼ିଥିଲେ। ରାୟପୁରରେ ତାଙ୍କ କେହି ବନ୍ଧୁ ନଥିବା ସୌମ୍ୟ ପ୍ୟାକେଟ କାଢୁଥିବା ବେଳେ ରୀମାଙ୍କୁ କହିଥିଲେ। ପାର୍ସଲ ଭିତରେ ଏକ ଗିଫ୍ଟ ପ୍ୟାକେଟ ରହିଥିଲା। ପ୍ୟାକେଟ ଉପରେ ଥିବା ସୂତା ଭଳି କାଗଜ କାଢ଼ିବା ବେଳେ ବିସ୍ଫୋରଣ ହୋଇଥିଲା। ତା’ପରେ ଯାହା ଘଟିଗଲା ଆପଣମାନେ ଜାଣନ୍ତି ବୋଲି କହିଥିଲେ ରୀମା।

ସମ୍ବନ୍ଧିତ ଖବର