ଘାରିଲାଣି ରୋଜଗାର ଚିନ୍ତା, କରୋନା ମାଡ଼ରେ ଫଟୋଗ୍ରାଫର୍‌ ବେହାଲ୍

ନିରାକାରପୁର: କରୋନା ମହାମାରୀ ଏବେ ଛଡ଼ାଇ ନେଇଛି ଫଟୋଗ୍ରାଫର୍‌ଙ୍କର ରୋଜଗାର। କୋଭିଡ୍–୧୯ କଟକଣା ଲାଗୁହେବା ପରଠାରୁ ଫଟୋଗ୍ରାଫର୍‌ଙ୍କ ସ୍ଥିତି ଶୋଚନୀୟ ହୋଇପଡ଼ିଛି। ହାତରେ କୌଣସି କାମ ନଥିବାରୁ ରୋଜଗାର ପୂରା ଠପ୍ ହୋଇଯାଇଛି। ବିବାହ ବ୍ରତ, ପର୍ବପର୍ବାଣି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସବୁ ବନ୍ଦ ରହିଥିବାରୁ ରୋଜାଗାର ଉତ୍ସ ବନ୍ଦ ଯୋଗୁଁ ଫଟୋଗ୍ରାଫର୍‌ମାନେ ନିରାଶ ହୋଇପଡ଼ିଛନ୍ତି। ସେଥିରେ ପୁଣି ନିକଟ ଭବିଷ୍ୟତରେ ଏହାର ଅନ୍ତ ହେବାର ଆଶା ଦେଖାଯାଉନାହିଁ। ଏହାକୁ ନେଇ ସେମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। ସୂଚନାଯୋଗ୍ୟ କି, ଫଟୋଗ୍ରାଫି ବ୍ୟବସାୟର ମୁଖ୍ୟ ରୋଜଗାର ବିବାହ ଆଦି କାର୍ଯ୍ୟକ୍ରମରୁ ଆସିଥାଏ। ମାତ୍ର ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ଏହିକାର୍ଯ୍ୟରେ ଏବେ ଭଟ୍ଟା ପଡ଼ିଛି। ଅନୁରୂପ ଭାବେ ପର୍ଯ୍ୟଟନ ଶିଳ୍ପ ମଧ୍ୟ ଅଚଳ ହୋଇପଡ଼ିଥିବାରୁ ରୋଜଗାର ବାଟ ମଧ୍ୟ କ୍ରମଶଃ ବନ୍ଦ ହୋଇଯାଇଛି। ଫଳରେ ନିଶାକୁ ପେଶାରେ ପରିଣତ କରିଥିବା

ଫଟୋଗ୍ରାଫର୍‌ମାନେ ଏବେ ପେଟ ଚାଖଣ୍ତକ ପାଇଁ ବିକଳ୍ପ ମାର୍ଗ ଦେଖିଲେଣି। ଏଭଳି ପରିସ୍ଥିତିରେ କିଏ ପରିବା ବିକୁଛିତ ପୁଣି କିଏ ଛତୁ। କିଏ ପାଉରୁଟି ବିକି ନିଜର ଗୁଜୁରାଣ ମେଣ୍ଟାଉଛି ତ କିଏ ମାସ୍କ ଓ ସାନିଟାଇଜର୍‌ ବାଧ୍ୟବାଧକତାରେ ବିକ୍ରିକରି ଗୁଜୁରାଣ ମେଣ୍ଟାଉଥିବା ଜଣାଯାଇଛି। ତେବେ ସ୍ଥାନୀୟ ନିରାକାରପୁର ଅଞ୍ଚଳର ଜନୈକ ଫଟୋଗ୍ରାଫର୍‌ଙ୍କୁ ପଚାରିବାରେ ସେ କହିଛନ୍ତି, ବଜାରରେ ଏକମାତ୍ର ଷ୍ଟୁଡିଓ କରି ପରିବାର ପ୍ରତିପୋଷଣ କରୁଥିଲେ ତେବେ ପାଖାପାଖି ୫ମାସ ହେଲାଣି ଏହି ବ୍ୟବସାୟରୁ କାଣି କଉଡ଼ିଟିଏବି ରୋଜଗାର କରିନାହାନ୍ତି। ଫଳରେ ନିଜେ ଚଳିବାକୁ ଏବେ ସେ ଅସମର୍ଥ ହୋଇପଡ଼ିଥିବା ବେଳେ ଦୋକାନ ଭଡ଼ା ଓ ବ୍ୟବସାୟ ଜନିତ ଋଣକିସ୍ତି ଦେବାକୁ ଚିନ୍ତାରେ ପଡ଼ିଛନ୍ତି। ବେଳକୁ ବେଳ ଘର ଖର୍ଚ୍ଚ ବଢ଼ିବା ଅନୁସାରେ ରୋଜଗାର ନଥିବାରୁ ‌ଫଟୋଗ୍ରାଫର୍‌ମାନେ ମୁଣ୍ତରେ ହାତଦେଇ ବସିଛନ୍ତି। ଜିଲ୍ଲାପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର