ଅର୍ଥନୀତିକୁ ଗତିଶୀଳ କରିବାକୁ ଆଲୋଚନା କଲେ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ

ଭୁବନେଶ୍ବର : କରୋନା ମହାମାରୀ ଓ ଏହାର ପରବର୍ତ୍ତୀ ସମୟରେ ରାଜ୍ୟ ଅର୍ଥନୀତିକୁ ଗତିଶୀଳ କରିବା ପାଇଁ କୃଷି ବିଭାଗର କାର୍ଯ୍ୟକ୍ରମ ସମ୍ପର୍କରେ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ସମୀକ୍ଷା କରିଛନ୍ତି। ଚାଷୀ ଯେପରି ଅଭାବୀ ବିକ୍ରିର ଶିକାର ହେବନି ଓ ଉତ୍ପାଦିତ କୃଷିଜାତ ଦ୍ରବ୍ୟର ଉଚିତ୍‌ ମୂଲ୍ୟ ମିଳିବ ସେଥିପାଇଁ ସବୁ ପ୍ରକାର ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଶ୍ରୀ ଦାସବର୍ମା ବୈଠକରେ ଗୁରୁତ୍ବ ଦେଇଛନ୍ତି।

ସ୍ଥାନୀୟ କୃଷି ଭବନରେ ଅନୁଷ୍ଠିତ ବୈଠକରେ ଚଳିତ ବର୍ଷ ଖରିଫ ଚାଷ ପାଇଁ ଚାଷୀମାନଙ୍କୁ ବିହନ, ସାର ଯୋଗାଣ ସୁନିଶ୍ଚିତ କରିବା ଉପରେ ଆଲୋଚନା ହୋଇଥିଲା। ଏହାସହିତ ପାରମ୍ପରିକ କୃଷି, ଉଦ୍ୟାନ କୃଷି, ମିଲେଟ୍‌ ମିସନ ଓ ବାହାର ରାଜ୍ୟରୁ ଫେରିଥିବା ପ୍ରବାସୀ ଶ୍ରମିକମାନଙ୍କୁ ମନରେଗା ମାଧ୍ୟମରେ କର୍ମନିଯୁକ୍ତି ଦେବା ପାଇଁ ସରକାର କରିଥିବା ଘୋଷଣା କିପରି ସୁଚାରୁ ରୂପେ କାର୍ଯ୍ୟକାରୀ ହୋଇପାରିବ ସେ ସମ୍ପର୍କରେ ଅଧିକାରୀମାନେ ଉପାଧ୍ୟକ୍ଷଙ୍କୁ ଅବଗତ କରାଇଥିଲେ। ଏଥିପାଇଁ ରାଜ୍ୟ ଯୋଜନା ବୋର୍ଡ଼ ଓ ଏନ୍‌.ସି.ଡି.ଏସ୍‌ ମଧ୍ୟରେ ସମନ୍ବୟ ରକ୍ଷା କରି ଏହି କାର୍ଯ୍ୟ ସମ୍ପାଦନ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅତିରିକ୍ତ ଶାସନ ସଚିବ ବନାନୀ ମହାନ୍ତିଙ୍କୁ ନୋଡାଲ୍‌ ଅଧିକାରୀ ଭାବେ ନିୟୋଜିତ କରାଯାଇଛି। ବୈଠକରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ, ସ୍ବତନ୍ତ୍ର ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ବିଭାଗୀୟ ନିର୍ଦ୍ଦେଶକ ଏମ୍‌.ମୁଥୁ କୁମାର ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର