ଏ ବର୍ଷ ବଢ଼ିବନି ଯୁକ୍ତ ୨ ନାମଲେଖା ଫି’: ସେଲ୍ଫ ଫାଇନାନ୍ସ ଓ ‌ବେସରକାରୀ କଲେଜକୁ ନିର୍ଦ୍ଦେଶ

ଏଥର ୪.୯୯ ଲକ୍ଷ ସିଟ୍‌ରେ ହେବ ନାମଲେଖା

ଭୁବନେଶ୍ବର: କ‌ରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜ ନାମଲେଖା ଫି’ ବୃଦ୍ଧି କରାଯିବ ନାହିଁ। ସେଲ୍ଫ ଫାଇନାନ୍ସିଂ, ଅଣଅନୁଦାନପ୍ରାପ୍ତ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକ ପୂର୍ବବର୍ଷର ଫି’ ଅନୁଯାୟୀ ଏଥର ବି ଛାତ୍ରଛାତ୍ରୀଙ୍କଠାରୁ ନାମଲେଖା ଫି’ ଆଦାୟ କରିବେ। କରୋନା କାଳରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଅର୍ଥ ଚାପରୁ ମୁକ୍ତ କରିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ଉଚ୍ଚକ୍ଷମତା ସଂପନ୍ନ କମିଟି ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି। କଲେଜ ଅଧ୍ୟକ୍ଷମାନେ ଏହାକୁ କାର୍ଯ୍ୟକରୀ କରିବା ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ କହିଛନ୍ତି।

ସେପଟେ ନାମଲେଖା ପାଇଁ ଚୂଡ଼ାନ୍ତ ସିଟ୍‌ ତାଲିକା ପ୍ରକାଶ କରାଯାଇଛି। କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ସଂସ୍କୃତ ବିଭାଗର ମୋଟ ୪ଲକ୍ଷ ୯୯ ହଜାର ୧୨୩ ସିଟ୍‌ରେ ଚଳିତବର୍ଷ ନାମଲେଖା ହେବ। କଳା ବିଭାଗରେ ସର୍ବାଧିକ ୨ ଲକ୍ଷ ୭୬ ହଜାର ୨୭୪ ସିଟ୍‌ରେ ନାମଲେଖା ହେବାକୁ ଥିବା ବେଳେ ବିଜ୍ଞାନରେ ୧ ଲକ୍ଷ ୫୪ ହଜାର ୧୯୩, ବାଣିଜ୍ୟରେ ୪୫ହଜାର ୪୪, ସଂସ୍କୃତରେ ୧୩ ହଜାର ୨୦୪, ଧନ୍ଦାମୂଳକ ବିଭାଗର ୧୦ ହଜାର ୪୦୮ ସିଟ୍‌ରେ ସାମ୍‌ସ ମାଧ୍ୟମରେ ନାମଲେଖା କରାଯିବ। ଚଳିତବର୍ଷ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪୧ହଜାର ୬୩୪ ସିଟ୍‌ରେ ନାମଲେଖା ହେବ। ସେଥିମଧ୍ୟରୁ କଳାରେ ୨୦ ହଜାର ୭୯୭, ବିଜ୍ଞାନରେ ୧୫ ହଜାର ୬୪୯, ବାଣିଜ୍ୟରେ ୪୨୦୮ ସିଟ୍‌ ରହିଛି।

ଖୋର୍ଧା ଜିଲ୍ଲାରେ ନାମଲେଖା ହେବାକୁ ଥିବା ୪୦ ହଜାର ୧୫୨ ସିଟ୍‌ ମଧ୍ୟରେ କଳାରେ ୧୫ହଜାର ୮୨୦, ବିଜ୍ଞାନରେ ୧୮ ହଜାର ୫୪୪, ବାଣିଜ୍ୟରେ ୪ ହଜାର ୨୫୬ ସିଟ୍‌ ରହିଛି। ସେହିପରି କଟକରେ ୩୬ ହଜାର ୯୭୮, ବାଲେଶ୍ବରରେ ୩୪ ହଜାର ୩୭୨, ମୟୂରଭଞ୍ଜରେ ୨୯ ହଜାର ୧୯୪, ପୁରୀରେ ୨୪ ହଜାର ୧୯୩, ସୁନ୍ଦରଗଡ଼ରେ ୨୨ ହଜାର ୨୨୬ ଓ କେନ୍ଦ୍ରାପଡ଼ା ଜିଲ୍ଲାର ୨୦ ହଜାର ୪୪୯ ସିଟ୍‌ରେ ନାମଲେଖା ହେବ। ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ଧନ୍ଦାମୂଳକ ପାଠ୍ୟକ୍ରମ ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ବ ଦେଉଥିବା ବେଳେ ମାଲକାନଗିରି ପରି ଉପାନ୍ତ ଅଞ୍ଚଳରେ ଧନ୍ଦାମୂଳକ ଶିକ୍ଷା ପାଇଁ ବ୍ୟବସ୍ଥା ନାହିଁ। ଜିଲ୍ଲାରେ ମୋଟ ୨୦ଟି କଲେଜ ରହିଥିଲେ ମଧ୍ୟ ଗୋଟିଏ ହେଲେ ବି ଶିକ୍ଷାନୁଷ୍ଠାନରେ ଧନ୍ଦାମୂଳକ ବିଭାଗ ଖୋଲାଯାଇ ନାହିଁ। ଦେବଗଡ଼ରେ ସର୍ବନିମ୍ନ ୨୬୪୦ ସିଟ୍‌ରେ ନାମଲେଖା ହେବ। ୯ଟି ଜିଲ୍ଲାରେ ଆଦୌ ସଂସ୍କୃତ କଲେଜ ନ ଥିବା ସୂଚନା ମିଳିଛି। ଗଣଶିକ୍ଷା ବିଭାଗର ଏଭଳି ତଥ୍ୟରୁ ସ୍ପଷ୍ଟ ସୂଚନା ମିଳୁଛି ଯେ ସହରାଞ୍ଚଳରେ ପଢ଼ିବା ପାଇଁ ଛାତ୍ରଛାତ୍ରୀ ବିଶେଷ ଆଗ୍ରହ ପ୍ରକାଶ କରୁଛନ୍ତି। ଯେଉଁଥିପାଇଁ ଭୁବନେଶ୍ବର, କଟକ, ବାଲେଶ୍ବର, ବ୍ରହ୍ମପୁର, ରାଉରକେଲା ପରି ସହରର କଲେଜଗୁଡ଼ିକ ଚଳିତ ଶିକ୍ଷାବର୍ଷ ପାଇଁ ସିଟ୍‌ ସଂଖ୍ୟା ବୃଦ୍ଧି କରିଛନ୍ତି।

ଯୁକ୍ତ୨ ନାମଲେଖା ପାଇଁ ସେପ୍ଟେମ୍ବର ୫ରେ ଆବେଦନ ଶେଷ ହେବ। ଆଉ ୧୦ ଦିନ ବାକି ଥିବା ବେଳେ ଆଜି ସୁଦ୍ଧା ମାତ୍ର ୩ଲକ୍ଷ ୭୬ ହଜାର ୨୭୭ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୩୨ ହଜାର ୪୪ଜଣ ଆବେଦନ କରିଥିବା ବେଳେ ୩ଲକ୍ଷ ୨୭ ହଜାର ୭୦୮ଜଣ ଏ ପର୍ଯ୍ୟନ୍ତ ଫି’ ଦାଖଲ କରିନାହାନ୍ତି। ଇତିମଧ୍ୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଦେଶର ଆଉ ୫ଟି ମାଧ୍ୟମିକ ଶିକ୍ଷା ବୋର୍ଡର ଛାତ୍ରଛାତ୍ରୀଙ୍କୁ ଯୁକ୍ତ୨ରେ ନାମଲେଖା ପାଇଁ ଅନୁମତି ଦିଆଯାଇଛି। ସେଗୁଡ଼ିକ ହେଲା ଆନ୍ଧ୍ରପ୍ରଦେଶର ଅମରାବତୀ ମାଧ୍ୟମିକ ଶିକ୍ଷା ବୋର୍ଡ, ମୁକ୍ତ ସ୍କୁଲ ଶିକ୍ଷା ବୋର୍ଡ, ହାଇଦ୍ରାବାଦ ମାଧ୍ୟମିକ ଶିକ୍ଷା ବୋର୍ଡ, ପୁନେ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ବୋର୍ଡ, ଗୁଜରାଟ ଗାନ୍ଧୀନଗର ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବୋର୍ଡକୁ ଗୋଟିଏ ବର୍ଷ ପାଇଁ ଅନୁମତି ଦିଆଯାଇଛି। ଅର୍ଥାତ୍‌ ଏହି ବୋର୍ଡଗୁଡ଼ିକରୁ ଦଶମ ଶ୍ରେଣୀରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ଓଡ଼ିଶାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନ‌ରେ ଶିକ୍ଷା ଗ୍ରହଣ ସହ ପରୀକ୍ଷା ଦେଇପାରିବେ।

ସମ୍ବନ୍ଧିତ ଖବର