ବାଣବାଜା ସହ କନିଆ ଘରକୁ ବାହାରିଥିଲା ବର: ଅଧାବାଟରୁ ଉଠାଇନେଲା ପୁଲିସ

ସୁନ୍ଦରଗଡ଼: ବାଜୁଥିଲା ବାଜା, ଫୁଟୁଥିଲା ବାଣ। ହସଖୁସିର ବରାତି ସହ ଗୋଲାପ ଫୁଲ ସଜ୍ଜା ଗାଡ଼ିରେ କନିଆ ଘରକୁ ବାହାରିଥିଲା ବର। ଆଉ କିଛି ସମୟ ପରେ ପହଞ୍ଚି କନିଆର ହାତ ଧରିଥାନ୍ତା । ହେଲେ ଅଧାବାଟରୁ ବରକୁ ଉଠାଇନେଲା ପୁଲିସ। ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲା ବାମରାରେ। ସୁନ୍ଦରଗଡ଼ ଜିଲ୍ଲା ଧରୁଆଡିହି ଥାନାରେ ପ୍ରେମିକା ଅଭିଯୋଗ କରିବା ପରେ ପୁଲିସ ଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଧରୁଆଡିହି ଥାନା ଅଞ୍ଚଳର ପ୍ରେମିକା କରିଥିବା ଅଭିଯୋଗ ଅନୁସାରେ, ୭ ବର୍ଷ ତଳେ ବାମରା ଗୋବିନ୍ଦପୁର ଖୋକୋପଡ଼ାର ବିଷ୍ଣୁ ପିଙ୍ଗ ତାଙ୍କୁ ପ୍ରେମ ଜାଲରେ ଫସାଇଥିଲା। ପ୍ରେମ ଘନିଷ୍ଠ ହେବା ପରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିନେଲା।

ଏହି ସମୟରେ ବିଷ୍ଣୁ ପ୍ରେମିକା ଘରେ ୫ ମାସ ରହିଥିଲା। ବିବାହ କରିବ ଭାବି ପରିବାର ଲୋକେ ବି ତାକୁ ଘରେ ସ୍ଥାନ ଦେଇଥିଲେ। କିନ୍ତୁ ସମ୍ପର୍କର ୨ ବର୍ଷ ମଧ୍ଯରେ ପ୍ରେମିକା ଗର୍ଭବତୀ ହେବା ପରେ ଦିନେ ବିଷ୍ଣୁ କାହାକୁ କିଛି ନକହି ଚେନ୍ନାଇ ଚାଲିଗଲା। ପ୍ରେମିକା ସହ ଆଉ ଯୋଗସୂତ୍ର ରଖିଲା ନାହିଁ। ଏପଟେ ସେମାନଙ୍କ
ସମ୍ପର୍କର ସନ୍ତକ ସ୍ବରୂପ ପ୍ରେମିକା କୋଳକୁ ଆସିଲା ଏକ ପୁଅ। ଯାହାକୁ ଏବେ ୫ ବର୍ଷ।ପୁଅ ଜନ୍ମ ହେଲା ପରେ ବିଷ୍ଣୁକୁ ଖବର ଦେବାକୁ ବହୁ ଚେଷ୍ଟା କରିଥିଲେ ପ୍ରେମିକା, ହେଲେ ବିଷ୍ଣୁ ଫୋନ୍ ନମ୍ବର ବଦଳାଇ ଦେଇଥିଲା।

ଯାହା ଫଳରେ ଭାଗ୍ଯକୁ ନିନ୍ଦି ଟିକି ପୁଅ ସହ ବାପଘରେ ପଡ଼ି ରହିଲେ ସେ। ସେପଟେ ୫ ବର୍ଷ ଚେନ୍ନାଇରେ ମିସ୍ତ୍ରି କାମ କରି ରହିବା ପରେ ସପ୍ତାହ ତଳେ ଗାଁକୁ ଫେରିଥିଲା ବିଷ୍ଣୁ। ଆଉ ଧରୁଆଡିହିବସ୍ତିର ମାମୁ ଝିଅକୁ ବିବାହ କରିବାକୁ ସ୍ଥିର କରିଥିଲା। କୌଣସି ସୂତ୍ରରୁ ପ୍ରେମିକା ବିଷ୍ଣୁର ବିବାହ ଖବର ପାଇ ୧୬ ତାରିଖ ରାତିରେ ଅଭିଯୋଗ କରିବାକୁ ଗୋବିନ୍ଦପୁର ଥାନାକୁ ଯାଇଥିଲେ। ପୁଲିସ ତାଙ୍କୁ ଧରୁଆଡିହି ଥାନାକୁ ପଠାଇ ଦେଇଥିଲେ। ରବିବାର ସକାଳେ ପ୍ରେମିକା ଧରୁଆଡିହି ଥାନାକୁ ଆସି ଲିଖିତ ଅଭିଯୋଗ କରିଥିଲେ। ସକାଳ ୯ ଟାରେ ବିଷ୍ଣୁ ବରବେଶରେ ବରାତି ସହ ଧରୁଆଡିହି କନିଆ ଘର ଅଭିମୁଖେ ବାହାରି ବାମରାରେ ପହଞ୍ଚିଲାବେଳକୁ ପୁଲିସ ଯାଇ ବରଗାଡ଼ିରୁ ବିଷ୍ଣୁକୁ ଉଠାଇ ଆଣି ଥାନାରେ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର