ବିଦେଶରୁ ଫେରିବେ ୩ହଜାରରୁ ଅଧିକ ଓଡ଼ିଆ

ଭୁବନେଶ୍ବର : ବିଦେଶରେ ଫସି ରହିଥିବା ଭାରତୀୟମାନଙ୍କୁ ଘରକୁ ଫେରାଇ ଆଣିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଦେଶକୁ ଫେରିବାକୁ ଥିବା ଲୋକମାନଙ୍କ ମଧ୍ୟରେ ୩ ହଜାରରୁ ଅଧିକ ଓଡ଼ିଆ ରହିଛନ୍ତି। ଏଥି‌ରେ ମଧ୍ୟପ୍ରାଚ୍ୟ ଦେଶମାନଙ୍କରୁ ସର୍ବାଧିକ ଓଡ଼ିଆ ଫେରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ପଞ୍ଜୀକରଣ କରିଛନ୍ତି। ତେବେ ଫେରିବାକୁ ଥିବା ବ୍ୟକ୍ତିମାନଙ୍କୁ ପରୀକ୍ଷା ପରେ ଦିଲ୍ଲୀରେ ରଖାଯିବ କି ସିଧାସଳଖ ନିଜ ନିଜ ରାଜ୍ୟକୁ ପଠାଇ ଦିଆଯିବ, ତାହା ସ୍ଥିର ହୋଇ ନ ଥିବା ଜଣାପଡ଼ିଛି।

ଏହାବାଦ୍ ଆମେରିକା, ସିଙ୍ଗାପୁର ଓ ୟୁକେରୁ ମଧ୍ୟ ଅନେକ ଓଡ଼ିଆ ରାଜ୍ୟକୁ ଫେରିବେ। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବିଦେଶରୁ ଫେରିବାକୁ ଥିବା ଓଡ଼ିଆମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଯଦି ସଂପୃକ୍ତ ବ୍ୟକ୍ତିମାନଙ୍କୁ ପରୀକ୍ଷା ପରେ ସିଧାସଳଖ ରାଜ୍ୟକୁ ପଠାଇ ଦିଆଯାଏ, ତାହାଲେ ରାଜ୍ୟରେ କିଭଳି ସଙ୍ଗରୋଧରେ ରଖାଯିବ, ତାହାକୁ ନେଇ ଆଲୋଚନା ହୋଇଛି। ସହରାଞ୍ଚଳରେ ଥିବା ହୋଟେଲ ଗୁଡ଼ିକରେ ନିଜ ଖର୍ଚରେ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ସଙ୍ଗରୋଧ ବ୍ୟବସ୍ଥାରେ ରହିବାର ସୁବିଧା ରହିଛି। ତେଣୁ ଲୋକମ‌ାନେ ନିଜ ପସନ୍ଦ ଅନୁସାରେ ଏହି ଦୁଇଟି ସଙ୍ଗରୋଧ ବ୍ୟବସ୍ଥାକୁ ଚୟନ କରିପାରିବେ। ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରବର୍ତୀ ସୂଚନା ଆସିବା ପରେ ହିଁ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର