ଯଡାମ୍ବରେ ପୁଣି ପ୍ରଜାମେଳି: ନକ୍ସଲଙ୍କ ବିରୋଧରେ ଗର୍ଜିଲେ ୩୬ଟି ଗାଁର ଲୋକ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକ ବିଚ୍ଛିନ୍ନାଞ୍ଚଳରେ ପୁଣି ପ୍ରଜାମେଳି । ଏଥର ନକ୍ସଲଙ୍କ ବିରୋଧରେ ଗର୍ଜିଛନ୍ତି ୩୬ ଖଣ୍ଡ ଗାଁର ଲୋକ। ଗତ କିଛିଦିନ ତଳେ ନକ୍ସଲ ଏକ ଚିଠି ମାଧ୍ୟମରେ ଯଡ଼ାମ୍ବ ପଞ୍ଚାୟତର ୬୦ଜଣ ବ୍ୟକ୍ତିଙ୍କ ନାଁ ଉଲ୍ଲେଖ କରି ସେମାନଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ। ବିଏସ୍‌ଏଫ୍‌ର ସୁରକ୍ଷାରେ ରହିଥିବାରୁ ଆମକୁ ତମେ ଟାଣ ଦେଖାଉଛ। କେତେ ଦିନ ବିଏସ୍‌ଏଫ୍‌ର ସୁରକ୍ଷାରେ ରହିବ? ଦିନେ ନା ଦିନେ ଏଠାରୁ ବିଏସ୍‌ଏଫ୍‌ ହଟିବେ। ଆଉ ତାପରେ ତମମାନଙ୍କ ଅବସ୍ଥା ସାଂଘାତିକ ହେବ ବୋଲି ଧମକପୂର୍ଣ୍ଣ ଚିଠି ଲେଖିଥିଲେ ନକ୍ସଲ। ଏହି ଚିଠି ପାଇବା ପରେ ଯଡ଼ାମ୍ବ ପଞ୍ଚାୟତର ବିଭିନ୍ନ ଗାଁର ଲୋକେ ଏକତ୍ରିତ ହୋଇ ନକ୍ସଲଙ୍କୁ କଡ଼ା ଜବାବ ଦେବା ପାଇଁ ଅଣ୍ଟା ଭିଡ଼ିଛନ୍ତି।

ହଜାର ସଂଖ୍ୟାରେ ମହିଳା ଓ ପୁରୁଷ ଯଡ଼ାମ୍ବରେ ଏକତ୍ରିତ ହୋଇ ନକ୍ସଲ ବିରୋଧୀ ସ୍ଲୋଗାନ ଦେବା ସହ ବୈଠକରେ ନକ୍ସଲଙ୍କୁ କଡ଼ା ଜବାବ ଦିଆଯିବ ବୋଲି କହିଛନ୍ତି। ଆମ ଯୋଗୁଁ ନକ୍ସଲ ଏଠାରେ ନିଜର ପତିଆରା ବଢ଼ାଇ ପାରିଲେ। ଆମେ ଚାହିଁଥିଲେ ନକ୍ସଲ ଏଠାରେ ଇଞ୍ଚେ ବି ଆଗକୁ ବଢ଼ି ପାରିନଥାନ୍ତେ। ନକ୍ସଲଙ୍କ ଚ୍ୟାଲେଞ୍ଜକୁ ସ୍ବୀକାର କରୁଥିବା କହିଛନ୍ତି ଗ୍ରାମବାସୀ। ବିଚ୍ଛିନ୍ନାଞ୍ଚଳର ବିକାଶ ଧାରା ଜାରି ରହିଥିବା ବେଳେ ଏହା ନକ୍ସଲଙ୍କ ତଣ୍ଟିରେ କଣ୍ଟା ହୋଇ ଗଳୁଥିବା ଗ୍ରାମବାସୀ କହିଛନ୍ତି। ସେମାନଙ୍କ ନିର୍ଦ୍ଦେଶ ନ ମାନି ପ୍ରଶାସନକୁ ସହଯୋଗ କରି ଅଞ୍ଚଳର ବିକାଶ କରୁଥିବାରୁ ନକ୍ସଲ ଏଭଳି ଧମକ ଦେଉଥିବା କହିଛନ୍ତି ଗ୍ରାମବାସୀ। ଆଗକୁ ଆମେ ମରିବୁ ପଛେ ଛାଡ଼ିବୁ ନାହିଁ ବୋଲି ପାଲଟା ଚେତାବନୀ ଦେଇଛନ୍ତି ଲୋକେ।

ଏଠାରେ ସୂଚନାଯୋଗ୍ୟ ଯେ ଗତ ଜାନୁଆରି ୨୫ ତାରିଖରେ ଯଡ଼ାମ୍ବ ଏବଂ ସିନ୍ଧିପୁଟ ଗ୍ରାମରେ ଲୋକେ ନକ୍ସଲଙ୍କ ସହ ମୁକାବିଲା କରିବା ବେଳେ ଜଣେ ନକ୍ସଲଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଜଣେ ନକ୍ସଲକୁ ଧରି ପୁଲିସର ଜିମା ଦେଇଥିଲେ ଲୋକେ। ଏ ଘଟଣାର ପ୍ରତିଶୋଧ ନେବା ପାଇଁ ନକ୍ସଲ ଯଡ଼ାମ୍ବ ଗ୍ରାମରେ ୮୦ରୁ ଊର୍ଦ୍ଧ୍ବ ଘରେ ନିଆଁ ଲଗାଇ ପୋଡ଼ି ଦେଇଥିଲେ। ଏଥି ସହ ଲୁଟି ନେଇଥିଲେ ଲକ୍ଷାଧିକ ଟଙ୍କା, ସୁନା ଇତ୍ୟାଦି। ସେହିଦିନଠାରୁ ନକ୍ସଲ ଏବଂ ଯଡ଼ାମ୍ବ ପଞ୍ଚାୟତବାସୀଙ୍କ ମଧ୍ୟରେ ଚାଲିଛି ଶୀତଳ ଯୁଦ୍ଧ। ନକ୍ସଲ ଏବଂ ଯଡ଼ାମ୍ବ ପଞ୍ଚାୟତବାସୀଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ବେଳକୁ ବେଳେ ଉଗ୍ର ରୂପ ନେବାରେ ଲାଗିଛି। ନକ୍ସଲଙ୍କ ପାଦ ମଧ୍ୟ ଏହି ଅଞ୍ଚଳରେ ପଡ଼ିବାକୁ ଦେବେ ନାହିଁ ବୋଲି କହିଛନ୍ତି ବିପକ୍ଷବାଦୀ। ସେପଟେ ବିଏସ୍‌ଏଫ୍‌ ମଧ୍ୟ ଯଡ଼ାମ୍ବକୁ ପାଚେରି ପରି ଘେରି ରହିଛି। ନକ୍ସଲଙ୍କୁ କିଛି ପଞ୍ଚାୟତରେ ଲୋକେ ସହଯୋଗ କରୁଥିବାରୁ ନକ୍ସଲ ଏଭଳି କଡ଼ା ଚେତାବନୀ ଦେଉଥିବା କୁହାଯାଇଛି।

ସମ୍ବନ୍ଧିତ ଖବର