ଲଢ଼ିବାକୁ ମନ୍ତ୍ର ଫୁଙ୍କିଲେ; ରାଜନୀତି ଏକ ମାଧ୍ୟମ, ଲୋକଙ୍କ ସେବା ମୁଖ୍ୟ: ନବୀନ

ଭୁବନେଶ୍ବର : ଲୋକଙ୍କ ସେବା ହେଉଛି ମୁଖ୍ୟ, ରାଜନୀତି ଏଥିପାଇଁ ଏକ ମାଧ୍ୟମ ମାତ୍ର। ଏହା ସମସ୍ତେ ମନେ ରଖିବା ଦରକାର। ପଞ୍ଚାୟତ ଓ ପୌର ନିର୍ବାଚନ ସମୟରେ ରାଜନୀତି ହୁଏ। ନିର୍ବାଚନ ସରିବା ପରେ ସମସ୍ତେ ଏକାଠି ହୋଇ ଲୋକଙ୍କ ପାଇଁ କାମ କରନ୍ତୁ। ଗାନ୍ଧୀ ଜୟନ୍ତୀଠାରୁ ଆରମ୍ଭ ହେଉଥିବା ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରାକୁ ସଫଳ କରିବା ନିମନ୍ତେ ବରମୁଣ୍ଡା ପଡ଼ିଆରେ ଆୟୋଜିତ ପ୍ରସ୍ତୁତି ବୈଠକର ଉଦ୍‌ଯାପନୀ ଦିବସରେ ଆଭାସୀ ଜରିଆରେ ଦଳୀୟ ଜନ ପ୍ରତିନିଧି ଓ କର୍ମକର୍ତାମାନଙ୍କୁ ଏଭଳି ଆହ୍ୱାନ ଦେଇଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏକ ଆଞ୍ଚଳିକ ଦଳ ଭାବେ ବିଜେଡି ସବୁବେଳେ ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନକୁ ପ୍ରାଥମିକତା ଦେଇଆସିଛି। ଆଗକୁ ମଧ୍ୟ ଦେଇ ଚାଲିବ। ଦଳ ଲୋକଙ୍କ ସୁଖଦୁଃଖରେ ଓ ଲୋକଙ୍କ ସାଥୀରେ ରହି ଆସିଛି। ଏହି ଧାରାକୁ ଅନୁସରଣ କରି ଓଡ଼ିଶାବାସୀଙ୍କ ଆଶୀର୍ବାଦ ଓ ଓଡ଼ିଶାବାସୀଙ୍କୁ ସାଥିରେ ନେଇ ଲୋକଙ୍କ ପାଖକୁ ଯାଆନ୍ତୁ। ସାରା ରାଜ୍ୟରେ ଏହି ପଦଯାତ୍ରାକୁ ସଫଳ କରାନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ନିର୍ବାଚନ ବେଳେ ରାଜନୀତି ହୁଏ, ‌ଏବେ ଏକାଠି କାମ କରିବା

ପ୍ରାରମ୍ଭରେ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ବରିଷ୍ଠ ନେତା ଅଶୋକ ପଣ୍ଡା, ପ୍ରତାପ ଦେବ, ଅତନୁ ସବ୍ୟସାଚୀ, ଅରୁଣ ସାହୁ ପ୍ରମୁଖ ଦ୍ୱିତୀୟ ଦିବସର କର୍ମଶାଳାକୁ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ। ଶ୍ରୀ ଦାସ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ୱ ଓ ସ୍ୱଚ୍ଛ ପ୍ରଶାସନ ଯୋଗୁଁ ଓଡ଼ିଶା ଆଜି ପ୍ରତିଟି କ୍ଷେତ୍ରରେ ଉନ୍ନତିର ମାର୍ଗରେ ଦ୍ରୁତ ଗତିରେ ଆଗେଇ ଚାଲିଛି। ତାହାର ବାର୍ତା ରାଜ୍ୟର କୋଣ ଅନୁକୋଣରେ ପହଞ୍ଚାଇବା ଦାୟିତ୍ବ ଦଳର ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ବ୍ଲକ୍ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ପୌର ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ଦଳର ଜିଲ୍ଲା ଓ ବ୍ଳକ୍ କର୍ମକର୍ତାଙ୍କର। ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ କହିଲେ, ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଚିନ୍ତାଧାରା ଯୋଗୁଁ ସମସ୍ତଙ୍କ ଶ୍ରଦ୍ଧାଭାଜନ ହୋଇଛନ୍ତି। ୫ଥର ଯାକ ଦଳକୁ ବିଜୟୀ କରାଇଛନ୍ତି। ଲୋକେ ତାଙ୍କୁ ଭଲ ପାଆନ୍ତି। ଏବେ ଷଷ୍ଠଥର ପାଇଁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ହେଲେ ସମସ୍ତଙ୍କୁ ଦାୟିତ୍ୱ ନେବାକୁ ହେବ ଓ କଠିନ ପରିଶ୍ରମ କରିବାକୁ ହେବ। ବରିଷ୍ଠ ନେତା ସଞ୍ଜୟ ଦାସବର୍ମା କହିଥିଲେ, ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ଓଡ଼ିଶାକୁ ଆମ ହକ୍ ଦେଉନାହିଁ। ଓଡିଶା ପ୍ରତି କେନ୍ଦ୍ରର ଅବିଚାରର ସୀମା ନାହିଁ। ରେଳବାଇଠୁ ନେଇ ବିପର୍ଯ୍ୟୟ ସହାୟତା ଓ ଉଷୁନା ଚାଉଳ ଉଠାଣ ପର୍ଯ୍ୟନ୍ତ କେନ୍ଦ୍ର ଓଡ଼ିଶାକୁ ଅବିଚାର ଜାରି ରଖିଛି। ତେଣୁ କେନ୍ଦ୍ରର ଏହି ଅବିଚାର ବିରୋଧରେ ଆମର ଲଢ଼େଇ ଜାରି ରହିବ।

ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ କହିଲେ, ବିପର୍ଯ୍ୟୟକୁ ସଫଳ ମୁକାବିଲା କରିବାରେ ଓଡ଼ିଶା ଆଜି ସାରା ବିଶ୍ୱକୁ ଦିଗଦର୍ଶନ ଦେଉଛି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମୁଖ୍ୟମନ୍ତ୍ରୀ ‘ପ୍ରତିଟି ଜୀବନ ମୋ ପାଇଁ ମୂଲ୍ୟବାନ’ ଆହ୍ୱାନ ଦେବାପରେ ଓଡ଼ିଶା ମଡେଲକୁ ଦେଖି ପ୍ରଶିକ୍ଷଣ ନେବା ପାଇଁ ଅନ୍ୟ ରାଜ୍ୟର ଅଧିକାରୀମାନେ ଓଡ଼ିଶା ଆସୁଛନ୍ତି। ତେବେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ କେନ୍ଦ୍ର ଆମକୁ ସହଯୋଗ କରୁ ନ ଥିବା ସେ ଅଭିଯୋଗ କରିଥିଲେ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଆର୍ଥିକ ସୁପରିଚାଳନା ଯୋଗୁଁ ଓଡ଼ିଶା କିପରି ଦ୍ରୁତ ଗତିରେ ପ୍ରଗତି କରୁଛି, ତାହାର ଚିତ୍ର ପ୍ରଦାନ କରିଥିଲେ। ୨୦୦୦ ମସିହାରେ ରାଜ୍ୟର ବଜେଟ୍‌ ସାଢ଼େ ୧୧ ହଜାର କୋଟି ଥିଲା। ଏବେ ବଢ଼ି ୨ ଲକ୍ଷ କୋଟିରେ ପହଞ୍ଚିଛି। ସରକାର ଯେତେସବୁ ଜନ କଲ୍ୟାଣକାରୀ ଯୋଜନା ପ୍ରଣୟନ କରିଛନ୍ତି, ସେସବୁର କାର୍ଯ୍ୟକାରିତା ପାଇଁ ଅର୍ଥର ଅଭାବ ରହିବ ନାହିଁ। ମନ୍ତ୍ରୀ ପ୍ରୀତି ରଂଜନ ଘଡ଼େଇ କହିଥିଲେ, ଗମନାଗମନ କ୍ଷେତ୍ରକୁ ସରକାର ପ୍ରାଥମିକତା ଦେଇଥିବାରୁ ଓଡ଼ିଶାରେ ବିଭିନ୍ନ ଯୋଜନାର ସଫଳ ରୂପାୟନ ସମ୍ଭବ ହୋଇଛି। ୧୭ ହଜାର ଗାଁକୁ ନିତି ଦିନିଆ ରାସ୍ତା ନିର୍ମାଣ ହୋଇଛି। ଦୁଇ ଦଶନ୍ଧି ମଧ୍ୟରେ ରାସ୍ତା ନିର୍ମାଣ ବଜେଟ୍ ୨୯୮ କୋଟିରୁ ବଢି ୧୭ହଜାର ୪୨୪ କୋଟିରେ ପହଞ୍ଚିଛି। ଏହିସବୁ ତଥ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ହେବ।

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ତାଙ୍କ ବକ୍ତବ୍ୟରେ ଓଡ଼ିଶାରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ହୋଇଥିବା ୫-ଟି ରୂପାନ୍ତରୀକରଣର ସୁନେଲି ଚିତ୍ର ଉପସ୍ଥାପନ କରିବା ସହ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ୫-ଟି ମନ୍ତ୍ରକୁ ପ୍ରଶଂସା କରିଥିଲେ। ସ୍ବାସ୍ଥ୍ୟ ବଜେଟ ବୃଦ୍ଧି ପାଇବା ସହିତ ମେଡିକାଲ କଲେଜ ସଂଖ୍ୟା ବୃଦ୍ଧି ପାଇଥିବା ସେ କହିଥିଲେ। କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ, ଓଡ଼ିଶା ଏକ ନିଅଣ୍ଟିଆ ଖାଦ୍ୟ ରାଜ୍ୟରୁ ଆଜି ବଳକା ରାଜ୍ୟରେ ପରିଣତ ହୋଇଛି। ଜଗନ୍ନାଥଙ୍କ ମାଟି ଓଡ଼ିଶାରେ ଧର୍ମ ଓ ଜାତିକୁ ନେଇ ଘୃଣା ଓ ଅସୂୟାର ରାଜନୀତି ଚଳିବ ନାହିଁ। ଧର୍ମନିରପେକ୍ଷତାରେ ବିଶ୍ୱାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଓଡ଼ିଶାବାସୀଙ୍କ ବିଶ୍ୱାସ, ଭରସା ଓ ଆଶୀର୍ବାଦ ଅଛି ବୋଲି କହିଥିଲେ। ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ନବୀନ ବାବୁଙ୍କ ଦୃଢ ନେତୃତ୍ୱ ଯୋଗୁଁ ଓଡ଼ିଶା ସରକାର କିପରି ସମସ୍ତ ପ୍ରତିକୂଳତାକୁ ଅତିକ୍ରମ କରି ପ୍ରତିବଦ୍ଧତାର ସହ ସାଢ଼େ ଚାରି କୋଟି ଓଡ଼ିଆଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ କାମ କରୁଛନ୍ତି, ପଦଯାତ୍ରା ବେଳେ ତାହା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆହ୍ୱାନ ଦେଇଥିଲେ। ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର କହିଥି‌ଲେ, ମୁଖ୍ୟମନ୍ତ୍ରୀଙ୍କୁ ଇତିହାସ ମନେ ରଖିବ। ଯେତେ‌ବେଳେ ଓଡ଼ିଶାର ଇତିହାସ ଲେଖାଯିବ ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବ ଓ ସମୟକୁ ସୁବର୍ଣ୍ଣ ‌ଯୁଗ ବୋଲି ବିବେଚନା କରାଯିବ। ଅନ୍ୟମାନଙ୍କ ମଧ୍ୟରେ ସୁଦାମ ମାରାଣ୍ଡି, ବରିଷ୍ଠ ନେତା ବଦ୍ରି ନାରାୟଣ ପାତ୍ର, ପ୍ରସନ୍ନ ପାଟ୍ଟଶାଣୀ, ସୌମ୍ୟରଂଜନ ପଟ୍ଟନାୟକ, ସୁଶାନ୍ତ ସିଂ ଙ୍କ ସମେତ ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ଉପସ୍ଥିତ ଥିଲେ। ଶେଷରେ ପ୍ରଖ୍ୟାତ ପ୍ରେରଣାଦାୟୀ ବକ୍ତା ଉଜ୍ୱଳ ପଟନି ଉପସ୍ଥିତ ଜନ ପ୍ରତିନିଧିମାନଙ୍କୁ ଲୋକଙ୍କ ଶ୍ରଦ୍ଧାଭାଜନ ହେବାକୁ ଆବଶ୍ୟକ ବିଭିନ୍ନ ପଦକ୍ଷେପ ଓ କୌଶଳ ସଂପର୍କରେ ଅବଗତ କରିଥିଲେ।

ସମ୍ବନ୍ଧିତ ଖବର