ପ୍ରାଥମିକ ଶିକ୍ଷକମାନଙ୍କ ବେତନ ବୃଦ୍ଧି ସହିତ ୩ଟି ପଦୋନ୍ନତି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ପ୍ରାଥମିକ ଶିକ୍ଷକଙ୍କ ଗ୍ରେଡ୍‌ ପେ ବୃଦ୍ଧି ନେଇ ଗୁରୁବାର ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଓ ସଚିବ ଉପସ୍ଥିତ ରହିଥିଲେ । ରାଜ୍ୟରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକମାନଙ୍କ କ୍ୟାଡରର ପୁନର୍ଗଠନ ଓ ଗ୍ରେଡ ପେ ବୃଦ୍ଧିକୁ ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଅନୁମୋଦନ କରିଛନ୍ତି । ଶିକ୍ଷକଙ୍କ ବହୁଦିନର ଦାବିକୁ ସମ୍ମାନ ଜଣାଇ ସେମାନଙ୍କ କ୍ୟାଡରରେ ପରିବର୍ତ୍ତନ ଆଣି ଚାକିରି କାଳ ମଧ୍ୟରେ ଅତି କମରେ ୩ଟି ପିରବର୍ତ୍ତନ ପାଇଁ ସୁଯୋଗ ସୃଷ୍ଟି କରାଯାଇଛି ।

ଏହି ନିଷ୍ପତ୍ତି ଅନୁସାରେ ଏଲିମେଣ୍ଟାରି କ୍ୟାଡରରେ ବରିଷ୍ଠ ଶିକ୍ଷକ, ସ୍ନାତକ ଶିକ୍ଷକ ଏବଂ ବରିଷ୍ଠ ପ୍ରଧାନ ଶିକ୍ଷକ ପଦବି ସୃଷ୍ଟି କରାଯିବ । ଏଥିସହିତ ଲେବୁଲ-୪ ଓ ଲେବୁଲ-୨ ପଦବି ସଂଖ୍ୟା ଯଥେଷ୍ଟ ବଢାଇ ଦିଆଯାଇଛି ଏବଂ ବେତନ ହାରରେ ବୃଦ୍ଧି ମଧ୍ୟ ଘଟିଛି । ଏହି ପଦୋନ୍ନତି ପାଇଁ ଦୀର୍ଘଦିନ ଧରି ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ଦାବି କରିଆସୁଥିଲା । ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ରାଜ୍ୟରେ ପ୍ରାୟ ୭୨ ହଜାର ୫୬୩ ଜଣ ପ୍ରାଥମିକ ଶିକ୍ଷକ ଉପକୃତ ହେବେ।

ସମ୍ବନ୍ଧିତ ଖବର