ବିନାଭକ୍ତରେ ଦେବସ୍ନାନ ପୂର୍ଣ୍ଣିମା, ଜୁଲାଇ ୨୫ ଯାଏଁ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ: ଆଉ ଏକ ସପ୍ତାହ ପରେ ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେବ । ମହାପ୍ରଭୁ ୧୦୮ ଗରା ପାଣିରେ ଗୋଧୋଇବେ । କିନ୍ତୁ ମହାବାହୁଙ୍କ ଏହି ଅପୂର୍ବ ଦୃଶ୍ୟ ଦେଖିବାକୁ ପାଇପାରିବେନି ସାଧାରଣ ଭକ୍ତ । କରୋନା ଭାଇରସ ମହାମାରୀ ଯୋଗୁଁ ଗତବର୍ଷ ଭଳି ଚଳିତ ଥର ମଧ୍ୟ ବିନାଭକ୍ତରେ ଶ୍ରୀଜିଉଙ୍କର ଦେବସ୍ନାନ ପୂର୍ଣ୍ଣିମା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆଜି ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଆସନ୍ତା ଜୁଲାଇ ମାସ ୨୫ ତାରିଖ ଯାଏଁ ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ବନ୍ଦ ରହିବ । ସେତେଦିନ ପର୍ଯ୍ୟନ୍ତ ଭକ୍ତମାନେ ଶ୍ରୀମନ୍ଦିରକୁ ପ୍ରବେଶ କରି କାଳିଆ ଠାକୁରଙ୍କୁ ଦର୍ଶନ କରିପାରିବେ ନାହିଁ । ରଥଯାତ୍ରା ପରେ ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ।

ସୂଚନାଯୋଗ୍ୟ ଆସନ୍ତା ଜୁଲାଇ ୧୨ ତାରିଖରେ ଶ୍ରୀକ୍ଷେତ୍ରରେ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହେବ । ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହୋଇପାରିବ ନାହିଁ ବୋଲି ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିସାରିଛନ୍ତି । ଅନ୍ୟ ଜଗନ୍ନାଥ ମନ୍ଦିର ଭିତରେ କେବଳ ରଥଯାତ୍ରା ନୀତି ଅନୁଷ୍ଠିତ ହେବ ।

ସମ୍ବନ୍ଧିତ ଖବର