ଲୋକସେବା ଭବନ: ଇ-ପାସ୍‌ ବ୍ୟବସ୍ଥା କେବେ?

ତିନି ବର୍ଷ ହେଲା ଯୋଜନାରେ ଅଟକିଛି

ଗୃହ, ଓକାକ୍ ଓ ପୂର୍ତ୍ତ ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ପ୍ରକଳ୍ପ ଆରମ୍ଭ ହୋଇପାରୁନି

ଭୁବନେଶ୍ବର : ଲୋକସେବା ଭବନର ସୁରକ୍ଷା‌ ବ୍ୟବସ୍ଥା ଅଧିକ କଡ଼ାକଡ଼ି ହେବ। ସ୍ବୟଂଚାଳିତ ପ୍ରକ୍ରିୟାରେ ଏଠାରେ ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା ରହିବ। ଲୋକ ଅନ୍‌ଲାଇନ୍‌ରେ/ମୋବାଇଲ୍‌ ଆପ୍‌ରେ ଘରେ ବସି ପାସ୍‌ ଆବେଦନ କରିଲେ ସେମାନଙ୍କୁ ଏକ କୋଡ୍ ମିଳିବ। ଏହି କୋଡ୍‌ ଦେଖାଇ ଭିତରକୁ ପ୍ରବେଶ କରିବେ। ଏପରିକି ଯେଉଁ ଗାଡ଼ିରେ ଯିବାର ଥିବ ସେ ଗାଡ଼ି ନମ୍ବରକୁ ପଞ୍ଜୀକରଣ କରିଥିଲେ ବିନା ବାଧାରେ ଗାଡ଼ି ଲୋକସେବା ଭବନକୁ ପ୍ରବେଶ କରିବ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ତିନି ବର୍ଷ ତଳୁ ଏହି ଯୋଜନା ହେଲାଣି। ହେଲେ ଏହାକୁ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇପାରୁନି। ପୂର୍ତ୍ତ, ଗୃହ ବିଭାଗ ଏବଂ ଓକାକ୍‌କୁ ମିଳିତ ଭାବେ ଏହାର ଡିଜାଇନ୍, ମୋବାଇଲ୍‌ ଆପ୍, ସୁରକ୍ଷା ସମ୍ବନ୍ଧୀୟ ଗାଇଡଲାଇନ୍ ପ୍ରସ୍ତୁତ କରିବାକୁ ଥିବାରୁ ଏହି ପ୍ରକଳ୍ପ ଏବେ ଘୁଞ୍ଚିଘୁଞ୍ଚି ଚାଲିଛି। ଏପରିକି ୬୦କୋଟିର ଏହି ପ୍ରକଳ୍ପ ପାଇଁ ୨୦୨୦-୨୧ରେ ୧୮କୋଟି ୩୧ଲକ୍ଷ ଟଙ୍କା ମିଳିଥିବାବେଳେ କିଛି ବି କାମ ହୋଇନି। ଏବେ ପୁଣି ୩୮କୋଟି ଟଙ୍କା ସାଧାରଣ ପ୍ରଶାସନ ବିଭାଗ ଦେଇଥିବାବେଳେ ଏହା କେବେ କାର୍ଯ୍ୟକ୍ଷମ ହେବ ତାହାକୁ ନେଇ ପ୍ରଶ୍ନ ଉଠିଛି।

ପୂର୍ତ୍ତ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଇ-ପାସ୍‌ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେଲେ ଲୋକମାନେ ଯେକୌଣସି ସ୍ଥାନରେ ଥିଲେ ବି ମୋବାଇଲ୍‌ ଆପ୍‌ରେ ପାସ୍‌ ପାଇଁ ଆବେଦନ କରିପାରିବେ। ସେ ଯେଉଁ ବିଭାଗକୁ ଯିବାର ଥିବ ସେହି ବିଭାଗକୁ ପାସ୍‌ ଆବେଦନ ପଳାଇବ। ସେଠାରେ ଅନୁମୋଦନ ‌େହଲେ ଏହା ସୁରକ୍ଷା ଅଧିକାରୀଙ୍କ ନିକଟକୁ ଚୂଡ଼ାନ୍ତ ଅନୁମୋଦନ ପାଇଁ ଆସିବ। ଯଦି ପାସ୍‌ ଅନୁମୋଦନ ହୋଇଗଲା ତେବେ ସେ ଲୋକସେବା ଭବନକୁ ଆସିବେ ନହେଲେ ଆସିବେନି। ସେହିପରି ଲୋକସେବା ଭବନର କର୍ମଚାରୀଙ୍କ ପାଇଁ ଏକ କ୍ୟୁଆର୍‌ କୋଡ୍ ପ୍ରସ୍ତୁତ କରାଯିବ। ଯାହାକୁ ସ୍କାନ୍ କରାଇ ସେମାନେ ପ୍ରବେଶ କରିବେ। ଏବେ ଏହି ମୋବାଇଲ୍ ଆପ୍ କି ୱେବସାଇଟ୍ ଡେଭଲପ୍ ହୋଇନି। ଓକାକ୍ ଏହାକୁ ପ୍ରସ୍ତୁତ କରିବ। ତେଣୁ ଏହା ଅଟକିଛି।

ସେହିପରି ଲୋକସେବା ଭବନର ସବୁ ଗେଟ୍‌ରେ ସ୍ବୟଂଚାଳିତ ସରଞ୍ଜାମ ଲାଗିବ। ଏଥିରେ ଗାଡ଼ି ନମ୍ବର ସ୍କାନ୍ ହେବା ବ୍ୟବସ୍ଥା ରହିବ। ଯାହାଦ୍ବାରା ପାସ୍‌ ମିଳିଥିବା ଗାଡ଼ି ବିନା ବାଧାରେ ପ୍ରବେଶ କରିବ। ଏହି ସରଞ୍ଜାମ ସବୁ ଗୃହ ବିଭାଗ କିଣିବ।

ଏହାବାଦ୍ ଏବେ ଏଜି ଛକରୁ ଆଉ ଏକ ରାସ୍ତା ବାହାରି ସଚିବାଳୟ ପର୍ଯ୍ୟନ୍ତ ଆସିବ। ଏହାକୁ ପୂର୍ତ୍ତ ବିଭାଗ ନିର୍ମାଣ କରିବ। ଏହି ରାସ୍ତା ନିର୍ମାଣ ହେଲେ ଶହେରୁ ଅଧିକ ଗଛ କାଟିବାକୁ ହେବ। ତେଣୁ କେତେ କମ୍‌ ଗଛ କଟାଯାଇପାରିବ ସେନେଇ ଆଲୋଚନା ଚାଲିଥିବାରୁ ଏହି ପ୍ରକଳ୍ପ ଏବେ ଝୁଲି ରହିଛି।

ଏହି ଇ-ପାସ୍‌ ବ୍ୟବସ୍ଥା ଲୋକସେବା ଭବନ ସମେତ ରାଜୀବ ଭବନ ଓ ଖାରବେଳ ଭବନ ପାଇଁ ମଧ୍ୟ ଲାଗୁ କରିବାକୁ ବି ଆଲୋଚନା ହେଉଛି। ତିନିଟି ପ୍ରମୁଖ କାର୍ଯ୍ୟାଳୟ ପାଇଁ ଏହା ଲାଗୁ ହେବାକୁ ଥିବାରୁ ଏଥିପାଇଁ ଗୋଟିଏ କରିଡର କରାଯିବ ନା କିପରି ହେବ ତାହା ବି ଆଲୋଚନା ହେଉଛି। ତେଣୁ ପୂର୍ତ୍ତ ବିଭାଗକୁ ଅର୍ଥ ମିଳିଥିଲେ ବି କାମ ଆରମ୍ଭ ହୋଇପାରୁନି। ସାଧାରଣ ପ୍ରଶାସନ ବିଭାଗ ଏବେ ଏହି ପ୍ରକଳ୍ପକୁ ଚଳିତ ଆର୍ଥିକ ବର୍ଷରେ କାର୍ଯ୍ୟକାରୀ କରିବାକୁ କହୁଥିଲେ ହେଁ ‌େକୗଣସି ଭିତ୍ତିଭୂମି ପ୍ରସ୍ତୁତ ହୋଇନଥିବାରୁ ଏହା କେବେ କାର୍ଯ୍ୟକ୍ଷମ ହେବ ତାହା କହିହେବନି ବୋଲି ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଏବେ ଲୋକସେବା ଭବନ ପାଇଁ ଇ-ପ୍ରବେଶ ବ୍ୟବସ୍ଥା ଥିବାବେଳେ ଏଥିରେ କେବଳ ଲୋକସେବା ଭବନ ପାସ୍‌ କାଉଣ୍ଟର ନିକଟକୁ ଗଲେ ପାସ୍‌ ମିଳିବାର ବ୍ୟବସ୍ଥା ଅଛି। ଏହା ଅଧିକ ଫଳପ୍ରଦ ହେଉନଥିବାରୁ ଇ-ପାସ୍‌ ବ୍ୟବସ୍ଥା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର